Videos
|
National

୧୩ରେ ୱାୟନାଡ଼ ବାଇ-ଇଲେକ୍ସନ, ପ୍ରାର୍ଥୀ ହେବେ ପ୍ରିୟଙ୍କା !

Sarbeswar Mohapatra
Browse all articles by Sarbeswar Mohapatra
·1 year ago·3 min read
୧୩ରେ ୱାୟନାଡ଼ ବାଇ-ଇଲେକ୍ସନ, ପ୍ରାର୍ଥୀ ହେବେ ପ୍ରିୟଙ୍କା !

Key Points

  • ବାଜିଲା ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ବିଗୁଲ
  • ନଭେମ୍ବର ୧୩ରେ ୱାୟନାଡ଼ ବାଇ-ଇଲେକ୍ସନ
  • ପ୍ରିୟଙ୍କା ଗାନ୍ଧିଙ୍କ ପ୍ରାର୍ଥୀକୁ ନେଇ ବଢିଲା ଚର୍ଚ୍ଚା

ଅର୍ଗସ ବ୍ୟୁରୋ: ଅପେକ୍ଷାର ଅନ୍ତ ହେଲା, ୨ ରାଜ୍ୟ ପାଇଁ ବିଧାନସଭା ନିର୍ବାଚନର ବିଗୁଲ ବାଜିଲା । ଆସନ୍ତାମାସ ଉଭୟ ମହାରାଷ୍ଟ୍ର ଓ ଝାଡଖଣ୍ଡରେ ବିଧାନସଭା ନିର୍ବାଚନ ହେବ । ଉଭୟ ରାଜ୍ୟରେ ୨ଟି ପର୍ଯ୍ୟାୟରେ ନିର୍ବାଚନ ହେବ । ଏହାସହ ବହୁଚର୍ଚ୍ଚିତ କେରଳ ୱାୟନାଡ଼ରେ ନଭେମ୍ବର ୧୩ରେ ବାଇ-ଇଲେକ୍ସନ ହେବାକୁ ଯାଉଛି । ଯେହେତୁ ରାହୁଲ ଗାନ୍ଧି ସେହି ଆସନ ଛାଡିଛନ୍ତି ତେଣୁ ଏଥର ତାଙ୍କ ଭଉଣୀ ପ୍ରିୟଙ୍କ ଗାନ୍ଧି ପ୍ରାର୍ଥୀ ହେବା ନେଇ ବଢିଲାଣି ଚର୍ଚ୍ଚା ।

ଆସନ୍ତାମାସ ଦୁଇ ରାଜ୍ୟରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । କଥା ହେଲା ହରିୟାଣାରେ ବିଜେପିର ବହୁଳ ବିଜୟ ହେବା ପରେ ଏଇ ଦୁଇ ରାଜ୍ୟକୁ ଦଳ ଫୋକସ ଦେଇଛି । ଅବଶ୍ୟ ଉଭୟ ରାଜ୍ୟରେ ବିଜେପିର ପଲ୍ଲା ଭାରି ତେଣୁ କଂଗ୍ରେସ ଶିବିରରେ ଅସମ୍ଭବ ନୀରବତା ଖେଳିଯାଇଛି । କେମିତି ବିଜେପିର ମୁକାବିଲା କରାଯିବ ସେନେଇ ଦଳ ଏଯାଏ ରଣନୀତି କରିପାରିନଥିବା କୁହାଯାଉଛି । 

ରାଜନୈତିକ ହଟ୍ଟଚମଟ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଆସୁଥିବା ମହାରାଷ୍ଟ୍ରରେ ଗୋଟିଏ ପର୍ଯ୍ୟାୟରେ ହେବ ବିଧାନସଭା ଭୋଟ୍ । ଅକ୍ଟୋବର ୨୨ରେ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବାକୁ ଥିବା ବେଳେ, ନଭେମ୍ବର ୨୦ରେ ମତଦାନ କରିବେ ମହାରାଷ୍ଟ୍ରବାସୀ । ମୋଟ୍‌ ୨୮୮ ବିଧାନସଭା ଆସନରେ ମତାଧିକାର ସାବ୍ୟସ୍ତ କରିବେ ପ୍ରାୟ ୯ କୋଟି ୬୩ ଲକ୍ଷ ଭୋଟର୍ । ତେବେ ପୂର୍ବ ବିଧାନସଭା ନିର୍ବାଚନକୁ ନେଇ ଏବେ ବି ଚର୍ଚ୍ଚା ଚାଲିଛି । କାରଣ ୨୦୧୯ରେ ସରକାର ଗଢ଼ିଥିଲା ତତ୍କାଳୀନ ଶିବସେନା, NCP ଓ କଂଗ୍ରେସକୁ ନେଇ ଗଠିତ ମହାବିକାଶ ଅଘାଡ଼ି। ୧୫୪ ବିଧାୟକଙ୍କ ସମର୍ଥନ ସହ ମୁଖ୍ୟମନ୍ତ୍ରୀ ବନିଥିଲେ ଉଦ୍ଧବ ଠାକରେ । ହେଲେ ୨୦୨୨ରେ ଉଦ୍ଧବ ଠାକରେ-ଏକନାଥ ସିନ୍ଦେ କଳି ଏବଂ ୨୦୨୩ରେ ଶରଦ ପାୱାର ଓ ଅଜିତ ପାୱାର ଦାଦା-ପୁତୁରା କଳି, କେବଳ ଶିବସେନା ଓ NCPର କାୟା ବଦଳାଇ ଦେଇନଥିଲା ବରଂ ସରକାର ଓ ରାଜନୈତିକ ଚିତ୍ର ବି ବଦଳାଇ ଦେଇଥିଲା । ଏବେ ଏକନାଥ ସିନ୍ଦେ ସିଏମ୍ ଥିବା ବେଳେ, ମହାୟୁତି ମେଣ୍ଟ ସରକାରରେ ଅଛନ୍ତି ସିନ୍ଦେ ଗୋଷ୍ଠୀ ଶିବସେନାର ୩୮, ଅଜିତ ଗୋଷ୍ଠୀ NCPର ୪୧ ଏବଂ ବିଜେପିର ୧୦୩ ବିଧାୟକ । ଅନ୍ୟପକ୍ଷରେ ବିରୋଧୀ MVA ମେଣ୍ଟରେ ଅଛନ୍ତି ୭୪ ବିଧାୟକ । ଆଗାମୀ ନିର୍ବାଚନରେ ଏଠାରେ କେବଳ ମହାୟୁତି-ମହାଅଘାଡ଼ି ମହାଯୁଦ୍ଧ ନୁହେଁ, ବରଂ ଶିବସେନା-ଶିବସେନା ଓ NCP-NCP ଲଢ଼େଇ ହେବ ବୋଲି କୁହାଯାଉଛି । 

ମହାରାଷ୍ଟ୍ରକୁ ନେଇ ଯେତିକି ଚର୍ଚ୍ଚା, ଝାଡଖଣ୍ଡକୁ ନେଇ ବି ସେତିକି ଚର୍ଚ୍ଚା । କାରଣ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ନାଁରେ ଦୁର୍ନୀତି ଆସିବା ସହ ଜେଲ ଯିବାକୁ ପଡ଼ିଥିଲା । ଅବଶ୍ୟ ତାଙ୍କୁ ବେଲ ମିଳିଛି କିନ୍ତୁ ଦୁର୍ନୀତିର ପଡିଥିବା ଛିଟା କିନ୍ତୁ ଲିଭିନି । ନଭେମ୍ବର ୧୩ ଓ ୨୦ରେ ହେବ ଭୋଟିଂ ହେବ ଝାଡଖଣ୍ଡରେ । ୮୧ ଆସନରେ ଭୋଟ ଦେବେ ୨ କୋଟି ୬୦ ଲକ୍ଷ ଭୋଟର୍। ୨୦୧୯ ନିର୍ବାଚନରେ ଝାଡ଼ଖଣ୍ଡରେ JMM, କଂଗ୍ରେସ ଓ RJD ଗଠିତ UPA ମେଣ୍ଟ ୪୭ ବିଧାୟକଙ୍କୁ ନେଇ ସରକାର ଗଢ଼ିଥିଲା। JMMକୁ ୩୦, କଂଗ୍ରେସକୁ ୧୬ ଓ ବିଜେପିକୁ ୨୫ ସିଟ୍ ମିଳିଥିଲା। ହେଲେ ଚର୍ଚ୍ଚା ହେଉଛି ଏଥର ବ୍ୟାକ୍ଫୁଟରେ ରହିପାରେ JMM। ଜେଲ୍ ଫେରନ୍ତା ସିଏମ୍ ହେମନ୍ତ ସୋରେନଙ୍କ ଉପରେ ଦୁର୍ନୀତି ଦାଗ ଲାଗିଥିବା ବେଳେ, ତାଙ୍କ ହାତ ଛାଡ଼ି ବିଜେପିରେ ମିଶିଛନ୍ତି ଛାମୁଆ ନେତା ଚମ୍ପାଇ ସୋରେନ୍। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମୋଟ୍‌ ଉପରେ ସଜସଜ ହୋଇଥିବା ବିଧାନସଭା ନିର୍ବାଚନର ଫଳାଫଳ ଉଭୟ ରାଜ୍ୟର ଜନତାଙ୍କ ଉପରେ ସିଧାସଳଖ ପ୍ରଭାବ ପକାଇବ ବୋଲି କୁହାଯାଉଛି । ତେବେ ସମୟ କହିବ ଏସନ ନିର୍ବାଚନରେ କାହାର ପଲ୍ଲା ଭାରି ପଡ଼ିବ ।