Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ରାହୁଲଙ୍କ ସହ କରୁଥିଲେ ପଦଯାତ୍ରା‍, ବଡ଼ ନେତାଙ୍କ ପାଇଁ କରୁଥିଲେ ପ୍ରଚାର

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ରାହୁଲଙ୍କ ସହ କରୁଥିଲେ ପଦଯାତ୍ରା‍, ବଡ଼ ନେତାଙ୍କ ପାଇଁ କରୁଥିଲେ ପ୍ରଚାର

ସୁଟ୍‌କେସ୍‌ରୁ ବାହାରିଲା କଂଗ୍ରେସ ନେତ୍ରୀଙ୍କ ମୃତଦେହ । ଦିନେ ଯିଏ ରାହୁଲଙ୍କ ସହ କରୁଥିଲେ ପଦଯାତ୍ରା, ଏବେ ସୁଟ୍‌କେସ୍‌ରୁ ବାହାରିଛି ତାଙ୍କ ମୃତଦେହ । ହରିୟାଣାର ରୋହତକରୁ ଏହି ଘଟଣା ସାମ୍ନାକୁ ଆସିଛି । ସୁଟକେସ୍ରୁ ମିଳିଥିବା ମରଶରୀର କଂଗ୍ରେସ ନେତ୍ରୀ ହିମାନୀ ନରୱାଲଙ୍କର ବୋଲି ପୋଲିସ ସ୍ପଷ୍ଟ କରିଛି । ଏହି ଘଟଣାକୁ ନେଇ ରୋହତକର କଂଗ୍ରେସ ବିଧାୟକ ବିବି ବାତ୍ରା ରାଜ୍ୟର ଆଇନଶୃଙ୍ଖଳାକୁ ନେଇ ପ୍ରଶ୍ନ ଉଠାଇଥିବା ସହ ଏହି ହତ୍ୟାକାଣ୍ଡର ଏସଆଇଟି ତଦନ୍ତ ଦାବି କରିଛନ୍ତି।

ଘଟଣାଟି ଶନିବାର ସକାଳ ପ୍ରାୟ ୧୧ଟା ବେଳର । ସବୁଦିନ ଭଳି ରୋହତକ ସାମ୍ପଲା ବସଷ୍ଟାଣ୍ଡରେ ଲୋକଙ୍କ ଗହଳି ଚହଳି ଲାଗିଥାଏ । ଏତିକି ବେଳେ କାହାର ନଜର ପଡିଲା ଏକ ନୀଳ ରଙ୍ଗର ବଡ଼ ସୁଟ୍‌କେଶ ଉପରେ । ସୁଟ୍‌କେଶ ଭିତରେ କ'ଣ ଅଛି ଜାଣିବାକୁ ଲୋକଙ୍କ ମନରେ କୌତୁହଳ ସୃଷ୍ଟି ହେଲା । ହେଲେ ସନ୍ଦେହବଶତଃ ପୋଲିସକୁ ଖବର ଦିଆଯିବାପରେ ପୋଲିସ ଆସି ସୁଟ୍‌କେଶ ଖୋଲିଥିଲା । ଆଉ ତା' ଭିତରେ ଯାହା ଦେଖିଲେ, ସମସ୍ତଙ୍କ ହୋସ୍ ଉଡିଗଲା । ସୁଟ୍‌କେଶ ଭିତରେ ଥିଲା ଜଣେ ଯୁବତୀଙ୍କ ମୃତଦେହ ।

ହାତରେ ମେହେନ୍ଦୀ, ବେକରେ କଳା ରଙ୍ଗର ଓଢଣୀ । ଯୁବତୀଙ୍କୁ ଦେଖି ଏମିତି ଲାଗୁଥିଲା କେହି ଯେପରି ତାଙ୍କର ଗଳା ଚିପି ହତ୍ୟା କରିବା ପରେ ମୃତଦେହକୁ ସୁଟ୍‌କେଶରେ ଭର୍ତ୍ତି କରି ଫିଙ୍ଗି ଦେଇଛି । ତନଘନା ପରେ ଜଣାପଡିଲା ମୃତ ଯୁବତୀ କଂଗ୍ରେସ କର୍ମୀ ହିମାନୀ ନରୱାଲ । ତାଙ୍କ ଘର ରୋହତାକ ସହରର ବିଜୟ ନଗରରେ । ଯୁବତୀଙ୍କ ମୃତଦେହ ସମ୍ପର୍କରେ ରୋହତକର କଂଗ୍ରେସ ବିଧାୟକ ଭାରତ ଭୂଷଣ ବାତ୍ରା କହିଛନ୍ତି ଯେ ସେ ଜଣେ ସକ୍ରିୟ କଂଗ୍ରେସ କର୍ମୀ ଥିଲେ।

ତେବେ କିପରି ହିମାନୀଙ୍କ ମୃତ୍ୟୁ ହେଲା ତାହା ଜଣାପଡିନି । ଏହା ଏକ ହତ୍ୟାକାଣ୍ଡ ବୋଲି ପୋଲିସ ସନ୍ଦେହ କରୁଛି ଏବଂ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହି ଘଟଣାରେ କଂଗ୍ରେସ ପକ୍ଷରୁ ଶୋକ ପ୍ରକାଶ କରାଯିବା ସହ ନିରପେକ୍ଷ ତଦନ୍ତ କରାଯାଇ ଦୋଷୀକୁ କଡା ଦଣ୍ଡ ଦେବାକୁ ଦାବି ହୋଇଛି । ତୁରନ୍ତ ଯୁବତୀଙ୍କ ହତ୍ୟାକାଣ୍ଡର ତଦନ୍ତ ପାଇଁ ଏସଆଇଟି ଗଠନ କରିବାକୁ ଭାରତ ଭୂଷଣ ବାତ୍ରା ଦାବି କରିଛନ୍ତି।

ରାହୁଲ ଗାନ୍ଧିଙ୍କ ସହ ଭାରତ ଯୋଡୋ ଯାତ୍ରା ସମୟରେ ହିମାନୀ ହରିୟାଣବୀ ପୋଷାକ ପିନ୍ଧିଥିବାର ନଜର ଆସିଥିଲେ । ସେ ସୋସିଆଲ ମିଡିଆରେ ରାହୁଲ ଗାନ୍ଧିଙ୍କ ସହ ଏକ ଫଟୋ ମଧ୍ୟ ସେୟାର କରିଥିଲେ । ହରିୟାଣା ବିଧାନସଭା ନିର୍ବାଚନ ସମୟରେ ହିମାନୀ ରୋହତକରେ ଦୀପେନ୍ଦ୍ର ହୁଡା ଓ ଭୁପେନ୍ଦ୍ର ହୁଡାଙ୍କ ପାଇଁ ପ୍ରଚାର କରିଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Congress Worker Himani Narwal Found Dead In Suitcase Near Rohtak; SIT Probe Demanded | Argus News