ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବଡ଼ ଘୋଷଣା; ମୃତକଙ୍କ ପରିବାରକୁ ଦିଆଯିବ ୨୫ ଲକ୍ଷ ଟଙ୍କାର କ୍ଷତିପୂରଣ

ଅର୍ଗସ ବ୍ୟୁରୋ: ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳାରେ ଘଟିଥିବା ଦଳାଚକଟାରେ ୩୦ରୁ ଊର୍ଦ୍ଧ୍ୱ ପ୍ରାଣ ହରାଇଥିବାବେଳେ ୬୦ରୁ ଅଧିକ ଆହତ ହୋଇଛନ୍ତି। ତେବେ ଏହି ଘଟଣାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଃଖଦ କହିବା ସହ ମୃତ ଶ୍ରଦ୍ଧାଳୁଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ସହାୟତା ଦେବାକୁ ଘୋଷଣା କରିଛନ୍ତି। ଏଥିସହ ଘଟଣାର ତଦନ୍ତ ଲାଗି ସେ ନିର୍ଦ୍ଦେଶ ଦେଇଛନ୍ତି। ପ୍ରୟାଗରାଜରେ ପ୍ରବଳ ଭିଡ଼ ଯୋଗୁ ସମସ୍ତ ରାସ୍ତା ବନ୍ଦ ଥିଲା। ପରିସ୍ଥିତିକୁ ସ୍ବାଭାବିକ କରିବା ଏବଂ ରାସ୍ତା ଖୋଲିବା ପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ସତର୍କତାର ସହିତ କାର୍ଯ୍ୟ କରିଥିଲା। ସେ କହିଥିଲେ ଯେ ମେଳା କର୍ତ୍ତୃପକ୍ଷଙ୍କ ଅନୁରୋଧରେ ଆଖଡ଼ାମାନେ ସେମାନଙ୍କର ସ୍ନାନ ସ୍ଥଗିତ ରଖିଥିଲେ।
ଅପରାହ୍ନରେ ସ୍ନାନ ଆରମ୍ଭ ହୋଇଥିଲା ଯେଉଁଥିରେ ସମସ୍ତେ ଅମୃତ ସ୍ନାନ କରିଥିଲେ। ତେବେ ଆଖରା ମାର୍ଗରେ ହୋଇଥିବା ଦୁର୍ଘଟଣା ଅତ୍ୟନ୍ତ ଦୁଃଖଦ ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି। ଏହାଛଡ଼ା ପ୍ରବଳ ଭିଡ଼ ଯୋଗୁ ଏହି ଦୁର୍ଘଟଣା ଘଟିଛି। ଆଜି ପ୍ରାୟ ୮ କୋଟି ଭକ୍ତ ଅମୃତ ସ୍ନାନ କରିଛନ୍ତି। ପ୍ରୟାଗରାଜ ଆଖପାଖ ଜିଲାଗୁଡ଼ିକରେ ଭକ୍ତମାନଙ୍କୁ ଅଟକାଯାଇଥିଲା। ସମସ୍ତ ଆଖଡ଼ା ସ୍ନାନ କରିବା ପରେ, ଲୋକମାନଙ୍କୁ ମହାକୁମ୍ଭକୁ ଆସିବାକୁ ଅନୁମତି ଦିଆଯାଇଛି। କୁମ୍ଭ ମେଳାରେ ଦଳାଚକଟା ଘଟଣାର ତଦନ୍ତ ପାଇଁ ଏକ ତିନି ସଦସ୍ୟ ବିଶିଷ୍ଟ ନ୍ୟାୟିକ କମିଶନ ଘୋଷଣା କରାଯାଇଛି। ସୂଚନାଯୋଗ୍ୟ, ବୁଧବାର ଭୋର ସମୟରେ ମୌନୀ ଅମାବାସ୍ୟା ପାଇଁ କୋଟି କୋଟି ଶ୍ରଦ୍ଧାଳୁ ବୁଡ଼ ପକାଇବାକୁ ସଙ୍ଗମସ୍ଥଳକୁ ଯାଇଥିବାବେଳେ ଦଳାଚକଟା ହୋଇଥିଲା।