କ୍ଷମତା ଗଲା, ବଢ଼ିଲା କେଜରିୱାଲଙ୍କ ଅଡୁଆ

କ୍ଷମତା ଗଲା, କେଜରିୱାଲଙ୍କ ଅଡୁଆ ବଢ଼ିଲା
ଶିଶ୍ ମହଲ ମାମଲାରେ ସିଭିସିର କଡ଼ା ଆଭିମୁଖ୍ୟ
ରିନୋଭେସନ ନାଁରେ କରପସନ୍ ଅଭିଯୋଗର ତଦନ୍ତ ଆରମ୍ଭ
ଦୁର୍ନୀତି ବିରୋଧୀ ଆନ୍ଦୋଳନରୁ ଜନ୍ମ ପାର୍ଟି ଦୁର୍ନୀତି ପାଇଁ ହେଲା ପ୍ରତ୍ୟାଖ୍ୟାତ
ଆମ ଆଦମୀ ପାର୍ଟିର ଜାତୀୟ ବିକଳ୍ପ ବନିବା ସ୍ବପ୍ନ ବି ହେଲା ଧୂଳିସାତ
ଅର୍ଗସ ବ୍ୟୁରୋ : ଯେଉଁ ଶିଶ୍ ମହଲକୁ ନେଇ ସଂସଦରେ ପ୍ରଧାନମନ୍ତ୍ରୀ କରିଥିଲେ କଟାକ୍ଷ। ସେହି ଶିଶ୍ ମହଲ ଏବେ ବନିଛି ଆମ ଆଦମୀ ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷ୍ୟ ଅରବିନ୍ଦ କେଜରିୱାଲଙ୍କ ପାଇଁ କଣ୍ଟା। ସରାକରୀ ନିୟମର ଉଲଂଘନ କରି ରିନୋଭେସନ ନାଁରେ ଆଲିସାନ ସରକାରୀ ବଙ୍ଗଳା ନିର୍ମାଣ ବଢାଇଛି କେଜରିୱାଲଙ୍କ ଅଡୁଆ।
ଶିଶ୍ ମହଲ ଅନିୟମିତତା ଅଭିଯୋଗର ତଦନ୍ତ ନିର୍ଦ୍ଦେଶ ଦେଇଛି ସେଣ୍ଟ୍ରାଲ ଭିଜିଲାନ୍ସ କମିଶନ ବା ସିଭିସି। ଏହାର ବିସ୍ତୃତ ଯାଞ୍ଚ ପାଇଁ କେନ୍ଦ୍ରୀୟ ଲୋକ ନିର୍ମାଣ ବିଭାଗ CPWDକୁ ନିର୍ଦ୍ଦେଶ ଦେଇଛି ସିଭିସି। ଯେଉଁଥିରେ କୁହାଯାଇଛି ୪୦ ହଜାର ବର୍ଗଫୁଟ ଅଞ୍ଚଳରେ ବ୍ୟାପ୍ତ ଏକ ବଙ୍ଗଳାର ନିର୍ମାଣରେ ଭବନ ନିର୍ମାଣ ମାନଦଣ୍ଡର ଉଲଂଘନ କରାଯାଇଛି। ଯାହାର ଯାଞ୍ଚ ଆରମ୍ଭ କରିଛି CPWD।
୧୪ ଅକ୍ଟୋବର ୨୦୨୪ରେ ଏନେଇ ସିଭିସିରେ ଅଭିଯୋଗ କରିଥିଲେ ବିଜେପି ବିଧାୟକ ବିଜେନ୍ଦ୍ର ଗୁପ୍ତା। ୬ ଫ୍ଲାଗ୍ ଷ୍ଟାଫ୍ ରୋଡ ବଙ୍ଗଳା ଅର୍ଥାତ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଆବାସ ନିର୍ମାଣରେ ହୋଇଥିବା ଅନିୟମିତତାର ଯାଞ୍ଚ ପାଇଁ ସିଭିସିଙ୍କୁ ଅନୁରୋଧ କରିଥିଲେ ବିଜେନ୍ଦ୍ର ଗୁପ୍ତା। ଅଭିଯୋଗ ଆଧାରେ ଗତ ନଭେମ୍ବର ଯାଞ୍ଚ ଆରମ୍ଭ କରିଥିଲେ ସିଭିସି। ଆଉ ଏବେ ପ୍ରାରମ୍ଭିକ ତଦନ୍ତ ରିପୋର୍ଟ ଆଧାରରେ ଗତ ୧୩ ତାରିଖରେ ବିସ୍ତୃତ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ସିଭିସି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଥିବାବେଳେ କେଜରୀୱାଲ କରାଇଥିଲେ ନିଜ ସରକାରୀ ବଙ୍ଗଳାର ରିନୋଭେସନ୍। ଦୁଇଟି ସରକାରୀ ବଙ୍ଗଳାକୁ
ଭାଙ୍ଗି କେଜରୀୱାଲଙ୍କ ପଇଁ ନିର୍ମାଣ ହୋଇଥିଲା ଆଲିଶାନ୍ ବଙ୍ଗଳା। ଏହି ରିନୋଭେସନ ପାଇଁ ପ୍ରାରମ୍ଭିକ ବ୍ୟୟ ଅଟକଳ ଥିଲା ୭ କୋଟି ୯୧ ଲକ୍ଷ ଟଙ୍କା। କିନ୍ତୁ କାମ ଶେଷ ହେବା ବେଳକୁ ଖର୍ଚ୍ଚ ହୋଇଥିଲା ୩୩ କୋଟି ୬୬ ଲକ୍ଷ ଟଙ୍କା। ପଞ୍ଚତାରକା ହୋଟେଲଠାରୁ କୌଣସିଗୁଣରେ କମ୍ ନଥିଲା କେଜରୀୱାଲଙ୍କ ବଙ୍ଗଳା। ଯାହାକୁ ଶିଶ୍ ମହଲର ନାଁ ଦେଇଥିଲେ ବିରୋଧୀ।
ଆନ୍ନା ହଜାରେଙ୍କ ଦୁର୍ନୀତି ବିରୋଧୀ ଆନ୍ଦୋଳନରୁ ଜନ୍ମ ନେଇଥିଲା ଆମଆଦମୀ ପାର୍ଟି। ନିଜକୁ ଜଣେ କଟ୍ଟର ଇମାନଦାର ନେତା ଭାବେ ଜନତାଙ୍କ ଆଗରେ ଉପସ୍ଥାପନ କରିଥିଲେ ଦଳର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜରୀୱାଲ। ଆଉ ତାଙ୍କର ଏହି ଯୋଜନା ହୋଇଥିଲା ସଫଳ। ରାତାରାତି ହିରୋ ବନିଥିଲେ ଆପ୍ ସଂଯୋଜକ। ଦିଲ୍ଲୀବାସୀ କଂଗ୍ରେସକୁ ହଟାଇ ଆମ ଆଦମୀ ପାର୍ଟି ହାତରେ କ୍ଷମତା ଦେଇଥିଲେ। ତିନି ତିନିଥର ମୁଖ୍ୟମନ୍ତ୍ରୀ ବନି ଧରାକୁ ସରା ମଣିନଥିଲେ କେଜରୀୱାଲ। ତାଙ୍କ ବିରୋଧରେ ଆସିଥିଲା ଏକାଧିକ ଦୁର୍ନୀତି ଅଭିଯୋଗ। ସରକାରୀ ଆବାସକୁ ଶିଶ୍ ମହଲରେ ପରିଣତ କରିବା ହେଉ କିମ୍ବା ମଦ ଦୁର୍ନୀତି। ଶେଷରେ ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ପଦରେ ଥାଇ ଜେଲ ଯାଇଥିଲେ ଆପ୍ ମୁଖ୍ୟ। କେବଳ କେଜରୀୱାଲ ନୁହନ୍ତି ତାଙ୍କର ଏକାଧିକ ମନ୍ତ୍ରୀ ଦୁର୍ନୀତି ଅଭିଯୋଗରେ ଜେଲ ଯାଇଥିଲେ।
ଆଉ ଧୀରେ ଧୀରେ କଟ୍ଟର ଇମାନଦାରର ଛବି କ୍ଟ୍ଟର ଭ୍ରଷ୍ଟାଚାରୀର ବନିଯାଇଥିଲେ। ଯାହାର ଜବାବ ନିକଟରେ ଶେଷ ହୋଇଥିବା ଦିଲ୍ଲୀ ବିଧାନସଭା ନିର୍ବାଚନରେ ଦେଇଥିଲେ ଦିଲ୍ଲୀବାସୀ। ଆପକୁ ହଟାଇ ୨୭ ବର୍ଷ ପରେ ବିଜେପି ହାତରେ ଦେଲେ ଦିଲ୍ଲୀର ଶାସନ ଡୋରୀ। ଆପ୍ ତ ଦିଲ୍ଲୀରେ କ୍ଷମତାରୁ ଗଲା ତା ସହିତ ଦିଲ୍ଲୀ ପରେ ପଞ୍ଜାବରେ ସରକାର ଗଠନ ପରେ ଜାତୀୟ ବିକଳ୍ପ ଭାବେ ଆପ୍ କୁ ନେଇ ଯେଉଁ ଚର୍ଚ୍ଚା ହଉଥିଲା ସେଥିରେ ବି ପୂର୍ଣ୍ଣଚ୍ଛେଦ ପଡ଼ିଲା।