Bill Dispute / ଡେଟିଂ ଆପ୍ରୁ ପବ୍ରେ ପହଞ୍ଚିବା ପରେ ବିବାଦ, ୨୯,୮୮୪ ବିଲ୍କୁ ଆଉ ତା'ପରେ...

Key Points
୨୯,୮୮୪ ବିଲ୍କୁ ଆଉ ତା'ପରେ...
ତେଲଙ୍ଗାନାର ହାଇଦ୍ରାବାଦରେ ଡେଟିଂ ଆପ୍ରେ ଆରମ୍ଭ ହୋଇଥିବା ଏକ ପରିଚୟ ପବ୍ରେ ପହଞ୍ଚିବା ପରେ ବିବାଦର ରୂପ ନେଇଛି । ଜଣେ ସଫ୍ଟୱେର ଇଞ୍ଜିନିୟର ଡେଟିଂ ଆପ୍ରେ ପରିଚିତ ହୋଇଥିବା ଜଣେ ମହିଳା ଏବଂ ପବ୍ ମ୍ୟାନେଜମେଣ୍ଟ ବିରୋଧରେ ତାଙ୍କଠାରୁ ଅଧିକ ଟଙ୍କା ଆଦାୟ କରିବାକୁ ଚେଷ୍ଟା କରାଯାଇଥିବା ଅଭିଯୋଗ କରିଛନ୍ତି । ଯୁବକ ଜଣକ ଏହି ଘଟଣାକୁ ହନିଟ୍ରାପ୍ ଭଳି ମାମଲା ବୋଲି ଅଭିଯୋଗ କରିଛନ୍ତି ।
ପୋଲିସ୍ରେ ଦିଆଯାଇଥିବା ଅଭିଯୋଗ ଅନୁସାରେ, କୁକଟପଲ୍ଲୀର ୨୭ ବର୍ଷୀୟ ସଫ୍ଟୱେର ଇଞ୍ଜିନିୟର ଚେରୁକୁ ହେମନ୍ତଙ୍କ ୨୭ ସେପ୍ଟେମ୍ବରରେ ‘କ୍ୱାକ୍-କ୍ୱାକ୍’ ଡେଟିଂ ଆପ୍ରେ ଦିବ୍ୟା ନାମକ ଜଣେ ମହିଳାଙ୍କ ସହ ମ୍ୟାଚ୍ ହୋଇଥିଲା । ପରେ ଉଭୟଙ୍କ ମଧ୍ୟରେ ଫୋନ୍ରେ କଥାବାର୍ତ୍ତା ହୋଇଥିଲା ।
ପବ୍କୁ ଯିବା ପରେ ବଢ଼ିଲା ବିବାଦ
ଅଭିଯୋଗ ଅନୁସାରେ, ୨୮ ସେପ୍ଟେମ୍ବରରେ ମହିଳା ଜଣକ ହେମନ୍ତଙ୍କୁ ଜୁବିଲି ହିଲ୍ସର ନୀରୁସ୍ ଜଙ୍କସନ୍ ନିକଟରେ ଦେଖା କରିବାକୁ ଡାକିଥିଲେ । ସେଠାରେ ଦେଖା ହେବା ପରେ ମହିଳା ଜଣକ ରୋଡ୍ ନମ୍ବର ୩୬ରେ ଥିବା ‘୩୬ କେମିଷ୍ଟ୍ରି ପବ୍’କୁ ଯିବାକୁ ପ୍ରସ୍ତାବ ଦେଇଥିବା ହେମନ୍ତ ଅଭିଯୋଗ କରିଛନ୍ତି ।
ହେମନ୍ତଙ୍କ କହିବା ଅନୁସାରେ, ଉଭୟ ପବ୍ରେ ପହଞ୍ଚିବା ପରେ ମହିଳା ଜଣକ ବିଭିନ୍ନ ଖାଦ୍ୟ ଓ ପାନୀୟ ଅର୍ଡର କରିଥିଲେ । କିଛି ସମୟ ପରେ ବିଲ୍ ଆସିବା ପରେ ଟଙ୍କା ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।
୨୯,୮୮୪ ର ବିଲ୍କୁ ନେଇ ପ୍ରଶ୍ନ
ହେମନ୍ତଙ୍କ ଦାବି ଅନୁସାରେ, ସେ କେବଳ ଗୋଟିଏ ବିୟର ପିଇଥିଲେ। କିନ୍ତୁ ତାଙ୍କ ହାତକୁ ଆସିଥିବା ସମ୍ପୂର୍ଣ୍ଣ ବିଲ୍ର ରାଶି ଥିଲା ୨୯,୮୮୪ । ଏହାକୁ ନେଇ ସେ ପବ୍ର କର୍ମଚାରୀଙ୍କୁ ପ୍ରଶ୍ନ କରିଥିଲେ । ତାଙ୍କ ଅଭିଯୋଗ ଅନୁସାରେ, ମହିଳା ଜଣକ ଏପରି କିଛି ଡ୍ରିଙ୍କ୍ସ ଅର୍ଡର କରିଥିଲେ, ଯାହା ଦେଖିବାକୁ ଅଣ-ମଦ୍ୟପାନୀୟ ଭଳି ଲାଗୁଥିଲା । କିନ୍ତୁ ବିଲ୍ରେ ସେଗୁଡ଼ିକୁ ଦାମୀ ମଦ ଭାବେ ଦର୍ଶାଯାଇଥିବା ହେମନ୍ତ ଅଭିଯୋଗ କରିଛନ୍ତି ।
ବାଉନ୍ସରଙ୍କ ଘେରାଉର ଅଭିଯୋଗ
ବିଲ୍କୁ ନେଇ ପ୍ରଶ୍ନ କରିବା ପରେ ପବ୍ର କର୍ମଚାରୀ ଏବଂ ବାଉନ୍ସରମାନେ ତାଙ୍କୁ ଘେରି ଯାଇଥିବା ହେମନ୍ତ ଅଭିଯୋଗ କରିଛନ୍ତି । ଏହା ପରେ ନିଜ ସୁରକ୍ଷାକୁ ନେଇ ସେ ଚିନ୍ତିତ ହୋଇ ପୋଲିସ୍କୁ ଯୋଗାଯୋଗ କରିଥିବା କହିଛନ୍ତି । ହେମନ୍ତ ବିଲ୍ ଦେବାକୁ କରିବାକୁ ମନା କରିଥିଲେ । ଏହି ସମୟରେ ମହିଳା ଜଣକ ପବ୍ରୁ ବାହାରି ଯାଇଥିଲେ ।
ପରେ ମହିଳା ଜଣକ ୧୦,୦୦୦ ପୈଠ କରିଥିବା ଦାବି କରିଥିଲେ ବୋଲି ହେମନ୍ତ ନିଜ ଅଭିଯୋଗରେ କହିଛନ୍ତି । ତେବେ ସେ ଏହି ପେମେଣ୍ଟକୁ ନେଇ ମଧ୍ୟ ସନ୍ଦେହ ପ୍ରକାଶ କରିଥିଲେ ଏବଂ ପେମେଣ୍ଟ ଫେକ୍ ହୋଇପାରେ ବୋଲି ଅଭିଯୋଗ କରିଥିଲେ ।
ଅଭିଯୋଗରେ ହେମନ୍ତ ମହିଳାଙ୍କ ପରିଚୟ ଦିବ୍ୟା ଓରଫ କାବ୍ୟା ବୋଲି ଦର୍ଶାଇଛନ୍ତି । ଏଥିସହିତ ମହିଳା ଏବଂ ପବ୍ ମ୍ୟାନେଜମେଣ୍ଟ ମଧ୍ୟରେ ମିଶିଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି । ହେମନ୍ତଙ୍କ ଦାବି ହେଉଛି, ଡେଟିଂ ଆପ୍ ମାଧ୍ୟମରେ ଗ୍ରାହକଙ୍କୁ ପବ୍କୁ ଡାକି ତାଙ୍କଠାରୁ ଅଧିକ ଟଙ୍କା ଆଦାୟ କରିବାକୁ ଏଭଳି ଉଦ୍ୟମ କରାଯାଉଥିଲା ।
CCTV ଓ ପେମେଣ୍ଟ ରେକର୍ଡ ଯାଞ୍ଚ କରିବ ପୋଲିସ୍
ପୋଲିସ୍ ଏବେ ଅଭିଯୋଗ ଆଧାରରେ ଘଟଣାର ତଦନ୍ତ କରିବ । ତଦନ୍ତ ସମୟରେ ପବ୍ର ବିଲିଂ ରେକର୍ଡ, ପେମେଣ୍ଟ ଡିଟେଲ୍ସ ଏବଂ ସେହି ରାତିର CCTV ଫୁଟେଜ୍ ଯାଞ୍ଚ କରାଯାଇପାରେ । ଏହା ମାଧ୍ୟମରେ ଯୁବକ ଓ ମହିଳାଙ୍କ ମଧ୍ୟରେ ପବ୍ରେ ପ୍ରକୃତରେ କ’ଣ ଘଟିଥିଲା, ବିଲ୍ କିପରି ପ୍ରସ୍ତୁତ ହୋଇଥିଲା ଏବଂ ୧୦,୦୦୦ର ପେମେଣ୍ଟ ପ୍ରକୃତ କି ନୁହେଁ, ସେ ସମ୍ପର୍କରେ ତଥ୍ୟ ସାମ୍ନାକୁ ଆସିପାରେ । ବର୍ତ୍ତମାନ ସମୟରେ ହେମନ୍ତଙ୍କ ପକ୍ଷରୁ କରାଯାଇଥିବା ହନିଟ୍ରାପ୍ ଏବଂ ଫେକ୍ ପେମେଣ୍ଟ ସମ୍ପର୍କିତ ଅଭିଯୋଗ ତଦନ୍ତାଧୀନ ରହିଛି । ପୋଲିସ୍ର ତଦନ୍ତ ପରେ ହିଁ ଘଟଣାର ପ୍ରକୃତ ଚିତ୍ର ସ୍ପଷ୍ଟ ହେବ।
📱 Get Argus News App
✨Related Topics
Explore more stories