"କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ମନ୍ତବ୍ୟ ଅତ୍ୟନ୍ତ ନିନ୍ଦନୀୟ"-କେନ୍ଦ୍ରମନ୍ତ୍ରୀ

ଅର୍ଗସ ବ୍ୟୁରୋ : ରାଷ୍ଟ୍ରପତିଙ୍କ ଭାଷଣ ଉପରେ କଂଗ୍ରେସ ନେତ୍ରୀ ଶ୍ରୀମତୀ ସୋନିଆ ଗାନ୍ଧୀଙ୍କ ମନ୍ତବ୍ୟକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିକ୍ରିୟା । ମାନ୍ୟବର ରାଷ୍ଟ୍ରପତିଙ୍କ ଭାଷଣ ଉପରେ କଂଗ୍ରେସ ନେତ୍ରୀ ଶ୍ରୀମତୀ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ଦେଇଥିବା ମନ୍ତବ୍ୟ ଅତ୍ୟନ୍ତ ନିନ୍ଦନୀୟ । ଏହି ବୟାନ କଂଗ୍ରେସର ସାମନ୍ତବାଦୀ ମାନସିକତା, ସେମାନଙ୍କ ଅହଂକାର ଏବଂ ଅନୁସୂଚିତ ଜନଜାତି ସମ୍ପ୍ରଦାୟରୁ ଆସିଥିବା ରାଷ୍ଟ୍ରପତିଙ୍କ ପ୍ରତି ସେମାନଙ୍କର ନିରାଶାକୁ ପ୍ରତିଫଳିତ କରୁଛି । କଂଗ୍ରେସର ଚିନ୍ତାଧାରା ସବୁବେଳେ ଏସସି-ଏସଟି-ଓବିସି ବିରୋଧୀ ରହିଆସିଛି । ପୁଣି ଥରେ କଂଗ୍ରେସ ସେହି ମାନସିକତାର ପରିଚୟ ଦେଇଛି । ଦେଶର ସର୍ବୋଚ୍ଚ ପଦବୀରେ ରହିଥିବା ଦଳିତ, ଅବହେଳିତ ଓ ପଛୁଆ ସମ୍ପ୍ରଦାୟର ଲୋକମାନଙ୍କୁ କଂଗ୍ରେସ ନେତାମାନେ କେବେ ବି ବରଦାସ୍ତ କରିପାରିବେ ନାହିଁ । କଂଗ୍ରେସ କେବଳ ଏସଟି ସମ୍ପ୍ରଦାୟକୁ ଅପମାନିତ କରିନାହିଁ ବରଂ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀକୁ ଅସମ୍ମାନ କରିଛି । ଜଣେ ମହିଳା ଏବଂ ଓଡ଼ିଶାକୁ ଅପମାନିତ କରିଛନ୍ତି । ରାଷ୍ଟ୍ରପତିଙ୍କ ବିରୋଧରେ ଅପମାନସୂଚକ ମନ୍ତବ୍ୟ ଦେଇଥିବାରୁ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ କଂଗ୍ରେସ ଦଳ କ୍ଷମା ମାଗିବା ଦରକାର ।
ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ରାଷ୍ଟ୍ରପତିଙ୍କ ଅଭିଭାଷଣ ପରେ ସୋନିଆ ଗାନ୍ଧୀ କହିଛନ୍ତି, ବିଚାରୀ ଭାଷଣ ପଢ଼ି ପଢ଼ି କ୍ଳାନ୍ତ ହୋଇଯାଇଥିଲେ। ସେପଟେ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ରାଷ୍ଟ୍ରପତି ମୁର୍ମୁଙ୍କ ଭାଷଣକୁ ବିରକ୍ତିକର ବୋଲି କହିଛନ୍ତି। ଏହାକୁ ନେଇ ଏବେ ରାଜନୀତି ଉଷ୍ମ ହୋଇଇଛି। ଭାଜପା କହିଛି ଯେ, ସୋନିଆ ଗାନ୍ଧୀ ରାଷ୍ଟ୍ରପତିଙ୍କୁ ଅପମାନିତ କରିଛନ୍ତି।