ଲାଲବାହିନୀକୁ ଶକ୍ତ ଝଟ୍କା : ମୁଣ୍ଡ ଗଡିଲା...

ଅର୍ଗସ ବ୍ୟୁରୋ: ଲାଲଗଡ଼ରେ ଲାଲବାହିନୀଙ୍କୁ ବଡ଼ ଝଟକା । ଯବାନଙ୍କ ଗୁଳିରେ ୩ ହାର୍ଡକୋର୍ ମହିଳା ମାଓବାଦୀ ମୃତ। ମାଲକାନଗିରି ସୀମାନ୍ତ ଛତିଶଗଡର ନାରାୟଣପୁର ଓ କଙ୍କେର ସୀମାରେ ଏକାଧିକ ହର୍ଡକୋର୍ ମାଓବାଦୀ କ୍ୟାମ୍ପ କରିଥିଲେ । ଖବର ପାଇ BSF, DRG, STFଙ୍କ ପକ୍ଷରୁ ଗତ ୨୭ ତାରିଖରୁ କୁମ୍ବିଂ ଅପରେସନ୍ ଚାଲିଥିଲା । ଏହି ସମୟରେ ଯବାନ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇ ୩ ମହିଳା ମାଓବାଦୀ ନିହତ ହୋଇଛନ୍ତି । ସମସ୍ତେ ମାଓବାଦୀ ଉତ୍ତର ବସ୍ତର ଡିଭିଜନର ACM ଓ PLGA କମ୍ପାନୀ ନଂ ୫ର । ମୃତ ମାଓବାଦୀ ଲକ୍ଷ୍ମୀ, ସବିତା ଓ ସାନ୍ତା । ଏମାନଙ୍କ ମଧ୍ୟରୁ ଲକ୍ଷ୍ମୀ ମାଲକାନଗିରି ଜିଲ୍ଲା ନିବାସୀ ହୋଇଥିବାବେଳେ ତା ଉପରେ ଓଡ଼ିଶା ସରକରଙ୍କ ପକ୍ଷରୁ ୮ ଲକ୍ଷ ଟଙ୍କା ଇନାମ୍ ଘୋଷଣା ରହିଥିଲା ।
ସେହିପରି ସବିତା ଓ ଶାନ୍ତା ଉପରେ ଛତିଶଗଡ ସରକାରଙ୍କ ପକ୍ଷରୁ ୫ ଲକ୍ଷ ଲେଖାଏଁ ଇନାମ ଘୋଷଣା କରାଯାଇଥିଲା । ଘଟଣାସ୍ଥଳରୁ ଗୋଟିଏ ଥ୍ର ନଟ୍ ଥ୍ରୀ ରାଇଫଲ୍, ୨ଟି ୩୧୫ ରାଇଫଲ୍ ଓ ଗୋଟିଏ BGL ଲଞ୍ଚର୍ ଜବତ ହୋଇଛି । ସେପଟେ ମାଲକାନଗିରି ଭେଜାଙ୍ଗିୱାଡା ସଂରକ୍ଷିତ ଜଙ୍ଗଲରେ ବିଏସଏଫର ୧୪୧ ବାଟାଲିୟନକୁ ବଡ଼ ସଫଳତା । କାଳିମେଳା ଥାନା ତେଲେରାଇ ପଞ୍ଚାୟତ ଦୟାଲ ତୁଙ୍ଗି ଗାଁ ଜଙ୍ଗଲର ପଥର ଗୁମ୍ଫାରୁ ଜବତ ହୋଇଛି ବିପୁଳ ମାଓ ସାମଗ୍ରୀ । ତିନି କେଜି ଓଜନର ୨ଟି ଟିଫିନ୍ ଆଇଡି, ୬୨ଟି ଜିଲୋଟିନ୍ ଷ୍ଟିକ୍, ୨ଟି ୧୨ ଭୋଲ୍ଟ ବ୍ୟାଟେରୀ ଓ ମାଓ ପୋଷ୍ଟର୍ ଜବତ ହୋଇଛି ।
ତେବେ କେନ୍ଦ୍ରୀୟ ସୁରକ୍ଷା ବାହିନୀ ଓ ଛତିଶଗଡ ରାଜ୍ୟ ସୁରକ୍ଷା ବାହିନୀଙ୍କ ମିଳିତ ଅପରେସନରେ ଚଳିତ ବର୍ଷ ବର୍ତ୍ତମାନ ପର୍ଯ୍ୟନ୍ତ ୧୪୩ ମାଓବାଦୀଙ୍କୁ ଏନକାଉଣ୍ଟରରେ ହତ୍ୟା କରାଯାଇଥିବାବେଳେ ୫୯୬ ମାଓବାଦୀଙ୍କୁ ଗିରଫ କରାଯାଇଛି । ସେହିଭଳି ୫୯୯ ଜଣ ମାଓବାଦୀ ବର୍ତ୍ତମାନ ପର୍ଯ୍ୟନ୍ତ ଆତ୍ମସମର୍ପଣ କରିଛନ୍ତି । ଗତ କିଛି ଦିନ ତଳେ ମାଓ ଦମନ ନେଇ ଛତିଶଗଡ଼ ରାୟପୁରରେ ବୈଠକ କରିଥିଲେ ଗୃହମନ୍ତ୍ରୀ ଅମିତ ଶାହ ।