Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଅନ୍‌ଲାଇନରେ ଅଶ୍ଳୀଳ କଣ୍ଟେଣ୍ଟ ରୋକିବାକୁ କେନ୍ଦ୍ରକୁ ନିର୍ଦ୍ଦେଶ

Ritu Das
Browse all articles by Ritu Das
·1 year ago·2 min read
ଅନ୍‌ଲାଇନରେ ଅଶ୍ଳୀଳ କଣ୍ଟେଣ୍ଟ ରୋକିବାକୁ କେନ୍ଦ୍ରକୁ ନିର୍ଦ୍ଦେଶ

ୟୁଟ୍ୟୁବ୍‌ ଏବଂ ଅନ୍ୟାନ୍ୟ ସୋସିଆଲ୍‌ ମିଡିଆ ପ୍ଲାଟ୍‌ଫର୍ମଗୁଡ଼ିକରେ ‘ଅଶ୍ଳୀଳ କଣ୍ଟେଣ୍ଟ’ ପୋଷ୍ଟ ହେଉଥିବାରୁ ସେଗୁଡ଼ିକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ବିଚାର କରନ୍ତୁ ବୋଲି ସୁପ୍ରିମକୋର୍ଟ ମଙ୍ଗଳବାର ଆହ୍ବାନ ଦେଇଛନ୍ତି। କେତେକ ଚ୍ୟାନେଲ୍‌ ଏହି ପ୍ଲାଟ୍‌ଫର୍ମଗୁଡ଼ିକର ଦୁରୁପଯୋଗ କରୁଥିବାରୁ ସର୍ବୋଚ୍ଚ ଅଦାଲତ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଇଣ୍ଡିଆସ୍‌ ଗଟ୍‌ ଲାଟେଣ୍ଟ ଶୋ’ରେ ଅତିଥି ଭାବେ ଯୋଗଦେଇଥିବା ୟୁଟ୍ୟୁବର ତଥା ପଡ୍‌କାଷ୍ଟର ରଣବୀର ଆଲ୍ଲାହାବାଦିଆଙ୍କ ମନ୍ତବ୍ୟକୁ ନେଇ ବିବାଦ ସୃଷ୍ଟି ହୋଇଥିବାବେଳେ ସୁପ୍ରିମକୋର୍ଟ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି। ୟୁଟ୍ୟୁବ୍‌ରେ ଅଶ୍ଳୀଳ ମନ୍ତବ୍ୟ ସମ୍ପର୍କରେ ଅଦାଲତ କେନ୍ଦ୍ର ସରକାରଙ୍କୁ ଜବାବ ମାଗିଛନ୍ତି। ସୋସିଆଲ୍‌ ମିଡିଆରେ ବିବାଦୀୟ କଣ୍ଟେଣ୍ଟ ରୋକିବା ଦିଗରେ ସରକାର କିଛି କଲେ ଆମେ ଖୁସି ହେବୁ। ସରକାର ଆଇନ ନ ଆଣିଲେ, ତଥାକଥିତ ୟୁଟ୍ୟୁବ୍‌ ଚ୍ୟାନେଲ୍‌ ଏବଂ ୟୁଟ୍ୟୁବରମାନଙ୍କ ଦ୍ୱାରା ହେଉଥିବା ଦୁରୁପଯୋଗକୁ ଆମେ ଫାଙ୍କା ଛାଡ଼ିବାକୁ ଦେବୁନାହୁଁ ବୋଲି ଜଷ୍ଟିସ୍‌ ସୂର୍ଯ୍ୟକାନ୍ତ ଏବଂ ଏନ୍‌. କୋଟିଶ୍ୱର ସିଂଙ୍କ ଖଣ୍ଡପୀଠ କହିଛନ୍ତି।


ଏଥିସହିତ ଖଣ୍ଡପୀଠ ଉକ୍ତ ମାମଲାରେ ଅତିରିକ୍ତ ସଲିସିଟର ଜେନେରାଲ ଐଶ୍ୱର୍ଯ୍ୟା ଭଟିଙ୍କ ସହଯୋଗ ଲୋଡ଼ିଛନ୍ତି। ବିଅରବିସେପ୍ସ ଭାବେ ଲୋକପ୍ରିୟ ଆଲ୍ଲାହାବାଦିଆ ସମୟ ରାଇନାଙ୍କ ଦ୍ୱାରା ଆୟୋଜିତ ଶୋ’ରେ ଯୋଗଦେଇ ମାତାପିତା ଓ ଯୌନସମ୍ପର୍କ ଉପରେ ମନ୍ତବ୍ୟ ଦେଇଥିଲେ। ଏହି ବିବାଦୀୟ ମନ୍ତବ୍ୟ ତାଙ୍କୁ ଅଡ଼ୁଆରେ ପକାଇଛି। ତାଙ୍କ ବିରୋଧରେ ଅନେକ ଏତଲା ଦାଏର ହୋଇଥିବାବେଳେ ସେଗୁଡ଼ିକୁ ଏକାଠି ଗୋଟିଏ ଅଦାଲତରେ ଶୁଣାଣି କରାଇବା ପାଇଁ ସେ ସୁପ୍ରିମକୋର୍ଟରେ ଆବେଦନ କରିବା ସହ ଗିରଫରୁ ଅନ୍ତରୀଣ ମୁକ୍ତି ପାଇଁ ନିବେଦନ କରିଥିଲେ। ସର୍ବୋଚ୍ଚ ଅଦାଲତ ତାଙ୍କୁ ଗିରଫଦାରିରୁ ସୁରକ୍ଷା ପ୍ରଦାନ କରିଛନ୍ତି। ଏଥିସହିତ ତଦନ୍ତରେ ସହାୟତା କରିବାକୁ ତାଙ୍କୁ କୁହାଯାଇଛି। ଏକ ଏପିସୋଡ୍‌କୁ ନେଇ ଜାତୀୟ ପୁରସ୍କାରପ୍ରାପ୍ତ ଆଲ୍ଲାହାବାଦିଆଙ୍କ ବିରୋଧରେ ଅତିରିକ୍ତ ଏତଲା ଦାଏର ହେବା ଉଚିତ ନୁହେଁ। ପୋଲିସ ନିକଟରେ ପାସ୍‌ପୋର୍ଟ ସମର୍ପଣ କରିବା ପାଇଁ ତାଙ୍କୁ ନିର୍ଦ୍ଦେଶ ଦିଆଯିବା ସହ ଅଦାଲତଙ୍କ ବିନା ଅନୁମତିରେ ଦେଶ ଛାଡ଼ି ନ ଯିବାକୁ କୁହାଯାଇଛି। ଏଥିସହିତ ଆଲ୍ଲାବାଦିଆ ଓ ତାଙ୍କ ଦଳକୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଶୋ’ ପ୍ରସାରଣ ନ କରିବାକୁ କୁହାଯାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Centre directed to curb obscene content online | Argus News