କଂଗ୍ରେସ ଛାଡ଼ି ବିଜେପିରେ ମିଶିଲେ ବିଜୟାଧରଣୀ

ନୂଆଦିଲ୍ଲୀ: ତାମିଲନାଡୁରେ କଂଗ୍ରେସକୁ ବଡ଼ ଝଟକା ଲାଗିଛି। ୩ ଥରର ବଧାୟକ ତଥା ବରିଷ୍ଠ ନେତ୍ରୀ ଏସ୍ ବିଜୟାଧରଣୀ କଂଗ୍ରେସକୁ ବାଏବାଏ କହିଛନ୍ତି। ସେ କଂଗ୍ରେସ ଛାଡ଼ି ବିଜେପିରେ ମିଶିଛନ୍ତି। ଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ ବିଜୟାଧରଣୀ କେନ୍ଦ୍ରମନ୍ତ୍ରୀ ଏଲ ମୁରଗାନ ଓ ଦଳର ଜାତୀୟ ସମ୍ପାଦକ ତଥା ତାମିଲନାଡୁ ପ୍ରଭାରୀ ଅରବିନ୍ଦ ମେନନଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି। ଦକ୍ଷିଣ ଭାରତକୁ ସଶକ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୁଥିବା ଉଦ୍ୟମକୁ ବଳ ଦେବାକୁ ବିଜୟାଧରଣୀ ବିଜେପିରେ ମିଶିଥିବା କହିଛନ୍ତି।
ସେ କେନ୍ଦ୍ର ସରକାର ଲାଗୁ କରିଥିବା ବିଭିନ୍ନ ଯୋଜନାକୁ ପ୍ରଶଂସା କରିଛନ୍ତି। ତାମିଲନାଡୁରେ ଡିଏମକେ ଓ କଂଗ୍ରେସ ସରକାର କେନ୍ଦ୍ରର ବିଭିନ୍ନ ଯୋଜନାକୁ ଲାଗୁ କରୁ ନଥିବା ବିଜୟାଧରଣୀ କହିଛନ୍ତି। ଏଥିସହ ଦେଶରେ କେନ୍ଦ୍ର ସରକାର ଅନେକ ଭଲ କାମ କରିଥିବା ସେ ଦାବି କରିଛନ୍ତି। ବିଜେପିରେ ସାମିଲ ହେବା ପୂର୍ବରୁ ବିଜୟାଧରଣୀ ଏକ୍ସ ଯୋଗେ ସେ କଂଗ୍ରେସରୁ ଇସ୍ତଫା ଦେଇଥିବା କଥା ଘୋଷଣା କରିଥିଲେ। କୁହାଯାଉଛି ଯେ ବିଜେପି ବିଜୟାଧରଣୀଙ୍କୁ ନାଗେରକୋଲି ଲୋକସଭା ଆସନରୁ ପ୍ରାର୍ଥୀ କରିପାରେ।
ଅଧିକ ପଢନ୍ତୁ ଭାରତ ଖବର