ଦଇତାପତି ସେବକଙ୍କ ଦ୍ୱାରା ଘଟ ବା ବ୍ରହ୍ମ ସ୍ଥାପନକୁ ନେଇ ସେବାୟତ ମହଲରେ ଉଦବେଗ

ପଶ୍ଚିମବଙ୍ଗର ଦୀଘାରେ ପବିତ୍ର ଅକ୍ଷୟ ତୃତୀୟା ତିଥିରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ନେଇ ବିବାଦ ଦେଖା ଦେଉଛି । ସେଠାରେ ଜଗନ୍ନାଥ ମନ୍ଦିର ହେବା ଖୁସିର କଥା । କିନ୍ତୁ ଜଗନ୍ନାଥ ଧାମ ନାମକରଣ ଦେବା ଓ ବ୍ରହ୍ମ ସ୍ଥାପନ କଥାକୁ ନେଇ ପୁରୀରେ ସେବାୟତମାନେ ଏହାର ତୀବ୍ର ବିରୋଧ କରିଛନ୍ତି । ଭାରତର ଚାରି ଧାମ ମଧ୍ୟରୁ ଅନ୍ୟତମ ତଥା ଶ୍ରେଷ୍ଠ ଧାମ ହେଉଛି ଶ୍ରୀକ୍ଷେତ୍ର ବା ଜଗନ୍ନାଥ ଧାମ । ଏଠାରେ ହିଁ ଦାରୁବ୍ରହ୍ମ ପୂଜା ପାଉଛନ୍ତି । କିନ୍ତୁ ଏବେ ଦୀଘାରେ ନୂତନ ଭାବେ ପ୍ରତିଷ୍ଠିତ ଜଗନ୍ନାଥଙ୍କ ମନ୍ଦିରକୁ ନେଇ ବିବାଦ ଦେଖା ଦେଇଛି । ପୁରୀର କିଛି ଦଇତାପତି ସେବାୟତ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବା ଏହି ବିବାଦକୁ ବଢ଼ାଉଛି ।
ଦୀଘା ଜଗନ୍ନାଥ ମନ୍ଦିର ଏକ ଦର୍ଶନୀୟ ଓ ପର୍ଯ୍ୟଟନସ୍ଥଳୀ ହୋଇପାରେ କିନ୍ତୁ କୌଣସି ପରିସ୍ଥିତିରେ ଏହାକୁ ଜଗନ୍ନାଥ ଧାମ କୁହାଯାଇପାରିବ ନାହିଁ।ଜଗନ୍ନାଥ ଧାମ ନାମକରଣ ଏକ ଚକ୍ରାନ୍ତ ବୋଲି ଅଭିଯୋଗ ହୋଇଛି । ଏଥିସହ ପ୍ରସ୍ତର ମୂର୍ତ୍ତି ବା ପଥର ଵା ପାଷାଣ ମୂର୍ତ୍ତି ସ୍ଥାପିତ ହୋଇପାରିବ ନାହିଁ ବୋଲି ବରିଷ୍ଠ ସେବାୟତ କହିଛନ୍ତି । ଅନ୍ୟପଟେ କିଛିଦିନ ପୂର୍ବରୁ ଦୀଘା ନଯିବାକୁ ସୁଆରମହାସୁଆର ନିଯୋଗ ତରଫରୁ ଶ୍ରୀମନ୍ଦିର ଚାରିପଟେ ନୋଟିସ୍ ଯୋଗେ ନିର୍ଦେଶନାମା ଲଗାଯାଇଥିଲା ।
📱 Get Argus News App
✨ଦୀଘା ଜଗନ୍ନାଥ ମନ୍ଦିରରେ ରୋଷେଇ କିମ୍ବା ରୋଷେଇ କାର୍ଯ୍ୟରେ ସାହାଯ୍ୟ କଲେ ଶ୍ରୀମନ୍ଦିର ସେବକଙ୍କୁ ନିଲମ୍ୱନ କରାଯିବ ବୋଲି ନୋଟିସରେ ଉଲ୍ଲେଖ ରହିଥିଲା । ସୁଆର ମହାସୁଆର ନିଯୋଗର ସଭ୍ୟ ଓ ରୋଷ ସମ୍ପୃକ୍ତ କର୍ମଚାରୀଙ୍କ ପାଇଁ ଏହି ନିର୍ଦ୍ଦେଶନାମା ଲଗାଯାଇଛି । ଦୀଘାରେ ନିର୍ମାଣ ହୋଇଥିବା ଶ୍ରୀଜଗନ୍ନାଥ ମନ୍ଦିରରେ ରୋଷ କାର୍ଯ୍ୟରେ ଯୋଗ ଦେଲେ ନିଯୋଗ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାସହ ରୋଷ କାର୍ଯ୍ୟରେ ରନ୍ଧନ କିମ୍ବା ସାହାଯ୍ୟ କଲେ ସମ୍ପୃକ୍ତ ସୁପକାର ସଭ୍ୟଙ୍କୁ ବାସନ୍ଦ କରାଯିବା ସହ କର୍ମଚାରୀମାନଙ୍କୁ ରୋଷ କାର୍ଯ୍ୟରୁ ସବୁଦିନ ପାଇଁ ନିଲମ୍ବିତ କରାଯିବ ବୋଲି କହିଛନ୍ତି ନିଯୋଗର ସମ୍ପାଦକ ନାରାୟଣ ମହାସୁଆର । ଅନ୍ୟପଟେ ଦୀଘା ମନ୍ଦିରରେ ବିରାଜିତ ଚତୁର୍ଦ୍ଧାବିଗ୍ରହଙ୍କ କୌଣସି ବେଶ ନକରିବାକୁ ଓ ସେଠାକୁ ନଯିବାକୁ ପୁଷ୍ପାଳକ ନିଯୋଗ ପକ୍ଷରୁ ମଧ୍ୟ କୁହାଯାଇଛି ।
ସେପଟେ ଦାରୁବ୍ରହ୍ମଙ୍କର ବ୍ରହ୍ମ ସଂସ୍ଥାପନ କରାଯାଇଥାଏ । ଦାରୁବ୍ରହ୍ମଙ୍କର ନିର୍ଦ୍ଧିଷ୍ଟ ପୂଜା ବିଧି, ନିର୍ଦ୍ଧିଷ୍ଟ ପରମ୍ପରା ଓ ସମୟ ରହିଥାଏ । କେବଳ ଏହା ଦାରୁ ଦେବତାଙ୍କ ବ୍ରହ୍ମ ସଂସ୍ଥାପନ କରାଯାଏ । ପଥର ମୂର୍ତ୍ତିଙ୍କର ବ୍ରହ୍ମ ସଂସ୍ଥାପନ କରାଯାଏନାହିଁ। ଯାହାକୁ ନେଇ ଆଜି ବିବାଦ ଘନେଇଛି । ଅନ୍ୟପଟେ ଦୀଘା ଜଗନ୍ନାଥ ମନ୍ଦିରରେ ପଥରରେ ଚତୁର୍ଦ୍ଧାବିଗ୍ରହଙ୍କ ପଥରରେ ମୂର୍ତ୍ତି ନିର୍ମାଣ ଓ ପୂଜାର୍ଚ୍ଚନା ପରମ୍ପରା ବିରୋଧୀ ବୋଲି କହିଛନ୍ତି ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ନରେଶ ଦାସ । ଚାରିଧାମର ଶ୍ରେଷ୍ଠ ଧାମ ଶ୍ରୀକ୍ଷେତ୍ର ପୁରୁଷୋତ୍ତମ ଧାମ ଜଗନ୍ନାଥ ଧାମ । ଶାସ୍ତ୍ରୀୟ ବିଚାର ଅନୁଯାୟୀ ବ୍ରଦିନାଥ, ଦ୍ବାରିକାନାଥ, ରାମନାଥ ଓ ଶ୍ରୀଜଗନ୍ନାଥ ୪ଟି ଧାମ୍ ରହିଛି । ତେବେ ପଶ୍ଚିମବଙ୍ଗ ଦୀଘାକୁ ଜଗନ୍ନାଥ ଧାମ୍ କହିବା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ଚିଠି ଲେଖିଛନ୍ତି ପୂର୍ବତନ ପରିଚାଳନା କମିଟିର ସଦସ୍ୟ ତଥା ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ଜଗନ୍ନାଥ ଧାମ୍ ନାମ ହଟାଯିବା ସହ ବ୍ରହ୍ମ ସଂସ୍ଥାପନ କିଭଳି ହେଲା ଏହାର ତଦନ୍ତ କରାଯାଉ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ସୁଦର୍ଶନ ପଟ୍ଟନାୟକ ।