Karnataka Politics / ଦୋଛକିରେ କଂଗ୍ରେସ ! କାହା ସପକ୍ଷରେ ଯିବେ ସୋନିଆ ଗାନ୍ଧି ?

Key Points
ଜିଦ୍ରେ ଅଟଳ ରହିଲେ ଶିବ୍କୁମାର । ଯାହା ସ୍ଥିର ହୋଇଥିଲା, ତାହା ହିଁ ହେବାକୁ ଯାଉଛି । ବଦଳିବ କର୍ଣ୍ଣାଟକର ରାଜନୈତିକ ଚିତ୍ର । ବଦଳିବେ ରାଜ୍ୟର ମୁଖ୍ୟମନ୍ତ୍ରୀ । ଅଢ଼େଇ ବର୍ଷ ଲେଖାଏଁ ଭାଗ ବାଣ୍ଟି କରିବେ ଶାସନ । କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଯେଉଁ ଭିତିରି ଲଢ଼େଇ ଚାଲିଥିଲା, ସେଇ ଲଢ଼େଇରେ ଏବେ ପୂର୍ଣ୍ଣଛେଦ ପଡ଼ିଛି । ଡିକେ ଶିବକୁମାର ଏବଂ ସିଦ୍ଧରମୈୟାଙ୍କ ମଧ୍ୟରେ ଚାଲିଥିବା ଲଢ଼େଇ ଏବେ ଦିଲ୍ଲୀରେ ଶାନ୍ତ ପଡ଼ିଛି। କିନ୍ତୁ ଏବେ ରାଜନୈତିକ ତାପମାତ୍ରା ପୁଣି ଥରେ ଗରମ ହେବାର ସମ୍ଭାବନା ରହିଛି ।
ଶନିବାର କଂଗ୍ରେସ ବିଧାୟକ ଏଚ୍.ଏ. ଇକବାଲ ହୁସେନ କହିଛନ୍ତି ଯେ, କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଜାନୁଆରି ୬ କିମ୍ବା ୯ ସୁଦ୍ଧା ରାଜ୍ୟର ମୁଖ୍ୟମନ୍ତ୍ରୀ ହେବେ। ରାମନଗର ବିଧାୟକ ତଥା ଶିବକୁମାରଙ୍କ ଜଣେ ଦୃଢ଼ ସମର୍ଥକ ହୁସେନ କହିଛନ୍ତି ଯେ, ଏହି ତାରିଖରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା କର୍ଣ୍ଣାଟକର ସବୁଠାରୁ ଦୀର୍ଘ ସମୟ ଧରି ମୁଖ୍ୟମନ୍ତ୍ରୀ ରହିବେ ଏବଂ ସ୍ୱର୍ଗତ ଡି. ଦେବରାଜ ଉର୍ସଙ୍କ ରେକର୍ଡ ଭାଙ୍ଗିବେ। ଶିବକୁମାର ମୁଖ୍ୟମନ୍ତ୍ରୀ ହେବାର ୯୯% ସମ୍ଭାବନା ଅଛି।
ତେବେ ଏହି ଆଲୋଚନା ଦୀର୍ଘ ଦିନ ଧରି ହୋଇଆସୁଛି । ହେଲେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏହାକୁ ଖଣ୍ଡନ କରି ଆସୁଛନ୍ତି । ସେ ସିଧା ସିଧା କହି ଆସୁଥିଲେ 'ମୁଁ ହିଁ ରହିବି ମୁଖ୍ୟମନ୍ତ୍ରୀ । ଏଥିରେ କୌଣସି ସନ୍ଦେହ ନାହିଁ ?' ସିଦ୍ଧାରମୈୟାଙ୍କ ଏହି ବୟାନ ଏପରି ସମୟରେ ଆସିଥିଲା ଯେତେବେଳେ ବିଜେପି ଓ ଜେଡିଏସ ପକ୍ଷରୁ ଅଭିଯୋଗ କରାଯାଉଥିଲା ଯେ କର୍ଣ୍ଣାଟକ କଂଗ୍ରେସରେ ଆଭ୍ୟନ୍ତରୀଣ ମତଭେଦ ରହିଛି, ହୁଏତ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇପାରେ । ଏହାର ପ୍ରତିକ୍ରିୟାରେ ସିଦ୍ଧରାମେୟା କହିଥିଲେ ଯେ ‘ସେମାନେ କଣ କଂଗ୍ରେସର ହାଇକମାଣ୍ଡ ?’
ଏହା ପୂର୍ବରୁ ମଧ୍ୟ ଶିବକୁମାରଙ୍କ ସହ ମତଭେଦ ଖବରକୁ ଅସ୍ବୀକାର କରିଥିଲେ ସିଦ୍ଧରମୈୟା । ସେ କହିଥିଲେ ଯେ ଶିବକୁମାରଙ୍କ ସହ ତାଙ୍କ ସଂପର୍କ ଭଲ ଅଛି ଓ ଦଳରେ ଏକତା ରହିଛି । ସରକାର ସଂପୂର୍ଣ୍ଣ ୫ ବର୍ଷ ପର୍ଯ୍ୟନ୍ତ ଏକ ପଥର ପରି ମଝବୁତ ରହିବ । ସେହିପରି ଉପମୁଖ୍ୟମନ୍ତ୍ରୀ ଶିବକୁମାର ମଧ୍ୟ ଦଳ ଭିତରେ କୌଣସି ମତଭେଦ ଓ ବିବାଦ ଥିବା ଖବରକୁ ଅସ୍ବୀକାର କରିଥିଲେ । ସେ ନିଜେ କଂଗ୍ରେସ ହାଇକମାଣ୍ଡର ନିଷ୍ପତ୍ତିକୁ ସମର୍ଥନ କରନ୍ତି ବୋଲି କହିଥିଲେ । କିନ୍ତୁ ଏବେ ଯାହା ଖବର ସାମ୍ନାକୁ ଆସୁଛି ଶିବ୍କୁମାର ନିଜ ସମର୍ଥକଙ୍କ ଜରିଆରେ ହାଇକମାଣ୍ଡଙ୍କ ଉପରେ ଚାପ ପକାଉଛନ୍ତି । ଆଉ ମୁଖ୍ୟମନ୍ତ୍ରୀ ହେବା ପାଇଁ ସବୁ ପ୍ରକାର ଚେଷ୍ଟା କରୁଛନ୍ତି ।
କର୍ଣ୍ଣାଟକ ବିଧାନସଭାରେ କଂଗ୍ରେସ ୧୪୦ ବିଧାୟକଙ୍କ ସହିତ ବହୁମତ ହାସଲ କରିଛି ଏବଂ ନଭେମ୍ବର ୨୦ ତାରିଖରେ ଦଳ ନିଜ ସରକାରଙ୍କ ପାଞ୍ଚ ବର୍ଷର କାର୍ଯ୍ୟକାଳର ଅଧା ସମୟ ଅତିକ୍ରମ କରିଛି। ଏହି ସମୟରେ, ନେତୃତ୍ୱକୁ ନେଇ ବିବାଦ ତୀବ୍ର ହୋଇଛି । ପିଢ଼ିଗତ ପରିବର୍ତ୍ତନର ଏକ ଅଂଶ ଭାବରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକାଳକୁ ୨.୫ ବର୍ଷ କାର୍ଯ୍ୟକାଳରେ ବିଭକ୍ତ କରିବା ପାଇଁ ଏକ ସମ୍ଭାବ୍ୟ ଚୁକ୍ତିନାମା ସମ୍ପର୍କରେ ରିପୋର୍ଟ ଆସିଛି । ଦଳ କିମ୍ବା କୌଣସି ନେତା ଏପରି ଚୁକ୍ତିନାମାକୁ ଆନୁଷ୍ଠାନିକ ଭାବରେ ନିଶ୍ଚିତ କରି ନଥିଲେ ମଧ୍ୟ, କିଛି ଦିନ ପୂର୍ବରୁ ଶିବକୁମାର ଏକ "ଗୁପ୍ତ ଚୁକ୍ତି" ସମ୍ପର୍କରେ ଉଲ୍ଲେଖ କରିଥିଲେ। ଏହାକୁ ନେଇ ରାଜନୀତି ଉଷ୍ଣ ହେବାରେ ଲାଗିଥିଲା।
ଅନ୍ୟପଟେ କେନ୍ଦ୍ର ମନ୍ତ୍ରୀ ଏବଂ ବିଜେପି ସାଂସଦ ଭି. ସୋମାନ୍ନା କହିଛନ୍ତି ଯେ, ସେ ମୁଖ୍ୟମନ୍ତ୍ରୀ ପଦ ପାଇଁ କର୍ଣ୍ଣାଟକର ଗୃହମନ୍ତ୍ରୀ ଜି. ପରମେଶ୍ୱରଙ୍କୁ ସମର୍ଥନ କରନ୍ତି। ଟୁମାକୁରୁରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସୋମାନ୍ନା କହିଛନ୍ତି, କ୍ଷମତା ପାଇବା ଭାଗ୍ୟର କଥା। ମୁଁ କେବେ ଭାବି ନଥିଲି, ପରମେଶ୍ୱର କେବଳ ଗୃହମନ୍ତ୍ରୀ ହେବେ। ଏହା ଆମର ଇଚ୍ଛା ଯେ ସେ ମୁଖ୍ୟମନ୍ତ୍ରୀ ହୁଅନ୍ତୁ, ଏବଂ ଏହା କେବଳ ମୋର ଇଚ୍ଛା ନୁହେଁ, ବରଂ ଟୁମାକୁରୁର ଲୋକଙ୍କ ଇଚ୍ଛା।
ଡି.କେ. ଶିବକୁମାରଙ୍କ ବିଷୟରେ ପଚରାଯିବାରୁ, ସୋମାନ୍ନା ଉତ୍ତର ଦେଇଥିଲେ, "ଭୁଲିଯାଅ ବନ୍ଧୁ, ଏହା ଏକ ଭିନ୍ନ ବିଷୟ। ଶିବକୁମାର କ'ଣ ହେବାକୁ ଚାହୁଁଛନ୍ତି ତାହା ତାଙ୍କ ଭାଗ୍ୟ ଉପରେ ନିର୍ଭର କରେ। ଆଚରଣ ଭାଗ୍ୟଠାରୁ ବଡ଼। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏବଂ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଡିସେମ୍ବର ୧୪ ତାରିଖରେ ଦିଲ୍ଲୀରେ କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ରିପୋର୍ଟ ଅନୁଯାୟୀ, ରାଜ୍ୟରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଚାଲିଥିବା ବିବାଦ ଉପରେ ପୁଣି ଥରେ ଆଲୋଚନା ହେବ। ନୂଆଦିଲ୍ଲୀର ରାମଲୀଳା ମୈଦାନରେ କଂଗ୍ରେସର ମେଗା ରାଲି ପରେ ଏହି ବୈଠକ ହେବ।
📱 Get Argus News App
✨Related Topics
Explore more stories