Videos
|
National

Delhi Building Collapse / ଦିଲ୍ଲୀରେ ବଡ଼ ଅଘଟଣ: ଭୁଶୁଡ଼ିଲା ୫୦-୬୦ ବର୍ଷ ପୁରୁଣା ଘର, ଚାଲିଗଲା ଜୀବନ

Rashmita Mishra
Browse all articles by Rashmita Mishra
·1 hour ago·2 min read
ଦିଲ୍ଲୀରେ ବଡ଼ ଅଘଟଣ: ଭୁଶୁଡ଼ିଲା ୫୦-୬୦ ବର୍ଷ ପୁରୁଣା ଘର, ଚାଲିଗଲା ଜୀବନ
Delhi Building Collapse

Key Points

ଦିଲ୍ଲୀରେ ଘର ଛାତ ଭୁଶୁଡ଼ି ୨ ମୃତ, ୬ ଉଦ୍ଧାର
୩ ବର୍ଷର ଶିଶୁ ସମେତ ୨ ଜଣଙ୍କ ମୃତ୍ୟୁ
ଶାହଦରାରେ ଭୟଙ୍କର ଅଘଟଣ, ଭୁଶୁଡ଼ିଲା ପୁରୁଣା ଘର
୬୦ ବର୍ଷର ପୁରୁଣା ଘର ନେଲା ୨ ଜୀବନ 

ଦିଲ୍ଲୀର ପୂର୍ବ ଅଞ୍ଚଳ ଶାହଦରାର କସ୍ତୁରବା ନଗରରେ ମଙ୍ଗଳବାର ସକାଳେ ଏକ ବଡ଼ ଅଘଟଣ ଘଟିଛି । ଏକ ପୁରୁଣା ଘରର ଛାତ ଭୁଶୁଡ଼ି ପଡ଼ିବାରୁ ମାଟି ଓ ଭଙ୍ଗା ଅଂଶ ତଳେ ପ୍ରାୟ ୬ ଜଣ ଲୋକ ଚାପି ହୋଇଯାଇଥିଲେ । ଏହି ଦୁର୍ଘଟଣାରେ ଜଣେ ୩୫ ବର୍ଷୀୟ ବ୍ୟକ୍ତି ଓ ୩ ବର୍ଷର ଶିଶୁଙ୍କ ସମେତ ଦୁଇ ଜଣଙ୍କ ଜୀବନ ଚାଲିଯାଇଛି ।

ଦିଲ୍ଲୀ ଅଗ୍ନିଶମ ବିଭାଗର ସୂଚନା ଅନୁଯାୟୀ, ମଙ୍ଗଳବାର ସକାଳ ୧୦ଟା ୧୩ ମିନିଟ୍‌ରେ ଘର ଭୁଶୁଡ଼ିବା ନେଇ ଖବର ମିଳିଥିଲା । ଖବର ପାଇବା ମାତ୍ରେ ଦମକଳ ବାହିନୀ ଓ ଅନ୍ୟ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ଦୀର୍ଘ ସମୟର ପରିଶ୍ରମ ପରେ ମାଟି ତଳେ ଫସିଥିବା ସମସ୍ତ ୬ ଜଣଙ୍କୁ ଉଦ୍ଧାର କରାଯାଇଥିଲା । ସମସ୍ତ ଆହତଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ଦୁଇ ଜଣଙ୍କ ଜୀବନ ଚାଲିଯାଇଛି । ମୃ*ତକଙ୍କ ମଧ୍ୟରେ ପିଣ୍ଟୁ (୩୫) ଓ ଜଣେ ୩ ବର୍ଷର ଶିଶୁ ରହିଛନ୍ତି ।

୫୦-୬୦ ବର୍ଷ ପୁରୁଣା ଜରାଜୀର୍ଣ୍ଣ ଘର
ସୂଚନା ଅନୁସାରେ, ଏହି ଘରଟି ଗ୍ରାଉଣ୍ଡ ପ୍ଲସ୍ ୱାନ୍ (G+1) ଥିଲା । ଘରଟି ପ୍ରାୟ ୫୦ରୁ ୬୦ ବର୍ଷ ପୁରୁଣା ହୋଇଥିବା ବେଳେ ଅତ୍ୟନ୍ତ ଜରାଜୀର୍ଣ୍ଣ ଅବସ୍ଥାରେ ଥିଲା । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଏହି ଅଞ୍ଚଳର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଥିବା ଜମି ରେଳବାଇର ସମ୍ପତ୍ତି । ଗତ ୫୦ରୁ ୬୦ ବର୍ଷ ଧରି ଏଠାରେ ଲୋକମାନେ ଜମି ଜବରଦଖଲ କରି ଘର ନିର୍ମାଣ କରି ରହୁଛନ୍ତି ।

ମୃ*ତକ ପିଣ୍ଟୁ ଏହି ଅଞ୍ଚଳରେ ରହୁଥିବା ବେଳେ ଗଜା ତିଆରି କରିବା କାମ କରୁଥିଲେ । ତାଙ୍କ ଘର ନିକଟ ଦେଇ ରେଳ ଲାଇନ୍ ଯାଇଥିବାରୁ ଟ୍ରେନ୍ ଚଳାଚଳ ସମୟରେ ଘରଗୁଡ଼ିକରେ କମ୍ପନ ସୃଷ୍ଟି ହେଉଥିବା ମଧ୍ୟ ସ୍ଥାନୀୟ ଲୋକେ କହିଛନ୍ତି ।

ଘର ଖାଲି କରିବାକୁ ଦିଆଯାଇଥିଲା ଚେତାବନୀ
ମୃ*ତକ ପିଣ୍ଟୁଙ୍କ ଭିଣୋଇଙ୍କ କହିବା ଅନୁଯାୟୀ, ସେ ଗତ ୧୦ ବର୍ଷ ଧରି ପରିବାରକୁ ଏହି ଜରାଜୀର୍ଣ୍ଣ ଘର ଖାଲି କରିବାକୁ କହି ଆସୁଥିଲେ । ହେଲେ ପରିବାର ଘର ଛାଡ଼ି ନଥିଲେ ।

ଅନ୍ୟପଟେ ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଏହି ଅଞ୍ଚଳର ଅଧିକାଂଶ ଘର ୪୦ରୁ ୫୦ ବର୍ଷ ପୁରୁଣା । ଅନେକ ଘରର ଛାତ ମଧ୍ୟ ଠିକ୍ ଭାବେ ନିର୍ମାଣ ହୋଇନାହିଁ । ଅଧିକାଂଶ ଘର ଅତ୍ୟନ୍ତ ଜରାଜୀର୍ଣ୍ଣ ଅବସ୍ଥାରେ ଥିବାରୁ ଏଠାରେ ସବୁବେଳେ ଏଭଳି ବଡ଼ ଦୁର୍ଘଟଣା ଘଟିବାର ଆଶଙ୍କା ରହିଛି । ପୁରୁଣା ଓ ଅସୁରକ୍ଷିତ ଘରେ ରହୁଥିବା ଲୋକଙ୍କ ସୁରକ୍ଷା ଏବେ ବଡ଼ ପ୍ରଶ୍ନ ହୋଇ ଠିଆ ହୋଇଛି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: