ଆହୁରି ଶକ୍ତିଶାଳୀ ହେବ ଭାରତୀୟ ନୌସେନା, ଥରିଲେଣି ଶତ୍ରୁ

ବଢିବ ଭାରତୀୟ ନୌସେନାର ବଳ । ସାମିଲ ହେବ ନୌସେନା ରାଫେଲ୍ ଯୁଦ୍ଧ ବିମାନ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ ସୁରକ୍ଷା କମିଟି ବିମାନ ବାହକ ଆଇଏନଏସ ବିକ୍ରାନ୍ତରେ ନିୟୋଜିତ କରିବା ପାଇଁ ପ୍ରାୟ ୬୪ ହଜାର କୋଟି ମୂଲ୍ୟରେ ଫ୍ରାନ୍ସରୁ ୨୬ଟି ନୌସେନା ରାଫେଲ୍ ଯୁଦ୍ଧ ବିମାନ କ୍ରୟ କରିବା ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି ।
ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ଏହି ଚୁକ୍ତି ସ୍ୱାକ୍ଷର ହେବାର ପ୍ରାୟ ପାଞ୍ଚ ବର୍ଷ ପରେ ଏହି ଜେଟ୍ ଭାରତକୁ ମିଳିବ । ଚୁକ୍ତି ଅନୁଯାୟୀ, ଭାରତୀୟ ନୌସେନା ରାଫେଲ୍ ଜେଟ୍ ନିର୍ମାତା ଡାସଲ୍ଟ ଆଭିଏସନ୍ ଠାରୁ ଅସ୍ତ୍ରଶସ୍ତ୍ର ପ୍ରଣାଳୀ ଏବଂ ସ୍ପେୟାର ସମେତ ଜଡ଼ିତ ଆନୁସଙ୍ଗିକ ଉପକରଣ ମଧ୍ୟ ପାଇବ। ଏହା ସହିତ ଭାରତୀୟ ବାୟୁସେନା ଫ୍ରାନ୍ସଠାରୁ ୩୬ଟି ରାଫେଲ ଯୁଦ୍ଧ ବିମାନ କିଣିଛି। ଗତ କିଛି ବର୍ଷରେ ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ପ୍ରତିରକ୍ଷା ଏବଂ ରଣନୈତିକ ସମ୍ପର୍କ ବୃଦ୍ଧି ପାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଭାରତୀୟ ନୌସେନାକୁ ୨୨ଟି ସିଙ୍ଗଲ ସିଟର ଜେଟ୍ ଓ ୪ଟି ଟ୍ୱିନ୍ ସିଟର ଭାରିଆଣ୍ଟ ସହ ଫ୍ଲିଟ୍ ରକ୍ଷଣାବେକ୍ଷଣ, ଲଜିଷ୍ଟିକ୍ ସପୋର୍ଟ, କର୍ମଚାରୀ ପ୍ରଶିକ୍ଷଣ ଓ ସ୍ୱଦେଶୀ ଉତ୍ପାଦନ ପାଇଁ ଏକ ବିସ୍ତୃତ ପ୍ୟାକେଜ୍ ମିଳିବ। ଏହି ଚୁକ୍ତିରେ ନୌସେନା କର୍ମଚାରୀଙ୍କ ପାଇଁ ପ୍ରଶିକ୍ଷଣ ମଧ୍ୟ ଅନ୍ତର୍ଭୁକ୍ତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଗଠିତ କ୍ୟାବିନେଟ୍ କମିଟି ଅନ୍ ସିକ୍ୟୁରିଟି (ସିସିଏସ୍) ଏହି ଚୁକ୍ତିକୁ ଅନୁମୋଦନ ଦେଇଛି।
ରାଫେଲ ମରିନ୍ (ସାମୁଦ୍ରିକ) ଜେଟ୍ ଭାରତର ସ୍ୱଦେଶୀ ବିମାନବାହୀ ଜାହାଜରେ ମୁତୟନ ହେବ ଏବଂ ଆମ ନୌସେନାର ବାୟୁ ଶକ୍ତିକୁ ଯଥେଷ୍ଟ ବୃଦ୍ଧି କରିବ। ପାଖାପାଖି ୪ ବର୍ଷ ମଧ୍ୟରେ ରାଫେଲ ସାମୁଦ୍ରିକ ଯୁଦ୍ଧ ବିମାନ ଯୋଗାଣ ଆରମ୍ଭ ହେବ ବୋଲି ଆକଳନ କରାଯାଇଥିବା ବେଳେ ୨୦୨୯ ଶେଷ ସୁଦ୍ଧା ନୌସେନାକୁ ପ୍ରଥମ ବ୍ୟାଚ୍ ମିଳିବ ଏବଂ ୨୦୩୧ ସୁଦ୍ଧା ସମସ୍ତ ଯୁଦ୍ଧ ବିମାନ ମିଳିବାର ସମ୍ଭାବନା ରହିଛି।
ଏହା ମିଳିବା ପରେ ଏହି ଜେଟ୍ଗୁଡ଼ିକ ଭାରତର ବିମାନବାହୀ ଜାହାଜ ଆଇଏନ୍ଏସ୍ ବିକ୍ରମାଦିତ୍ୟ ଓ ଆଇଏନ୍ଏସ୍ ବିକ୍ରାନ୍ତରୁ ଉଡ଼ାଣ ଭରିବ, ଯାହା କି ପୁରୁଣା ମିଗ୍-୨୯କେ ଫ୍ଲିଟ୍ର ସ୍ଥାନ ନେବ। ରାଫେଲ୍ ଚୁକ୍ତି ବ୍ୟତୀତ ପ୍ରୋଜେକ୍ଟ-୭୫ ଅଧୀନରେ ୩ଟି ଅତିରିକ୍ତ ସ୍କର୍ପିନ୍ ଶ୍ରେଣୀର ବୁଡ଼ାଜାହାଜ ନିର୍ମାଣ କରି ଭାରତ ନିଜର ଅଣ୍ଡରୱାଟର ଯୁଦ୍ଧ କ୍ଷମତାକୁ ସୁଦୃଢ଼ କରିବାକୁ ଯାଉଛି।
📱 Get Argus News App
✨ତେବେ ଭାରତର ଏଭଳି ପଦକ୍ଷେପ ଦେଖି ପଡ଼ୋଶୀ ଦେଶମାନଙ୍କ ମନରେ ଛନକା ପଶିଲାଣି । ପଡ଼ୋଶୀ ଚୀନ୍ ଏବଂ ପାକିସ୍ତାନ ଏନେଇ ଚିନ୍ତା ପ୍ରକଟ କଲାଣି ।