କଂଗ୍ରେସ ନେତ୍ରୀଙ୍କ ପାଗଳାମୀ ନା ପିଲାଳିଆମି ?

କଂଗ୍ରେସ ନେତ୍ରୀଙ୍କ ପାଗଳାମୀ । ରୋହିତ ଶର୍ମାଙ୍କୁ ମୋଟା କହି ତାତ୍ସଲ୍ୟ କରିଛନ୍ତି କଂଗ୍ରେସ ନେତ୍ରୀ । ଏହି ନେତ୍ରୀ ଜଣକ ହେଲେ ଡକ୍ଟର ଶାମା ମହମ୍ମଦ । ରବିବାର ଚାମ୍ପିଅନ୍ସ ଟ୍ରଫିରେ ଭାରତ-ନ୍ୟୁଜିଲ୍ୟାଣ୍ଡ ମ୍ୟାଚ୍ ପରେ ଶାମା ମହମ୍ମଦ ନିଜ ‘ଏକ୍ସ’ ହାଣ୍ଡେଲରେ ଲେଖିଛନ୍ତି ଯେ, 'ଜଣେ ଖେଳାଳି ଭାବରେ ରୋହିତ ଶର୍ମା ଖୁବ୍ ମୋଟା। ସେ ନିଜର ଓଜନ ହ୍ରାସ କରିବା ଆବଶ୍ୟକ । କିନ୍ତୁ ସେ ଆଜି ପର୍ଯ୍ୟନ୍ତ ଭାରତୀୟ କ୍ରିକେଟ ଟିମ୍ର ଅଧିନାୟକଙ୍କ ମଧ୍ୟରେ ସବୁଠାରୁ ପ୍ରଭାବଶାଳୀ ଅଧିନାୟକ, ଏଥିରେ ସନ୍ଦେହ ନାହିଁ।'
ଡାଃ ଶାମାଙ୍କ ଏହି ମନ୍ତବ୍ୟ ଉପରେ ଯେତେବେଳେ ଜଣେ ପାକିସ୍ତାନୀ ସାମ୍ବାଦିକ ରୋହିତ ଶର୍ମାଙ୍କୁ ବିଶ୍ୱ ସ୍ତରୀୟ ଖେଳାଳି ବୋଲି ବର୍ଣ୍ଣନା କରିଥିଲେ, ସେତେବେଳେ ଶାମା ଉତ୍ତର ଦେଇଥିଲେ ଯେ, ‘ଗାଙ୍ଗୁଲି, ତେନ୍ଦୁଲକର, ଦ୍ରାବିଡ଼, ଧୋନି, କୋହଲି, କପିଲ ଦେବ, ଶାସ୍ତ୍ରୀଙ୍କ ଭଳି ପୂର୍ବତନ ଅଧିନାୟକଙ୍କ ତୁଳନାରେ ରୋହିତଙ୍କ ପାଖରେ କ’ଣ ବିଶ୍ୱ ସ୍ତରୀୟ ଅଛି ? ଜଣେ ସାଧାରଣ ଅଧିନାୟକ ହେବା ସହିତ ସେ ଜଣେ ସାଧାରଣ ଖେଳାଳି ଯିଏକି ଭାରତର ଅଧିନାୟକ ହେବାର ସୌଭାଗ୍ୟ ଲାଭ କରିଛନ୍ତି।
ଶାମା ମହମ୍ମଦଙ୍କ ଏଭଳି ବୟାନ ଭାଇରାଲ ହେବା ପରେ ସୋସିଆଲ ମିଡିଆରେ ତାଙ୍କୁ ଜବରଦସ୍ତ ଟ୍ରୋଲ କରାଯାଇଛି । ଭାରତୀୟ କ୍ରିକେଟ୍ ପ୍ରଶଂସକମାନେ ତାଙ୍କୁ ଭର୍ତ୍ସନା କରିବା ଆରମ୍ଭ କରିଛନ୍ତି। କେହି କେହି ରୋହିତ ଶର୍ମାଙ୍କ ରେକର୍ଡ ଉପରେ ଆଲୋଚନା କରିଛନ୍ତି ତ କେହି କେହି ଅଧିନାୟକ ଭାବରେ ତାଙ୍କର ବିଜୟ ରେକର୍ଡ ବଖାଣିଛନ୍ତି। କ୍ରିକେଟ୍ ପ୍ରଶଂସକଙ୍କ ଠାରୁ ଆରମ୍ଭ କରି ରାଜନୈତିକ ଦଳ ପର୍ଯ୍ୟନ୍ତ ରୋହିତ ଶର୍ମାଙ୍କ ଉପରେ ମନ୍ତବ୍ୟକୁ ନେଇ ତାଙ୍କୁ ସମାଲୋଚନା କରିଛନ୍ତି।
ଏସବୁ ଭିତରେ ବିଜେପି ମୁଖପାତ୍ର ପ୍ରଦୀପ ଭଣ୍ଡାରୀ କଂଗ୍ରେସକୁ ଜୋରଦାର ତାତ୍ସଲ୍ୟ କରିଛନ୍ତି । ସେ କହିଛନ୍ତି କଂଗ୍ରେସ ବୋଧ ହୁଏ ଏବେ ରାହୁଲ ଗାନ୍ଧୀଙ୍କୁ କ୍ରିକେଟ୍ ମଇଦାନକୁ ଓହ୍ଲାଇବାକୁ ଚାହୁଁଛି ? ରୋହିତ ଶର୍ମାଙ୍କ ପାଇଁ କଂଗ୍ରେସ ନେତ୍ରୀଙ୍କ ଏଭଳି ମନ୍ତବ୍ୟ ପ୍ରତ୍ୟେକ ଦେଶପ୍ରେମୀଙ୍କ ପ୍ରତି ଅପମାନ ବୋଲି କହିଛନ୍ତି ପ୍ରଦୀପ ଭଣ୍ଡାରୀ।
ସେପଟେ ଇଣ୍ଡିଆ ଆଲାଇନ୍ସ ପାର୍ଟି ‘ଶିବସେନା’ (ୟୁବିଟି) ର ସାଂସଦ ପ୍ରିୟଙ୍କା ଚତୁର୍ବେଦୀ ମଧ୍ୟ ଶାମା ମହମ୍ମଦଙ୍କ ମନ୍ତବ୍ୟକୁ ବିରୋଧ କରିଛନ୍ତି। ସେ ଏକ୍ସ'ରେ ଲେଖିଛନ୍ତି ଯେ, ମୁଁ କ୍ରିକେଟର ବଡ ପ୍ରଶଂସକ ନୁହେଁ। କିନ୍ତୁ ଖେଳରେ ମୋର ସୀମିତ ରୁଚି ଥିଲେ ମଧ୍ୟ ମୁଁ ଏତିକି କହିପାରିବି, ରୋହିତ ଶର୍ମା ମୋଟା ହୁଅନ୍ତୁ ବା ପତଳା, ସେ ଭାରତୀୟ ଦଳକୁ ନୂଆ ଉଚ୍ଚତାରେ ପହଞ୍ଚାଇଛନ୍ତି। ତାଙ୍କର ପ୍ରତିବଦ୍ଧତା ହିଁ ଗୁରୁତ୍ୱପୂର୍ଣ୍ଣ।
ଶାମା ମହମ୍ମଦଙ୍କ ମନ୍ତବ୍ୟକୁ ତୃଣମୂଳ କଂଗ୍ରେସ ସାଂସଦ ସୌଗତ ରୟ କିନ୍ତୁ ସମର୍ଥନ କରିଛନ୍ତି । ସୌଗତ ରୟ କହିଛନ୍ତି, ରୋହିତ ଶର୍ମା ଦଳରେ ରହିବା ଉଚିତ୍ ନୁହେଁ କିମ୍ବା ତାଙ୍କୁ ନେତୃତ୍ଵ ଦିଆଯିବା ଉଚିତ ନୁହେଁ। କଂଗ୍ରେସ ନେତ୍ରୀ ଯାହା କହିଛନ୍ତି, ତାହା ସମ୍ପୂର୍ଣ୍ଣ ଠିକ। ଶାମା ମହମ୍ମଦ ଜଣେ ରାଜନେତା ଭାବେ ନୁହେଁ ବରଂ ଦର୍ଶକ ଭାବରେ କହିଛନ୍ତି। ରୋହିତ ଶର୍ମାଙ୍କୁ କେତେ ଦିନ ପର୍ଯ୍ୟନ୍ତ ଛାଡ଼ ଦିଆଯିବ। ସେ ଦୁଇ ବର୍ଷରେ ଥରେ ଶତକ ହାସଲ କରିଛନ୍ତି।