Bank Loot / ଗ୍ରାହକ ସାଜି ବ୍ୟାଙ୍କରେ ବସିଥିଲେ, ସୁଯୋଗ ଦେଖି କଲେ ଲୁଟ୍ ଉଦ୍ୟମ

Key Points
ମୁହଁ ଢାଙ୍କି ବ୍ୟାଙ୍କରେ ପଶିଲେ ୫ ଯୁବକ, ଗାର୍ଡଙ୍କୁ ସ୍ପ୍ରେ ଉଦ୍ୟମ
ଗ୍ରାହକ ସାଜି ବ୍ୟାଙ୍କରେ ବସିଥିଲେ, ସୁଯୋଗ ଦେଖି କଲେ ଲୁଟ୍ ଉଦ୍ୟମ
ଗାର୍ଡଙ୍କ ତତ୍ପରତାରୁ ଫସର ଫାଟିଲା ଲୁଟେରାଙ୍କ ଯୋଜନା, ଖୋଜୁଛି ପୋଲିସ
ପଞ୍ଜାବର ଅମୃତସର ଜିଲ୍ଲା ଅନ୍ତର୍ଗତ ଜଣ୍ଡିଆଲା ଗୁରୁରେ ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖାରେ ଲୁଟ୍ ଉଦ୍ୟମ ଘଟଣାକୁ ନେଇ ହଇଚଇ ସୃଷ୍ଟି ହୋଇଛି । ମୁହଁ ଢାଙ୍କିଥିବା ପ୍ରାୟ ୫ ଜଣ ସନ୍ଦିଗ୍ଧ ଯୁବକ ବ୍ୟାଙ୍କ ଭିତରକୁ ପ୍ରବେଶ କରି କିଛି ସମୟ ପର୍ଯ୍ୟନ୍ତ ସାଧାରଣ ଗ୍ରାହକଙ୍କ ଭଳି ବସିଥିଲେ । ପରେ ଜଣେ ଯୁବକ ସୁରକ୍ଷାକର୍ମୀଙ୍କ ଉପରେ ସ୍ପ୍ରେ କରିବାକୁ ଚେଷ୍ଟା କରିଥିଲେ । ତେବେ ଗାର୍ଡଙ୍କ ସତର୍କତା ଯୋଗୁଁ ସନ୍ଦିଗ୍ଧମାନେ ନିଜ ଉଦ୍ଦେଶ୍ୟରେ ସଫଳ ହୋଇପାରିନଥିଲେ ।
ବ୍ୟାଙ୍କ ଅଧିକାରୀଙ୍କ ସୂଚନା ଅନୁସାରେ, ଶାଖାଟି ପ୍ରତିଦିନ ଭଳି ସାଧାରଣ ଭାବେ ଖୋଲା ଥିଲା । ପ୍ରାୟ ୧୧ଟା ସମୟରେ କିଛି ଯୁବକ ବ୍ୟାଙ୍କ ଭିତରକୁ ପ୍ରବେଶ କରିଥିଲେ । ସମସ୍ତଙ୍କ ମୁହଁ କପଡ଼ାରେ ଢାଙ୍କା ଥିଲା । ବ୍ୟାଙ୍କ କର୍ମଚାରୀମାନେ ସେମାନଙ୍କୁ ସାଧାରଣ ଗ୍ରାହକ ବୋଲି ଭାବିଥିଲେ । ଯୁବକମାନେ ଗ୍ରାହକଙ୍କ ପାଇଁ ଥିବା ସ୍ଥାନରେ ବସିଥିଲେ ।
କିଛି ସମୟ ପରେ ସେମାନଙ୍କ ଗତିବିଧି ସନ୍ଦେହଜନକ ଲାଗିଥିଲା । ଏହି ସମୟରେ ଜଣେ ଯୁବକ ହଠାତ୍ ସୁରକ୍ଷା ଗାର୍ଡଙ୍କ ଉପରେ ସ୍ପ୍ରେ କରିବାକୁ ଚେଷ୍ଟା କରିଥିଲେ । ଗାର୍ଡ ତୁରନ୍ତ ପରିସ୍ଥିତିକୁ ବୁଝି ତାଙ୍କୁ ପ୍ରତିରୋଧ କରିଥିଲେ । ଏହାପରେ ସମସ୍ତ ସନ୍ଦିଗ୍ଧ ଯୁବକ ବ୍ୟାଙ୍କରୁ ବାହାରକୁ ଦୌଡ଼ି ପଳାଇଥିଲେ ।
ସୌଭାଗ୍ୟବଶତଃ ଘଟଣାରେ କାହାରି କୌଣସି ଗୁରୁତର କ୍ଷତି ହୋଇନାହିଁ । ସନ୍ଦିଗ୍ଧମାନେ ବ୍ୟାଙ୍କରୁ କୌଣସି ନଗଦ ଟଙ୍କା କିମ୍ବା ଅନ୍ୟ ସାମଗ୍ରୀ ନେଇଯାଇପାରିନଥିଲେ।
ଗାର୍ଡଙ୍କ ସତର୍କତାରୁ ଟଳିଲା ବଡ଼ ଲୁଟ୍
ବ୍ୟାଙ୍କ ଅଧିକାରୀ କହିଛନ୍ତି ଯେ ସନ୍ଦିଗ୍ଧମାନଙ୍କ ମୁହଁ ଢାଙ୍କା ଥିବାରୁ ପ୍ରଥମେ ସେମାନଙ୍କ ଉପରେ ସନ୍ଦେହ ହୋଇନଥିଲା । ସେମାନେ କିଛି ସମୟ ଧରି ସାଧାରଣ ଗ୍ରାହକଙ୍କ ଭଳି ବ୍ୟାଙ୍କରେ ବସିଥିଲେ । ସୁରକ୍ଷା ଗାର୍ଡଙ୍କ କହିବା ଅନୁସାରେ, କିଛି ଯୁବକ ପ୍ରଥମେ ଶାଖାକୁ ଆସିଥିଲେ ଏବଂ ସେମାନଙ୍କ ମୁହଁ ଢାଙ୍କା ଥିଲା। ଗାର୍ଡ ସେମାନଙ୍କୁ ମୁହଁ ଖୋଲା ରଖିବାକୁ କହିଥିଲେ। ପରେ ସେ ବ୍ୟାଙ୍କ ଭିତରକୁ ଯିବା ସମୟରେ ଜଣେ ଯୁବକ ତାଙ୍କ ଉପରେ ସ୍ପ୍ରେ କରିବାକୁ ଚେଷ୍ଟା କରିଥିଲା। ଗାର୍ଡ ତୁରନ୍ତ ପରିସ୍ଥିତି ବୁଝି ପ୍ରତିକ୍ରିୟା ଦେବାରୁ ସନ୍ଦିଗ୍ଧମାନେ ପଳାଇଥିଲେ ।
ଜଣେ ଗ୍ରାହକଙ୍କ କହିବା ଅନୁସାରେ, ସେ ବ୍ୟାଙ୍କକୁ ଟଙ୍କା ଜମା କରିବାକୁ ଆସିଥିଲେ । ଏହି ସମୟରେ ଯୁବକମାନେ ହଠାତ୍ ଗାର୍ଡଙ୍କ ଉପରେ ସ୍ପ୍ରେ କରିବାକୁ ଚେଷ୍ଟା କରିଥିଲେ । ଏହାପରେ ସୁରକ୍ଷାକର୍ମୀ ସେମାନଙ୍କ ପଛରେ ଦୌଡ଼ିଥିଲେ । ଯଦି ବ୍ୟାଙ୍କରେ ସୁରକ୍ଷା ଗାର୍ଡ ନଥାନ୍ତେ, ତେବେ ସନ୍ଦିଗ୍ଧମାନେ ବଡ଼ ଧରଣର ଲୁଟ୍ ଘଟାଇପାରିଥାନ୍ତେ ବୋଲି ଗ୍ରାହକ ଜଣକ କହିଛନ୍ତି ।
CCTV ଫୁଟେଜ୍ ଯାଞ୍ଚ କରୁଛି ପୋଲିସ
ଘଟଣାର ସୂଚନା ପାଇବା ପରେ ପୋଲିସ ଟିମ୍ ବ୍ୟାଙ୍କରେ ପହଞ୍ଚିଥିଲା । ବ୍ୟାଙ୍କରେ କିଛି ଯୁବକ ସ୍ପ୍ରେ କରିବାକୁ ଚେଷ୍ଟା କରିଥିବା ନେଇ ସୂଚନା ମିଳିଥିବା ପୋଲିସ ଅଧିକାରୀମାନେ କହିଛନ୍ତି । ପୋଲିସ ବ୍ୟାଙ୍କ ଭିତରେ ଲାଗିଥିବା CCTV କ୍ୟାମେରାର ଫୁଟେଜ୍ ଜବତ କରି ତଦନ୍ତ ଆରମ୍ଭ କରିଛି । ବ୍ୟାଙ୍କ ଭିତର ଓ ଆଖପାଖ ଅଞ୍ଚଳର କ୍ୟାମେରା ରେକର୍ଡିଂ ଯାଞ୍ଚ କରାଯାଉଛି । ସନ୍ଦିଗ୍ଧମାନଙ୍କ ପରିଚୟ ଜାଣିବା ସହ ସେମାନେ କେଉଁ ରାସ୍ତାରେ ବ୍ୟାଙ୍କକୁ ଆସିଥିଲେ ଏବଂ ଘଟଣା ପରେ କେଉଁ ଦିଗକୁ ପଳାଇଥିଲେ, ସେନେଇ ମଧ୍ୟ ତଦନ୍ତ ଚାଲିଛି ।
CCTV ଫୁଟେଜ୍ ଆଧାରରେ ସନ୍ଦିଗ୍ଧମାନଙ୍କ ପରିଚୟ ଏବଂ ସେମାନଙ୍କ ସମ୍ଭାବ୍ୟ ଠିକଣା ଖୋଜାଯାଉଛି । ଅଭିଯୁକ୍ତମାନଙ୍କୁ ଶୀଘ୍ର ଗିରଫ କରିବା ପାଇଁ ପୋଲିସ ତଦନ୍ତକୁ ଜୋରଦାର କରିଛି ।
📱 Get Argus News App
✨Related Topics
Explore more stories