ସାରା ଦେଶରେ ପୁଣି ମୁଣ୍ଡ ଟେକୁଛି କୋଭିଡ୍-19

Key Points
ସାରା ଦେଶରେ ପୁଣି ମୁଣ୍ଡ ଟେକୁଛି କୋଭିଡ୍-19
ରାଜଧାନୀ ଭୁବନେଶ୍ବରରେ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ
ରାଜ୍ୟରେ ଚିହ୍ନଟ ହେଲେ ଆଉ 3 କରୋନା ଆକ୍ରାନ୍ତ
ଓଡ଼ିଶାରେ 12 ଆକ୍ରାନ୍ତ ଚିହ୍ନଟ, ଦେଶରେ 3,700ରୁ ଅଧିକ
8 ରାଜ୍ୟରେ କାୟା ବିସ୍ତାର କରୁଛି କରୋନା ଭାଇରସ
ଗତ 9 ଦିନରେ କରୋନା ମାମଲା 14 ଗୁଣ ବୃଦ୍ଧି
ରାଜ୍ୟରେ ୧୨ରେ ପହଞ୍ଚିଲା କୋଭିଡ୍ ରୋଗୀଙ୍କ ସଂଖ୍ୟା। ରବିବାର ୩ଟି ନୂଆ କେସ୍ ବାହାରିଛି। ସମସ୍ତ କୋଭିଡ୍ ଆକ୍ରାନ୍ତ ହୋମ୍ ଆଇସୋଲେସନରେ ଅଛନ୍ତି । ସେହିପରି ରାଜ୍ୟରେ ପ୍ରଥମ କୋଭିଡ୍ ମୃତ୍ୟୁ ହୋଇଛି। ଭୁବନେଶ୍ବରରେ କରୋନା ପୀଡ଼ିତାଙ୍କ ମୃତ୍ୟୁ ହୋଇଛି। ୮୫ ବର୍ଷୀୟ ବୃଦ୍ଧା ଯିଏକି ବହୁବିଧ ରୋଗରେ ପୀଡ଼ିତ ଥିଲେ, ତାଙ୍କର ମୃତ୍ୟୁ ହୋଇଛି। ଏନେଇ ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର ସୂଚନା ଦେଇଛନ୍ତି। ଏହା ଫଳରେ ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ରେ ପହଞ୍ଚିଛି। ତେଣେ ଜଣେ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିବା ନେଇ ସ୍ବାସ୍ଥ୍ୟ ବିଭାଗ ପାଖରେ ଖବର ଅଛି ଓ ଏନେଇ ଯାଞ୍ଚ କରାଯାଉଛି ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ।
ସାରା ଭାରତରେ ପୁଣି ମୁଣ୍ଡ ଟେକିବା ଆରମ୍ଭ କରିଛି କୋଭିଡ୍-୧୯। ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 3 ହଜାର 700 ଟପିଛି। ସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁସାରେ ମେ 22ରେ ଦେଶର କରୋନା ଆକ୍ରାନ୍ତଙ୍କ ସଂଖ୍ୟା 257 ଥିଲା। ଗତ 9 ଦିନରେ କରୋନା ମାମଲା 14 ଗୁଣ ବୃଦ୍ଧି ହୋଇଛି। କେରଳରେ ସର୍ବାଧିକ 1400 ସକ୍ରିୟ ଆକ୍ରାନ୍ତ ଥିବା ବେଳେ ମହାରାଷ୍ଟ୍ରରେ 485, ଦିଲ୍ଲୀରେ 436 ସକ୍ରିୟ କରୋନା ରୋଗୀ ଅଛନ୍ତି। ଗୁଜରାଟ, କର୍ଣ୍ଣାଟକ, ପଶ୍ଚିମବଙ୍ଗ ଓ ତାମିଲନାଡୁରେ 200 ଟପିଲାଣି ଆକ୍ରାନ୍ତଙ୍କ ସଂଖ୍ୟା। ବିଶେଷ କରି ମୁମ୍ବାଇ, ବେଙ୍ଗାଲୁରୁ ଏବଂ ହାଇଦ୍ରାବାଦ ଭଳି ସହରରେ ସଂକ୍ରମଣ ବୃଦ୍ଧି ପାଇଛି। ଜାନୁଆରୀ ଏପର୍ଯ୍ୟନ୍ତ ଦେଶରେ କରୋନା କାରଣରୁ 28 ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି କର୍ଣ୍ଣାଟକ ସରକାର ଜନ ଗହଳି ଅଞ୍ଚଳରେ ମାସ୍କ ପରିଧାନ ଓ ଶାରିରୀକ ଦୂରତା ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଦେଶରେ 8 ରାଜ୍ଯ କୋଭିଡ୍ 19 ପାଇଁ ଅଧିକ ପ୍ରଭାବିତ ହୋଇଛନ୍ତି। କୋଭିଡ-19 ପୁଣି ଚିନ୍ତା ବଢ଼ାଇଥିବା ବେଳେ ଚିକିତ୍ସା ପରେ ପ୍ରାୟ 15ଶହରୁ ଅଧିକ ଲୋକେ ସୁସ୍ଥ ହୋଇ ଘରକୁ ଫେରିଲେଣି।
କର୍ଣ୍ଣାଟକ ସମେତ କେତେକ ରାଜ୍ୟରେ କୋଭିଡ-19କୁ ନେଇ କଟକଣା ଜାରି କରାଗଲାଣି। ମାସ୍କ ପରିଧାନ ସମେତ ଯଥା ସମ୍ଭବ ସତର୍କତା ଅବଲମ୍ବନ ଲାଗି ବି ପରାମର୍ଶ ଦିଆଗଲାଣି। ତେବେ 2020ରେ କରୋନା ସଂକ୍ରମଣ ମାଡ଼ି ଚାଲିଥିବା ବେଳେ 4 ଟି ପର୍ଯ୍ୟାୟରେ ହୋଇଥିଲା ଲକ ଡାଉନ। ପ୍ରଥମ ପର୍ଯ୍ୟାୟ ମାର୍ଚ୍ଚ 25ରୁ ଏପ୍ରିଲ 14, ଦ୍ବିତୀୟ ପର୍ଯ୍ୟାୟ ଅପ୍ରିଲ 15ରୁ ମେ 3, ତୃତୀୟ ପର୍ଯ୍ୟାୟ ମେ 4ରୁ ମେ 17 ଏବଂ ଚତୁର୍ଥ ପର୍ଯ୍ୟାୟ ମେ 18ରୁ ମେ 31 ଯାଏଁ ହୋଇଥିଲା। ଏହାପରେ ସଂକ୍ରମଣ ବ୍ୟାପୁଥିବା ଅଞ୍ଚଳ କିମ୍ବା ଅଧିକ ଆକ୍ରାନ୍ତ ଥିବା ଏରିୟାକୁ କଣ୍ଟେନମେଣ୍ଟ ଜୋନ କରାଯାଇଥିଲା। ତେବେ ଏପ୍ରିଲ ୨୦୨୧ ପ୍ରଥମ ସପ୍ତାହ ବେଳକୁ ଦେଶରେ ତଥା ଓଡ଼ିଶାରେ କରୋନାର ଦ୍ୱିତୀୟ ଲହର ପ୍ରକୋପ ଦେଖାଦେଇଥିଲା। ଏପ୍ରିଲ ପ୍ରାରମ୍ଭରୁ କରୋନାର ଦ୍ୱିତୀୟ ଲହରରେ ବଢୁଥିବା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଶେଷରେ ଓଡ଼ିଶାରେ ମେ ୫ରୁ ୧୯ ମେ ୨୦୨୧ ଲକଡ଼ାଉନ ଲଗାଯାଇଥିଲା। ଏହାପରେ ଲକଡ଼ାଉନକୁ ପୁଣି ଦୁଇ ସପ୍ତାହ ପାଇଁ ମେ ୧୯ରୁ ଜୁନ ୧ ଯାଏଁ ବୃଦ୍ଧି କରାଯାଇଥିଲା। ଲକଡାଉନ ଓ ସଟଡାଉନ ସତ୍ତ୍ୱେ ୨୦୨୧ରେ କରୋନା ସଂକ୍ରମଣହାର ନ ହ୍ରାସ ପାଇବାରୁ ଲକଡ଼ାଉନକୁ ପୁଣି ୧୬ ଦିନ ପାଇଁ ଜୁନ ୧, ୨୦୨୧ରୁ ଜୁନ ୧୭, ୨୦୨୧ ସକାଳ ୫ଟା ଯାଏଁ ବୃଦ୍ଧି କରାଯାଇଥିଲା।