Dadasaheb Phalke Award / ଅଭିନେତା ମୋହନଲାଲଙ୍କୁ ବଡ଼ ପୁରସ୍କାର

Key Points
ଗତ ବର୍ଷ, ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ୨୦୨୨ ବର୍ଷ ପାଇଁ ଦାଦା ସାହେବ ଫାଲକେ ଜୀବନବ୍ୟାପୀ ସାଧନା ପୁରସ୍କାର ପ୍ରଦାନ କରାଯାଇଥିଲା।
ମାଲାୟାଲମ୍ ସୁପରଷ୍ଟାର ମୋହନଲାଲଙ୍କୁ ବଡ଼ ପୁରସ୍କାର । ଭାରତୀୟ ସିନେମାରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଦାଦାସାହେବ ଫାଲକେ ପୁରସ୍କାରରେ କରାଯିବ ସମ୍ମାନିତ । ସେପ୍ଟେମ୍ବର ୨୩ରେ ୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହରେ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ। ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଶନିବାର ଏହି ଘୋଷଣା କରିଛି । ୨୦୨୩ ମସିହା ପାଇଁ ତାଙ୍କୁ ଏହି ଦାଦା ସାହେବ ଫାଲକେ ପୁରସ୍କାର ପ୍ରଦାନ କରାଯିବ।
ଏହି ଖବର ସାମ୍ନାକୁ ଆସିବା ପରେ ତାଙ୍କ ସମର୍ଥକମାନେ ଉତ୍ସବ ପାଳିବା ଆରମ୍ଭ କରିଛନ୍ତି । ପରସ୍ପରକୁ ମିଠା ଖୁଆଇ ସେମାନେ ଖୁସି ମନେଇଛନ୍ତି । ଏମିତିକି ମୋହନଲାଲଙ୍କ ପରିବାରରେ ମଧ୍ୟ ଖୁସି ଦେଖିବାକୁ ମିଳିଛି ।
ଭାରତୀୟ ସିନେମାରେ ମୋହନଲାଲଙ୍କର ପ୍ରତୀକାତ୍ମକ ଅବଦାନ ପାଇଁ ଏହି କିମ୍ବଦନ୍ତୀ ଅଭିନେତା, ନିର୍ଦ୍ଦେଶକ ଏବଂ ପ୍ରଯୋଜକଙ୍କୁ ସମ୍ମାନିତ କରାଯାଉଛି," ମନ୍ତ୍ରଣାଳୟ ପକ୍ଷରୁ ସୋସିଆଲ ମିଡିଆ ଏକ୍ସରେ ଏହି ସୂଚନା ଦିଆଯାଇଛି। ଗତ ବର୍ଷ, ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ୨୦୨୨ ବର୍ଷ ପାଇଁ ଦାଦା ସାହେବ ଫାଲକେ ଜୀବନବ୍ୟାପୀ ସାଧନା ପୁରସ୍କାର ପ୍ରଦାନ କରାଯାଇଥିଲା।
ତେବେ ପୂର୍ବରୁ ମୋହନଲାଲ ଶ୍ରେଷ୍ଠ ଅଭିନେତା ପାଇଁ ଦୁଇ ଥର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି । ଏମିତିକି ସେ ସାଢ଼େ ଚାରି ଦଶନ୍ଧିରୁ ଅଧିକ ସମୟ ଧରି ଦର୍ଶକଙ୍କୁ ମନୋରଞ୍ଜନର ଭରପୁର ଖୋରାକ ଦେଇଆସୁଛନ୍ତି। ଭାରତୀୟ ଦର୍ଶକଙ୍କ ମନରେ ସେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି ।
ଏକ ଆକର୍ଷଣୀୟ ଏବଂ ବହୁମୁଖୀ ପ୍ରତିଭା ଥିବା ମୋହନଲାଲ ଦର୍ଶକଙ୍କ ପ୍ରିୟ ହୋଇ ପାରିଛନ୍ତି। କେରଳରୁ ତାମିଲ, ତେଲୁଗୁ, କନ୍ନଡ଼ ଏବଂ ହିନ୍ଦୀ ସିନେମା ସହିତ ମୋହନଲାଲ ୩୫୦ ରୁ ଅଧିକ ଚରିତ୍ରରେ ଅଭିନୟ କରିଛନ୍ତି। ପ୍ରତ୍ୟେକ ଚରିତ୍ରରେ ସେ ନିଜର ଏକ ଛାପ ଛାଡିଛନ୍ତି । ସ୍ନେହରେ ଲୋକେ ତାଙ୍କୁ 'ଲାଲେଟନ୍' ଡାକିଥାନ୍ତି।