ସୀମା ଲଂଘିଲେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧି

Key Points
ସୀମା ଲଂଘିଲେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧି
ଓଡ଼ିଆ ଝିଅ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ କହିଲେ `POOR LADY’
ସାରା ଦେଶରେ ଦୃଢ଼ ବିରୋଧ ସହ ଜାଗିଲା ଓଡ଼ିଆ ସ୍ବାଭିମାନ
ରାଇରଙ୍ଗପୁରରୁ ରାଇସିନା ହିଲରେ ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରାଧ୍ୟକ୍ଷ ହୋଇ ବଢ଼ାଇଛନ୍ତି ଓଡ଼ିଶା ଓ ଦେଶର ମାନ
ସୋନିଆଙ୍କ ବକ୍ତବ୍ୟ ଗରିବ, ମେହେନତୀ ମଣିଷର ସ୍ଵାଭିମାନକୁ କରିଛି ପଦାଘାତ
ଅର୍ଗସ ବ୍ୟୁରୋ: ସୋନିଆ ଗାନ୍ଧିଙ୍କର ଏ ବୟାନକୁ ନେଇ ସୃଷ୍ଟି ହୋଇଛି ଝଡ଼ । ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଟିପ୍ପଣୀ ଦେଇ ଅପମାନଜନକ ଶବ୍ଦ ପ୍ରୟୋଗ କଲେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା । ଗଣତନ୍ତ୍ରର ମନ୍ଦିରରେ ଦେଶର ପ୍ରଥମ ମହିଳାଙ୍କୁ ସୋନିଆଙ୍କ ଅପମାନକୁ ନେଇ ସାରା ଦେଶରେ ପ୍ରତିବାଦ ଓ ଦୃଢ଼ ବିରୋଧର ସ୍ବର ଉଠିବା ସହ ଜାଗିଛି ଓଡ଼ିଆ ସ୍ବାଭିମାନ । ସୋନିଆଙ୍କ ବୟାନର କଡ଼ା ନିନ୍ଦା କରିବା ସହ କଡ଼ା ଉଭୟ ସୋନିଆ ଓ ରାହୁଲ ଗାନ୍ଧିଙ୍କୁ ଭର୍ତ୍ସନା କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ । ଧର୍ମେନ୍ଦ୍ର କହିଛନ୍ତି ଏମାନେ ଅଂହକାରୀ ଓ ସାମନ୍ତବାଦୀ । ଦେଶକୁ ନିଜ ଜାଗିର ଭାବନ୍ତି ।
ପୁରୀରୁ ବିଜେପି ସାଂସଦ ସମ୍ବିତ ପାତ୍ର ସୋନିଆ ଗାନ୍ଧି କ୍ଷମା ମାଗନ୍ତୁ ବୋଲି ଦାବି କରିବା ସହ ରାହୁଲ ଗାନ୍ଧିଙ୍କ ଉପରେ ବି କରିଛନ୍ତି ଆକ୍ରମଣ। ରାଷ୍ଟ୍ରପତିଙ୍କ ଉପରେ ସୋନିଆଙ୍କ ମନ୍ତବ୍ୟକୁ ନେଇ ସୋସିଆଲ୍ ମିଡିଆରେ କଡ଼ା ନିନ୍ଦା କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେ.ପି ନଡ୍ଡା । କହିଛନ୍ତି ଜାଣିଶୁଣି ଏମିତି ଏମିତି ଶବ୍ଦର ବ୍ୟବହାର କଂଗ୍ରେସର ଗରିବ ବିରୋଧୀ, ଆଦିବାସୀ ବିରୋଧୀ, ପ୍ରକୃତିକୁ ଦର୍ଶାଉଛି । କଂଗ୍ରେସ ରାଷ୍ଟ୍ରପତି ଓ ଆଦିବାସୀ ସମୁଦାୟକୁ ନିଃସର୍ତ୍ତ କ୍ଷମା ମାଗିବାକୁ ସେ ଦାବି କରିଛନ୍ତି । ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ମଧ୍ୟ ସୋନିଆଙ୍କ ମନ୍ତବ୍ୟର ବିରୋଧ କରିଛନ୍ତି । ସୋନିଆଙ୍କ ବକ୍ତବ୍ୟ ଗରିବ, ମେହେନତୀ ମଣିଷର ସ୍ବାଭିମାନକୁ କରିଛି ପଦାଘାତ