Covid 19: ୪୦୦୦ ଛୁଇଁଲାଣି ସଂକ୍ରମଣ ସଂଖ୍ୟା, ସଚେତନ ରହିବାକୁ ପରାମର୍ଶ

Key Points
ଦେଶରେ ବର୍ତ୍ତମାନ ଆକ୍ଟିଭ କେସ୍ ୩ ହଜାର ୯୬୧ ପାର୍ କରିଛି ।
୩୨ ଛୁଇଁଛି ମୃତକଙ୍କ ସଂଖ୍ୟା ।
ଦିଲ୍ଲୀରେ ଗୋଟିଏ ଦିନରେ ସର୍ବାଧିକ ୪୭ ନୂଆ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
କେରଳରେ ସର୍ବାଧିକ ୧୪୩୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ଦେଶରେ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ । ଦେଶରେ ୪ ହଜାର ମୁହାଁ ସଂକ୍ରମଣ ସଂଖ୍ୟା । ଗତ ୨୪ ଘଣ୍ଟାରେ ୪ ଜଣଙ୍କ ଜୀବନ ଯାଇଥିବା ବେଳେ ୨୦୩ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦିଲ୍ଲୀ, ତାମିଲନାଡୁ, ମହାରାଷ୍ଟ୍ର ଏବଂ କେରଳରେ ଜଣେ ଲେଖାଏଁ କରୋନା ରୋଗୀଙ୍କ ମୃତ୍ୟୁ । ଦେଶରେ ବର୍ତ୍ତମାନ ଆକ୍ଟିଭ କେସ୍ ୩ ହଜାର ୯୬୧ ପାର୍ କରିଛି । ୩୨ ଛୁଇଁଛି ମୃତକଙ୍କ ସଂଖ୍ୟା । ଦିଲ୍ଲୀରେ ଗୋଟିଏ ଦିନରେ ସର୍ବାଧିକ ୪୭ ନୂଆ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେପଟେ କେରଳରେ ସର୍ବାଧିକ ୧୪୩୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ସହ ଜଣଙ୍କର ମଧ୍ୟ ଜୀବନ ଯାଇଛି । ସେହିପରି ମହାରାଷ୍ଟ୍ରରେ ୫୦୬, ଦିଲ୍ଲୀରେ ୪୮୩, ପଶ୍ଚିମବଙ୍ଗରେ ୩୩୯, ଗୁଜରାଟରେ ୩୩୮, କର୍ଣ୍ଣାଟକରେ ୨୫୩ ଏବଂ ୟୁପିରେ ୧୫୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ଅନ୍ୟପଟେ ଓଡ଼ିଶାରେ ଏବେ ସୁଦ୍ଧା ୧୨ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରବିବାର ୩ଟି ନୂଆ କେସ୍ ବାହାରିଛି। ସମସ୍ତ କୋଭିଡ୍ ଆକ୍ରାନ୍ତ ହୋମ୍ ଆଇସୋଲେସନରେ ଅଛନ୍ତି । ସେହିପରି ରାଜ୍ୟରେ ପ୍ରଥମ କୋଭିଡ୍ ମୃତ୍ୟୁ ହୋଇସାରିଛି। ଭୁବନେଶ୍ବରରେ କରୋନା ପୀଡ଼ିତାଙ୍କ ମୃତ୍ୟୁ ହୋଇଛି। ୮୫ ବର୍ଷୀୟ ବୃଦ୍ଧା ଯିଏକି ବହୁବିଧ ରୋଗରେ ପୀଡ଼ିତ ଥିଲେ, ତାଙ୍କର ମୃତ୍ୟୁ ହୋଇଛି। ଏନେଇ ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର ସୂଚନା ଦେଇଛନ୍ତି। ଏହା ଫଳରେ ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ରେ ପହଞ୍ଚିଛି। ତେଣେ ଜଣେ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିବା ନେଇ ସ୍ବାସ୍ଥ୍ୟ ବିଭାଗ ପାଖରେ ଖବର ଅଛି ଓ ଏନେଇ ଯାଞ୍ଚ କରାଯାଉଛି ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ।
ସାରା ଭାରତରେ ପୁଣି ମୁଣ୍ଡ ଟେକିବା ଆରମ୍ଭ କରିଛି କୋଭିଡ୍-୧୯। ଗତ ୯ ଦିନରେ କରୋନା ମାମଲା ୧୪ ଗୁଣ ବୃଦ୍ଧି ହୋଇଛି। ବିଶେଷ କରି ମୁମ୍ବାଇ, ବେଙ୍ଗାଲୁରୁ ଏବଂ ହାଇଦ୍ରାବାଦ ଭଳି ସହରରେ ସଂକ୍ରମଣ ବୃଦ୍ଧି ପାଇଛି। ସେହିପରି କର୍ଣ୍ଣାଟକ ସରକାର ଜନ ଗହଳି ଅଞ୍ଚଳରେ ମାସ୍କ ପରିଧାନ ଓ ଶାରିରୀକ ଦୂରତା ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଦେଶରେ ୮ ରାଜ୍ଯ କୋଭିଡ୍ ୧୯ ପାଇଁ ଅଧିକ ପ୍ରଭାବିତ ହୋଇଛନ୍ତି। କୋଭିଡ-୧୯ ପୁଣି ଚିନ୍ତା ବଢ଼ାଇଥିବା ବେଳେ ଚିକିତ୍ସା ପରେ ପ୍ରାୟ ୧୫ ଶହରୁ ଅଧିକ ଲୋକେ ସୁସ୍ଥ ହୋଇ ଘରକୁ ଫେରିଥିବା ରିପୋର୍ଟ ସାମ୍ନାକୁ ଆସିଛି ।
କର୍ଣ୍ଣାଟକ ସମେତ କେତେକ ରାଜ୍ୟରେ କୋଭିଡ-19କୁ ନେଇ କଟକଣା ଜାରି କରାଗଲାଣି। ମାସ୍କ ପରିଧାନ ସମେତ ଯଥା ସମ୍ଭବ ସତର୍କତା ଅବଲମ୍ବନ ଲାଗି ବି ପରାମର୍ଶ ଦିଆଗଲାଣି। ତେବେ ୨୦୨୦ରେ କରୋନା ସଂକ୍ରମଣ ମାଡ଼ି ଚାଲିଥିବା ବେଳେ ୪ଟି ପର୍ଯ୍ୟାୟରେ ହୋଇଥିଲା ଲକ ଡାଉନ। ପ୍ରଥମ ପର୍ଯ୍ୟାୟ ମାର୍ଚ୍ଚ ୨୫ରୁ ଏପ୍ରିଲ ୧୪, ଦ୍ବିତୀୟ ପର୍ଯ୍ୟାୟ ଅପ୍ରିଲ ୧୫ରୁ ମେ ୩, ତୃତୀୟ ପର୍ଯ୍ୟାୟ ମେ ୪ରୁ ମେ ୧୭ ଏବଂ ଚତୁର୍ଥ ପର୍ଯ୍ୟାୟ ମେ ୧୮ରୁ ମେ ୩୧ ଯାଏଁ ହୋଇଥିଲା। ଏହାପରେ ସଂକ୍ରମଣ ବ୍ୟାପୁଥିବା ଅଞ୍ଚଳ କିମ୍ବା ଅଧିକ ଆକ୍ରାନ୍ତ ଥିବା ଏରିୟାକୁ କଣ୍ଟେନମେଣ୍ଟ ଜୋନ କରାଯାଇଥିଲା।
ତେବେ ଏପ୍ରିଲ ୨୦୨୧ ପ୍ରଥମ ସପ୍ତାହ ବେଳକୁ ଦେଶରେ ତଥା ଓଡ଼ିଶାରେ କରୋନାର ଦ୍ୱିତୀୟ ଲହର ପ୍ରକୋପ ଦେଖାଦେଇଥିଲା। ଏପ୍ରିଲ ପ୍ରାରମ୍ଭରୁ କରୋନାର ଦ୍ୱିତୀୟ ଲହରରେ ବଢୁଥିବା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଶେଷରେ ଓଡ଼ିଶାରେ ମେ ୫ରୁ ୧୯ ମେ ୨୦୨୧ ଲକଡ଼ାଉନ ଲଗାଯାଇଥିଲା। ଏହାପରେ ଲକଡ଼ାଉନକୁ ପୁଣି ଦୁଇ ସପ୍ତାହ ପାଇଁ ମେ ୧୯ରୁ ଜୁନ ୧ ଯାଏଁ ବୃଦ୍ଧି କରାଯାଇଥିଲା। ଲକଡାଉନ ଓ ସଟଡାଉନ ସତ୍ତ୍ୱେ ୨୦୨୧ରେ କରୋନା ସଂକ୍ରମଣହାର ନ ହ୍ରାସ ପାଇବାରୁ ଲକଡ଼ାଉନକୁ ପୁଣି ୧୬ ଦିନ ପାଇଁ ଜୁନ ୧, ୨୦୨୧ରୁ ଜୁନ ୧୭, ୨୦୨୧ ସକାଳ ୫ଟା ଯାଏଁ ବୃଦ୍ଧି କରାଯାଇଥିଲା।