Videos
|
National

Govt Employees Laptop / କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର... ୧.୮ ଲକ୍ଷ ଟଙ୍କାର ମିଳିବ ଲାପଟପ୍

Rashmita Mishra
Browse all articles by Rashmita Mishra
·1 hour ago·3 min read
କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର... ୧.୮ ଲକ୍ଷ ଟଙ୍କାର ମିଳିବ ଲାପଟପ୍
Govt Employees Laptop

Key Points

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର...
୧.୮ ଲକ୍ଷ ଟଙ୍କାର ମିଳିବ ଲାପଟପ୍ ।
୪ ବର୍ଷ ପରେ ମାଗଣାରେ ନିଜର କରିପାରିବେ । 

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ଅଫିସ୍ କାମ ପାଇଁ ଲାପଟପ୍ ଓ ଟାବଲେଟ୍ କିଣିବା ନେଇ କେନ୍ଦ୍ର ସରକାର ନୂଆ ନୀତିକୁ ଅନୁମୋଦନ କରିଛନ୍ତି । ଅର୍ଥ ମନ୍ତ୍ରଣାଳୟର ବ୍ୟୟ ବିଭାଗ (Department of Expenditure) ପକ୍ଷରୁ ଏହି ନୂଆ ଡିଭାଇସ୍ କ୍ରୟ ନୀତିକୁ ମଞ୍ଜୁରୀ ମିଳିଛି । ଏହା ଅନୁଯାୟୀ, ଯୋଗ୍ୟ ଅଧିକାରୀମାନେ ୧.୮ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମୂଲ୍ୟର ହାଇ-ଏଣ୍ଡ ଲାପଟପ୍ କିମ୍ବା ଟାବଲେଟ୍ ବ୍ୟବହାର ପାଇଁ ପାଇପାରିବେ । ସବୁଠାରୁ ବଡ଼ କଥା ହେଉଛି, ୪ ବର୍ଷ ବ୍ୟବହାର ପରେ ଏହାକୁ ମାଗଣାରେ ନିଜ ପାଖରେ ରଖିପାରିବେ ।

୧.୮ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମୂଲ୍ୟର ଲାପଟପ୍
ନୂଆ ନୀତିରେ ସରକାର ଲାପଟପ୍ ଓ ଅନ୍ୟାନ୍ୟ ଡିଭାଇସ୍ କିଣିବା ପାଇଁ ବଜେଟ୍ ସୀମା ବୃଦ୍ଧି କରିଛନ୍ତି । ଯେଉଁ ଡିଭାଇସ୍‌ରେ ୪୦ ପ୍ରତିଶତରୁ ଅଧିକ ମେକ୍-ଇନ୍-ଇଣ୍ଡିଆ ଉପାଦାନ ରହିଥିବ, ସେଗୁଡ଼ିକ ପାଇଁ ସରକାର ଟିକସ ସହିତ ସର୍ବାଧିକ ୧.୮ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ । ଅନ୍ୟ ସାଧାରଣ ଡିଭାଇସ୍ ପାଇଁ ସର୍ବାଧିକ ବଜେଟ୍ ସୀମା ୧.୫ ଲକ୍ଷ ଟଙ୍କା ରଖାଯାଇଛି । ଏହି ବଜେଟ୍‌ରେ ଆପଲ୍‌ର ମ୍ୟାକ୍‌ବୁକ୍ ଏୟାର ଓ ମ୍ୟାକ୍‌ବୁକ୍ ପ୍ରୋ ଭଳି ଉଚ୍ଚମାନର ଲାପଟପ୍ ମଧ୍ୟ ସାମିଲ ହୋଇପାରିବ । ଏହା ପୂର୍ବରୁ ଜୁଲାଇ ୨୦୨୩ରେ ଏହି ସୀମା ଯଥାକ୍ରମେ ୧ ଲକ୍ଷ ଓ ୧.୩ ଲକ୍ଷ ଟଙ୍କା ଥିଲା । ନୂଆ ନୀତିରେ ଲାପଟପ୍, ଟାବଲେଟ୍, ନୋଟ୍‌ବୁକ୍ ଓ ଅଲ୍ଟ୍ରାବୁକ୍‌କୁ ସାମିଲ କରାଯାଇଛି । କିନ୍ତୁ ମୋବାଇଲ୍ ଫୋନ୍‌କୁ ଏହି ତାଲିକାରୁ ବାଦ୍ ଦିଆଯାଇଛି ।

୪ ବର୍ଷ ପରେ ଲାପଟପ୍ ହୋଇଯିବ ନିଜର
ଏହି ନୂଆ ନିୟମର ସବୁଠାରୁ ଆକର୍ଷଣୀୟ ବ୍ୟବସ୍ଥା ହେଉଛି ଡିଭାଇସ୍‌ର ମାଲିକାନା ସମ୍ପର୍କିତ ନିୟମ । ଜଣେ କର୍ମଚାରୀ ୪ ବର୍ଷ ପର୍ଯ୍ୟନ୍ତ ସରକାରୀ କାର୍ଯ୍ୟରେ ଲାପଟପ୍ କିମ୍ବା ଟାବଲେଟ୍ ବ୍ୟବହାର କରିବା ପରେ ତାହାକୁ ବିନା କୌଣସି ଅତିରିକ୍ତ ଟଙ୍କାରେ ନିଜ ପାଖରେ ରଖିପାରିବେ । ତେବେ ଡିଭାଇସ୍‌ଟି କର୍ମଚାରୀଙ୍କୁ ହସ୍ତାନ୍ତର କରିବା ପୂର୍ବରୁ ବିଭାଗ ପକ୍ଷରୁ ସମସ୍ତ ସରକାରୀ ଫାଇଲ୍, ତଥ୍ୟ ଓ ଗୋପନୀୟ ସୂଚନାକୁ ସମ୍ପୂର୍ଣ୍ଣ ଭାବେ ଡିଲିଟ୍ କରାଯିବ ।

୪ ବର୍ଷ ପୂର୍ବରୁ ଚାକିରି ଛାଡ଼ିଲେ କ'ଣ ହେବ ?

ଯଦି କୌଣସି ଅଧିକାରୀ ୪ ବର୍ଷ ପୂର୍ବରୁ ଅବସର ନିଅନ୍ତି କିମ୍ବା ଚାକିରି ଛାଡ଼ନ୍ତି, ତେବେ ତାଙ୍କୁ ଲାପଟପ୍ ଫେରାଇବାକୁ ପଡ଼ିବ ନାହିଁ । କିନ୍ତୁ ଡିଭାଇସ୍‌ଟିକୁ ନିଜ ପାଖରେ ରଖିବା ପାଇଁ ପ୍ରତିବର୍ଷ ୨୫ ପ୍ରତିଶତ ହିସାବରେ ମୂଲ୍ୟହ୍ରାସ (Depreciation) କରି ବାକି ରହିଥିବା ମୂଲ୍ୟ ଦେବାକୁ ପଡ଼ିବ ।

କେଉଁ କର୍ମଚାରୀମାନେ ପାଇବେ ଏହି ସୁବିଧା ?
ଏହି ଯୋଜନା ସମସ୍ତ ସରକାରୀ କର୍ମଚାରୀଙ୍କ ପାଇଁ ଏକାସାଙ୍ଗରେ ଲାଗୁ ହେବ ନାହିଁ । ପଦବୀ ଓ ପେ-ଲେଭଲ୍ ଅନୁସାରେ ଡିଭାଇସ୍ ପ୍ରଦାନ କରାଯିବ ।
- ପେ-ଲେଭଲ୍ ୧୨ ଓ ତା'ଠାରୁ ଉପରେ: ଏହି ସ୍ତରର ସମସ୍ତ ଅନୁମୋଦିତ ପଦବୀରେ ଥିବା ଅଧିକାରୀମାନେ ଏହି ସୁବିଧା ପାଇବେ ।
- ପେ-ଲେଭଲ୍ ୮ରୁ ୧୧: ଏହି ସ୍ତରର ମୋଟ ଅନୁମୋଦିତ ପଦବୀର ୫୦ ପ୍ରତିଶତ କର୍ମଚାରୀଙ୍କୁ ଡିଭାଇସ୍ ଦିଆଯିବ । କାର୍ଯ୍ୟର ଆବଶ୍ୟକତା ଅଧିକ ଥିଲେ ବିଭାଗର ଉଚ୍ଚ ଅଧିକାରୀ ଏହି ସୀମାକୁ ୭୫ ପ୍ରତିଶତ ପର୍ଯ୍ୟନ୍ତ ବଢ଼ାଇପାରିବେ ।

ନୂଆ ନିୟମରେ ରହିଛି ଆଉ କିଛି ସର୍ତ୍ତ

- ଗୋଟିଏ ଲାପଟପ୍ କିମ୍ବା ଟାବଲେଟ୍ ପାଇବାର ୪ ବର୍ଷ ମଧ୍ୟରେ ଦ୍ୱିତୀୟ ନୂଆ ଡିଭାଇସ୍ ମିଳିବ ନାହିଁ ।
- ପୁରୁଣା ଡିଭାଇସ୍ ସମ୍ପୂର୍ଣ୍ଣ ଅଚଳ ହୋଇଯାଇଥିଲେ ଏବଂ ମରାମତି କରିବା ସମ୍ଭବ ନଥିଲେ ନୂଆ ଡିଭାଇସ୍ ଦିଆଯାଇପାରିବ ।
- ଏହି ନୀତି କେବଳ କେନ୍ଦ୍ର ସରକାରଙ୍କ ମନ୍ତ୍ରଣାଳୟ, ବିଭାଗ ଓ ସେମାନଙ୍କ ଅଧୀନସ୍ଥ କାର୍ଯ୍ୟାଳୟ ପାଇଁ ଲାଗୁ ହେବ ।
- ରାଜ୍ୟ ସରକାରୀ କର୍ମଚାରୀ, ସରକାରୀ ଉଦ୍ୟୋଗ (PSU) ଓ ଘରୋଇ ପରାମର୍ଶଦାତାମାନେ ଏହି ନୀତିର ପରିସରଭୁକ୍ତ ନୁହନ୍ତି ।

ମୋଟାମୋଟି କହିବାକୁ ଗଲେ, କେନ୍ଦ୍ର ସରକାରଙ୍କ ଏହି ନୂଆ ଡିଭାଇସ୍ ନୀତି ଯୋଗ୍ୟ ଅଧିକାରୀଙ୍କୁ ଉନ୍ନତ ଡିଜିଟାଲ୍ ସୁବିଧା ଯୋଗାଇବା ସହ ୪ ବର୍ଷ ପରେ ଡିଭାଇସ୍‌ର ମାଲିକାନା ନିଜ ପାଖରେ ରଖିବାର ସୁଯୋଗ ଦେବ ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: