Videos
|
National

ଚାରିଧାମ ଯାତ୍ରାରେ ରିଲ୍ ମନା, ଟଙ୍କା ଦେଇ କରି ପାରିବେନି VIP ଦର୍ଶନ

Sushanta Sahoo
Browse all articles by Sushanta Sahoo
·1 year ago·2 min read
ଚାରିଧାମ ଯାତ୍ରାରେ ରିଲ୍ ମନା, ଟଙ୍କା ଦେଇ କରି ପାରିବେନି VIP ଦର୍ଶନ

ଏପ୍ରିଲ୍ ୩୦ରୁ ଉତ୍ତରାଖଣ୍ଡରେ ଆରମ୍ଭ ହେଉଛି ଚାରିଧାମ ଯାତ୍ରା । ତେବେ ଚଳିତଥର ଚାରିଧାମ ଯାତ୍ରାରେ ରିଲ୍, ଭିଡିଓ ପ୍ରସ୍ତୁତ କରିବା ଏବଂ ୟୁଟ୍ୟୁବର୍ସଙ୍କୁ ରୋକିବା ପାଇଁ ପ୍ରସ୍ତୁତି କରାଯାଇଛି । କେଦାରନାଥ-ବଦ୍ରିନାଥ ପଣ୍ଡା ସମାଜ ନିଷ୍ପତ୍ତି ନେଇଛନ୍ତି ଚଳିତଥର ମନ୍ଦିର ପରିସରକୁ ୟୁଟ୍ୟୁବର୍ସଙ୍କୁ ପ୍ରବେଶ ଦେବେ ନାହିଁ । କେହି ଭିଡିଓ କରୁଥିବା ଦେଖିଲେ ତାଙ୍କୁ ବିନା ଦର୍ଶନରେ ଫେରାଇ ଦିଆଯିବ । ଏନେଇ ପଣ୍ଡା ସମାଜ ପ୍ରଶାସନକୁ ଅବଗତ କରାଇଛି ।


କେଦାରନାଥ ସଭାର ଅଧ୍ୟକ୍ଷ ରାଜକୁମାର ତିୱାରୀ କହିଛନ୍ତି, ଗତବର୍ଷ ରିଲ୍ କରୁଥିବା ଲୋକଙ୍କ ଲାଗି ଅନେକ ଅବ୍ୟବସ୍ଥା ସୃଷ୍ଟି ହୋଇଥିବା ପରିଲକ୍ଷିତ ହୋଇଥିଲା । ସମୁଦ୍ର ପୃଷ୍ଠରୁ ୧୨ ହଜାର ଫୁଟ୍ ଉପରେ ଥିବା କେଦାରନାଥରେ ବିଭିନ୍ନ ବ୍ୟବସ୍ଥା କେବଳ ରିଲ୍ କରିବାକୁ କରା ଯାଇଥିଲା । ଯେଉଁଥିରେ ଢୋଲ ଓ ଅନ୍ୟ ବାଦ୍ୟଯନ୍ତ୍ର ରହିଥିଲା ।
ଯାତ୍ରା ଆରମ୍ଭର ୧୦ରୁ ୧୨ ଦିନ ପର୍ଯ୍ୟନ୍ତ ଶିବଲୋକ ପର୍ବତମାଳାରେ ଏହି ସ୍ଵର ଗୁଞ୍ଜରିତ ହେଉଥିଲା । ତେବେ ଏଠାକାର ପରିବେଶ ପାଇଁ ସେଭଳି ଶବ୍ଦ ବା ଧ୍ଵନି ଉପଯୁକ୍ତ ନୁହେଁ । ତେଣୁ କରି ଚଳିତ ଆମେ ଏଠାରେ କ୍ୟାମେରା ଅନ୍ କରିବାକୁ ଦେବୁ ନାହିଁ ।


ସେହିଭଳି ଟଙ୍କା ଦେଇ ଭିଆଇପି ଦର୍ଶନ ମଧ୍ୟ ବନ୍ଦ ରହିବ । ବଦ୍ରିନାଥ ଧାମର ପଣ୍ଡା ପଞ୍ଚାୟତ କୋଷାଧ୍ୟକ୍ଷ ଅଶୋକ ଟେଡରିୟା କହିଛନ୍ତି, ଟଙ୍କା ନେଇ ଦର୍ଶନ କରାଇବା ଭଗବାନଙ୍କ ମର୍ଯ୍ୟାଦା ବିରୋଧରେ । ଏପ୍ରିଲ୍ ୩୦ରୁ ଯାତ୍ରା ଆରମ୍ଭ ହେଉଥିବା ବେଳେ ପ୍ରଥମେ ଗଙ୍ଗୋତ୍ରୀ ଓ ଯମୁନୋତ୍ରୀ ଧାମର କପାଟ ଖୋଲିବ । ଏହା ପରେ ମେ ୨ରେ ଖୋଲିବ କେଦାରନାଥ ଧାମର କପାଟ ।


ଶେଷରେ ମେ ୪ରେ ବିଧି ବିଧାନ ଅନୁସାରେ, ଭଗବାନ ବଦ୍ରିନାଥ ଧାମର କପାଟ ଶ୍ରଦ୍ଧାଳୁଙ୍କ ଲାଗି ଖୋଲି ଦିଆଯିବ । ଏଥିସହ ପୂର୍ଣ୍ଣ ଭାବରେ ଆରମ୍ଭ ହେବ ଚାରିଧାମ ଯାତ୍ରା । ଯାତ୍ରା ସମୟରେ ପ୍ରତିକୂଳ ପାଗକୁ ଦେଖି ଶ୍ରଦ୍ଧାଳୁଙ୍କୁ ଅଟକାଇବା ଲାଗି ୧୦ଟି ସ୍ଥାନରେ ହୋଲ୍ଡିଂ ପଏଣ୍ଟ କରାଯାଇଛି । ହରିଦ୍ଵାର, ଋଷିକେଶ, ବ୍ୟାସି, ଶ୍ରୀନଗର, ରୁଦ୍ରପ୍ରୟାଗ, ସୋନପ୍ରୟାଗ, ବିକାଶନଗର, ବଡ଼କୋଟ ଓ ଭଟୱାଡ଼ିରେ ହୋଇଛି ହୋଲ୍ଡିଂ ସ୍ଥଳ । ଏ ସବୁ ସ୍ଥାନରେ ପାନୀୟ ଜଳ ସହ ଶୌଚାଳୟ, ରାତ୍ରୀ ରହଣୀ, ଔଷଧ ଏବଂ ଖାଦ୍ୟ ବ୍ୟବସ୍ଥା କରାଯିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସମ୍ପୂର୍ଣ୍ଣ ଯାତ୍ରାକୁ ୧୦-୧୦ କିଲୋମିଟର ବ୍ୟବଧାନରେ ସେକ୍ଟରରେ ବିଭକ୍ତ କରାଯାଇଛି । ପ୍ରତି ସେକ୍ଟରରେ ୬ ପୋଲିସ କର୍ମଚାରୀ ରହିବେ । ପୋଲିସ ବାଇକ୍ ଧରି ରହିବା ସହ ଶ୍ରଦ୍ଧାଳୁଙ୍କୁ ସହାୟତା କରିବେ । ଏବେ ସୁଦ୍ଧା ଚାରିଧାମ ଯାତ୍ରା ଲାଗି ୯ ଲକ୍ଷ ଶ୍ରଦ୍ଧାଳୁ ପଞ୍ଜୀକରଣ କରିଛନ୍ତି । ଯାତ୍ରା ଆରମ୍ଭ ପରେ ହରିଦ୍ଵାର ଓ ଋଷିକେଶରେ ଅଫଲାଇନ୍ ପଞ୍ଜୀକରଣ ଆରମ୍ଭ ହେବ ।