Cough Syrup / ବିନା ଡାକ୍ତରୀ ପ୍ରେସକ୍ରିପନରେ ମିଳିବନି କଫ୍ ସିରପ୍

Key Points
କଟକଣା ଆଣିବାକୁ ଯାଉଛନ୍ତି କେନ୍ଦ୍ର ସରକାର ।
ଔଷଧ ଦୋକାନରେ ଅବାଧରେ ବିକ୍ରି ହେବନି କଫ୍ ସିରପ୍ ।
କଫ୍ ସିରପ୍ ବିକ୍ରି ଉପରେ କଠୋର କଟକଣା ଆଣିବାକୁ ଯାଉଛନ୍ତି କେନ୍ଦ୍ର ସରକାର । ନିୟମ ଲାଗୁ ହେବା ପରେ ଔଷଧ ଦୋକାନ ଗୁଡ଼ିକରେ ଆଉ ଅବାଧରେ ବିକ୍ରି ହୋଇପାରିବନି କଫ୍ ସିରପ୍ । ତାମିଲନାଡୁର ଏକ ନିର୍ଦ୍ଦିଷ୍ଟ କମ୍ପାନି ପ୍ରସ୍ତୁତ କଫ୍ ସିରପ୍ 'କୋଲଡ୍ରିଫ' ଖାଇବା ପରେ ମହାରାଷ୍ଟ୍ର ଓ ରାଜସ୍ଥାନରେ ବହୁ ଶିଶୁଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଥିଲା । ଏପରିକି ଅନେକଙ୍କଠାରେ ପାର୍ଶ୍ଵ ପ୍ରତିକ୍ରିୟା ଦେଖାଗଲା । ଯାହାକୁ ନେଇ ଚିନ୍ତା ପ୍ରକାଶ କରିଥିଲା ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ । ତେଣୁ ବିନା ଡାକ୍ତରୀ ପ୍ରେସକ୍ରିପନରେ କଫ୍ ସିରପ୍ ଖାଇବା ବିପଦଜନକ ବୋଲି ବିଶେଷଜ୍ଞମାନେ କହିଛନ୍ତି । ଏପରି ସମୟରେ କଫ୍ ସିରପକୁ ନେଇ କଠୋର କଟକଣା ଆଣୁଛନ୍ତି କେନ୍ଦ୍ର ସରକାର ।
ଦେଶରେ ପ୍ରଚଳିତ ୧୯୪୫ ଡ୍ରଗ୍ସ କୋର୍ଡରେ ସଂଶୋଧନ ପ୍ରସ୍ତାବ ଆଣିବେ ସରକାର । ପ୍ରଚଳିତ ନିୟମରେ ସିଡ୍ୟୁଲ 'କେ'ରୁ କଫ ସିରପକୁ ପ୍ରତ୍ୟାହାର କରିବାକୁ ପ୍ରସ୍ତାବ ଦେଇଛି ସ୍ଵାସ୍ଥ୍ୟ ମନ୍ତ୍ରାଳୟ । ଏହା ଉପରେ ୩୦ ଦିନ ମଧ୍ୟରେ ସମସ୍ତଙ୍କ ମତାମତ ସଂଗ୍ରହ କରାଯାଇଛି । ଏହି ପ୍ରସ୍ତାବ ଆଧାରରେ କେନ୍ଦ୍ର ସରକାର 'ଡ୍ରଗ୍ସ ସଂଶୋଧନ ନିୟମ' ଆକାରରେ ଉପସ୍ଥାପନ କରିବେ । ବିଜ୍ଞପ୍ତି ପ୍ରକାଶ ପାଇବା ଦିନରୁ ନୂଆ ନିୟମ କାର୍ଯ୍ୟକାରୀ ହେବ ।
କାର୍ଯ୍ୟକାରୀ ନୂଆ ନିୟମ ଅନୁସାରେ ଔଷଧ ଦୋକାନରେ ଆଉ ଅବାଧରେ ବିକ୍ରି ହେବନି କଫ୍ ସିରପ୍ । ଫଳରେ କେବଳ ଡାକ୍ତରଙ୍କ ପ୍ରେସକ୍ରିପସନ୍ ଦେଖି କଫ୍ ସିରପ୍ ବିକିବେ ଔଷଧ ଦୋକାନୀ । ଲୋକମାନେ ଆଉ ମନଇଛା ଔଷଧ ଦୋକାନରୁ କଫ୍ ସିରପ୍ କିଣି ଆଣି ଖାଇପାରିବେନି । ଏହିପରି ହେବା ଦ୍ଵାରା ରୋଗୀଙ୍କ ଦେହକୁ ଅନାବଶ୍ୟକ ଷ୍ଟେରଏଡ ପ୍ରବେଶ କରିବ ନାହିଁ । ଯାହା ରୋଗୀ କିମ୍ବା ଶିଶୁଙ୍କ ସ୍ଵାସ୍ଥ୍ୟକୁ ସୁରକ୍ଷିତ ରଖିବାରେ ସହାର୍ଯ୍ୟ କରିବ ।
କିଛି କଫ୍ ସିରପରେ ଓଭରଡୋଜ୍ ଥାଏ ଯେପରି କୋଡିନ୍, ଡେକ୍ସଟ୍ରୋମେଥୋର୍ଫାନ୍, କିମ୍ବା ପ୍ରୋମେଥାଜିନ୍ ଭଳି ଓପିଓଏଡ୍ ସାମଗ୍ରୀ ଥାଏ । ଆଉ ଏହି ଓଭରଡୋଜ୍ କଫ୍ ସିରପ୍ ଶରୀରକୁ ପ୍ରବେଶ କରିବା ଦ୍ଵାରା ଶ୍ୱାସକ୍ରିୟା ବନ୍ଦ, କୋମା କିମ୍ବା ମୃତ୍ୟୁର କାରଣ ମଧ୍ୟ ହୋଇପାରେ । ଖାଲି ସେତିକି ନୁହେଁ କୋରେକ୍ସ, ଫେନସେଡିଲ୍ ଏବଂ କୋଡିଷ୍ଟାର ଭଳି କୋଡିନ୍ ଯୁକ୍ତ କାଶ ସିରପ୍ ନିଶା ପାଇଁ ବହୁଳ ଭାବରେ ବ୍ୟବହୃତ ହୁଏ । ଯେଉଁ ବ୍ୟକ୍ତିମାନେ ଅଧିକ ଦିନ ଧରି ଏହି ସିରପକୁ ବ୍ୟବହାର କରନ୍ତି ସେମାନେ ଶାରୀରିକ ଏବଂ ମାନସିକ ଭାବରେ ଏକ ପ୍ରକାରର ନିଶାରେ ପଡ଼ିଥାନ୍ତି ।
ଏହାସହ ପିଲାମାନଙ୍କ ପାଇଁ ବହୁତ ବିପଦପୂର୍ଣ୍ଣ ମଧ୍ୟ । ୧୨ ବର୍ଷରୁ କମ୍ ବୟସର ପିଲାମାନଙ୍କୁ କୋଡିନ୍ କିମ୍ବା DXM ଯୁକ୍ତ କାଶ ସିରପ୍ ଦିଆଯିବା ଉଚିତ୍ ନୁହେଁ । ଯଦି ପିଲାଙ୍କୁ ଏହା ଦିଆଯାଏ ତେବେ ଏହାର ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଇଥାଏ । କଫ୍ ସିରପ୍ କେତେକ ସମୟରେ ନିଦ, ମୁଣ୍ଡ ବୁଲାଇବା, ପାଟି ଶୁଖିବା, ଝାପ୍ସା ଦେଖାଯିବା, ହାର୍ଟବିଟ୍ ବଢ଼ିବା, ଆଲର୍ଜି ଇତ୍ୟାଦି ପାର୍ଶ୍ୱ ପ୍ରତିକ୍ରିୟା ସୃଷ୍ଟି କରିପାରେ।
ଔଷଧ ଉତ୍ପାଦନ ଏବଂ ବ୍ୟବହାର ଦୃଷ୍ଟିରୁ ଭାରତ ବିଶ୍ୱର ପ୍ରମୁଖ ଦେଶମାନଙ୍କ ମଧ୍ୟରେ ଅନ୍ୟତମ। ବର୍ତ୍ତମାନ, କଫ୍ ସିରପ୍ ବଜାରର ମୂଲ୍ୟ ୨୬୨.୫ ନିୟୁତ ଡଲାର(ପ୍ରାୟ ୨,୨୦୦ କୋଟି)। ଏହା ବାର୍ଷିକ ୯.୯୨ ପ୍ରତିଶତ ହାରରେ ବୃଦ୍ଧି ପାଉଛି। ତେଣୁ ଏହା ୨୦୩୫ ସୁଦ୍ଧା ୬,୨୦୦ କୋଟିରେ ପହଞ୍ଚିପାରେ । କଫ୍ ସିରପ୍ ବ୍ୟତୀତ, ଭାରତରେ ଥଣ୍ଡା ଏବଂ କାଶ ଉପଚାର ବଜାରର ମୂଲ୍ୟ ବର୍ତ୍ତମାନ ପ୍ରାୟ ୧୧,୦୦୦ କୋଟି, ଏବଂ ଆଗାମୀ ଚାରି ବର୍ଷ ମଧ୍ୟରେ ୮ ପ୍ରତିଶତ ବାର୍ଷିକ ଅଭିବୃଦ୍ଧି ହାର ସହିତ ୧୬,୦୦୦ କୋଟିରେ ପହଞ୍ଚିବ ବୋଲି ଆକଳନ କରାଯାଇଛି ।
📱 Get Argus News App
✨Related Topics
Explore more stories