Delhi Pollution / ଦିଲ୍ଲୀରେ ସମସ୍ତ ହୋଟେଲ, ରେଷ୍ଟୁରାଣ୍ଟ, ଢ଼ାବାରେ କୋଇଲା-କାଠ ନିଷେଧ

Key Points
ପ୍ରଦୂଷଣ ସବୁ ସୀମା ଟପିଯାଇଛି ।
ଦିଲ୍ଲୀରେ ଆଉ ଏକ ନୂଆ ନିୟମ ଲାଗୁ କରାଯାଇଛି ।
ଦେଶର ରାଜଧାନୀ ଦିଲ୍ଲୀ ଏବେ ଅଣନିଶ୍ଵାସୀ ହୋଇପଡ଼ିଛି । ପ୍ରଦୂଷଣ ସବୁ ସୀମା ଟପିଯାଇଛି । ରାଜଧାନୀରେ ବହୁ ସ୍ଥାନରେ AQI 450 ଅତିକ୍ରମ କରିଛି । ଦିଲ୍ଲୀର ଅଧିକାଂଶ ଅଞ୍ଚଳରେ ଘନ କୁହୁଡ଼ି ଯୋଗୁଁ ଦୃଶ୍ୟମାନ ସ୍ତର ହ୍ରାସ ପାଇଛି । ଆନନ୍ଦ ବିହାର ନିକଟବର୍ତ୍ତୀ ଅଞ୍ଚଳରେ ଗମ୍ଭୀର ଶ୍ରେଣୀରେ ରହିଛି ବାୟୁ ଗୁଣବତ୍ତା ସୂଚକାଙ୍କ । ଗ୍ରାପ୍-୪ ଲାଗୁ ହୋଇଥିବାରୁ ଦିଲ୍ଲୀ-ଏନସିଆରରେ କଟକଣା ବୃଦ୍ଧି ପାଇଛି । ଦିଲ୍ଲୀ, ନୋଏଡା, ଗୁରୁଗ୍ରାମ, ଫରିଦାବାଦ ଏବଂ ଗାଜିଆବାଦରେ BS-3 ପେଟ୍ରୋଲ ଏବଂ BS-4 ଡିଜେଲ ଯାନଗୁଡ଼ିକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି ।
ସରକାରଙ୍କ ବିନା ଅନୁମତିରେ କୌଣସି ସ୍ଥାନରେ ନିର୍ମାଣ କିମ୍ବା ବିଧ୍ଵଂସ କାର୍ଯ୍ୟ ହୋଇପାରିବ ନାହିଁ । ବନ୍ଦ ରହିବ ସ୍କୁଲ, କଲେଜ । କେବଳ ଅନଲାଇନରେ ପାଠ ପଢ଼ିବେ ପିଲା । ଦିଲ୍ଲୀକୁ ବାହାର ରାଜ୍ୟର ବାଣିଜ୍ୟିକ ଯାନ ପ୍ରବେଶ କରିପାରିବ ନାହିଁ । କୌଣସି ସ୍ଥାନରେ ଜନଗହଳି ହେବା ପରି କାର୍ଯ୍ୟକ୍ରମ ଆୟୋଜନ ମଧ୍ୟ ହୋଇପାରିବ ନାହିଁ ।
କିନ୍ତୁ ବର୍ତ୍ତମାନ ସମୟରେ ଦିଲ୍ଲୀରେ ଆଉ ଏକ ନୂଆ ନିୟମ ଲାଗୁ କରାଯାଇଛି । ଦିଲ୍ଲୀର କ୍ରମାଗତ ଭାବରେ ପ୍ରଦୂଷଣ ବଢ଼ୁଥିବାକୁ ନଜରେ ରଖି ତନ୍ଦୁରରେ ବ୍ୟବହାର କୋଇଲା ଏବଂ କାଠ ବ୍ୟବହାରକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ଦିଲ୍ଲୀ ପ୍ରଦୂଷଣ ନିୟନ୍ତ୍ରଣ କମିଟି ଏକ ନିର୍ଦ୍ଦେଶ ଜାରି କରି ସହରର ସମସ୍ତ ହୋଟେଲ, ରେଷ୍ଟୁରାଣ୍ଟ ଏବଂ ଫାଷ୍ଟଫୁଡ ଦୋକାନଗୁଡ଼ିକରେ କୋଇଲା ଏବଂ କାଠରୁ ତିଆରି ତନ୍ଦୁର ଉପରେ ନିଷେଧ କରିବାକୁ ବାଧ୍ୟତାମୂଳକ କରିଛି ।
ଏହି ନିର୍ଦ୍ଦେଶ ବାୟୁ ପ୍ରଦୂଷଣ ନିବାରଣ ଏବଂ ନିୟନ୍ତ୍ରଣ ଆଇନ, ୧୯୮୧ର ଧାରା ୩୧(A) ଅନୁଯାୟୀ ଜାରି କରାଯାଇଛି। ଏହା ଅନୁଯାୟୀ, ସମସ୍ତ ବାଣିଜ୍ୟିକ ପ୍ରତିଷ୍ଠାନଗୁଡ଼ିକୁ କେବଳ ବିଦ୍ୟୁତ୍, ଗ୍ୟାସ୍ କିମ୍ବା ଅନ୍ୟାନ୍ୟ ଇନ୍ଧନରେ ଚାଲୁଥିବା ଉପକରଣ ବ୍ୟବହାର କରିବାକୁ ପଡିବ ।
ପ୍ରଦୂଷଣରେ କୋଇଲା ଏକ ପ୍ରମୁଖ କାରଣ
ପ୍ରଦୂଷଣ ନିୟନ୍ତ୍ରଣ କମିଟି କହିଛି ଯେ ଦିଲ୍ଲୀରେ ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ନିରନ୍ତର ଭାବରେ ବଢ଼ିଚାଲିଛି । କୋଇଲା ଦ୍ୱାରା ପ୍ରସ୍ତୁତ ରୋଷେଇ ସ୍ଥାନୀୟ ପ୍ରଦୂଷଣର ଏକ ପ୍ରମୁଖ କାରଣ ପାଲଟିଛି । ଏହି ନିର୍ଦ୍ଦେଶଗୁଡ଼ିକ ପୂର୍ବରୁ କାର୍ଯ୍ୟକାରୀ ହୋଇଥିବା ଗ୍ରେଡେଡ୍ ରେସପନ୍ସ ଆକ୍ସନ୍ ପ୍ଲାନ୍ (GRAP)ର ବ୍ୟବସ୍ଥା ସହ ଜଡ଼ିତ । ଯାହା ତନ୍ଦୁରରେ କୋଇଲା ଏବଂ କାଠ ବ୍ୟବହାର ଉପରେ ନିଷେଧକୁ ପ୍ରଥମ ପଦକ୍ଷେପ ଭାବରେ ବିବେଚନା କରାଯାଇଛି
ସମସ୍ତ ବିଭାଗକୁ ନିୟମ କଡ଼ାକଡ଼ି ପାଳନ କରିବାକୁ ପଡିବ । ଜୁନ୍ ୨୦୨୨ରେ ଅନୁମୋଦିତ ଇନ୍ଧନ ତାଲିକା ଏବଂ ନଭେମ୍ବର ୨୧, ୨୦୨୩ରେ ସଂଶୋଧିତ ଗ୍ରେଡେଡ୍ ରେସପନ୍ସ ଆକ୍ସନ୍ ପ୍ଲାନକୁ ନଜରରେ ରଖି କମିଟି କହିଛି ଯେ ପ୍ରଦୂଷଣ ନିୟନ୍ତ୍ରଣ ସହିତ ଜଡିତ ସମସ୍ତ ବିଭାଗକୁ ଏହି ନିୟମଗୁଡ଼ିକୁ କଡ଼ାକଡ଼ି ପାଳନ କରିବାକୁ ପଡିବ।
ପୌର ନିଗମ ଏବଂ ସହରାଞ୍ଚଳ ସଂସ୍ଥାଗୁଡ଼ିକର କମିଶନର ଏବଂ ମୁଖ୍ୟ ଯନ୍ତ୍ରୀମାନଙ୍କୁ ସେମାନଙ୍କ ନିଜ ନିଜ ଅଞ୍ଚଳରେ ଯାଞ୍ଚ କରିବାକୁ ପଡ଼ିବ ଯେମିତି କୌଣସି ଢାବା, ହୋଟେଲ କିମ୍ବା ରେଷ୍ଟୁରାଣ୍ଟରେ କୋଇଲା କିମ୍ବା କାଠ ବ୍ୟବହାର ନହୁଏ ।
କେବଳ ବିଦ୍ୟୁତ୍ କିମ୍ବା ଗ୍ୟାସ୍ ଚାଳିତ ତନ୍ଦୁର ବ୍ୟବହାର କରିବାକୁ ଅନୁମତି ଅଛି । ସ୍ପଷ୍ଟ ଭାବରେ ଉଲ୍ଲେଖ ଅଛି ଯେ ବର୍ତ୍ତମାନ କେବଳ ବିଦ୍ୟୁତ୍ କିମ୍ବା ଗ୍ୟାସ୍ ଚାଳିତ ତନ୍ଦୁର ଚଲାଯାଇପାରିବ, ଏହାକୁ ନ ମାନିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
📱 Get Argus News App
✨Related Topics
Explore more stories