Delhi Blast / ଆତଙ୍କବାଦୀଙ୍କ ପାଇଁ ବଡ଼ ପ୍ଲାନ୍ ତୟାର କରିଛନ୍ତି ଶାହ, ଦେଇଛନ୍ତି କଡ଼ା ନିର୍ଦ୍ଦେଶ

Key Points
ବାବ୍ରି ମସଜିଦ ଭଙ୍ଗା ଘଟଣାର ବଦଲା ନେବା ପାଇଁ ଡିସେମ୍ବର ୬ ତାରିଖରେ ଦିଲ୍ଲୀର ୬ଟି ସ୍ଥାନରେ ହୋଇଥାନ୍ତା ବିସ୍ଫୋରଣ ।
ଆତଙ୍କୀଙ୍କ ବିରୋଧରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ । ଦିଲ୍ଲୀ ବିସ୍ଫୋରଣ ମାମଲାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଚାଲିଥିବା ଉଚ୍ଚସ୍ତରୀୟ ବୈଠକରେ ପ୍ରସ୍ତୁତ ହୋଇଛି ବଡ଼ ରଣନୀତି । IB, NIA ସହ ଦିଲ୍ଲୀ ପୋଲିସର ବରିଷ୍ଠ ଅଧିକାରୀଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ । ଅମିତ ଶାହଙ୍କ ବାସଭବନରେ ପ୍ରାୟ ଦେଢ଼ ଘଣ୍ଟା ଧରି ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ଅମିତ ଶାହ । NIA ଠୁ ତଦନ୍ତର ଅପଡେଟ୍ ରିପୋର୍ଟ ନେଇଛନ୍ତି ଶାହ । ଆତଙ୍କବାଦୀ ଆଗାମୀ ଦିନରେ ଏଭଳି ବର୍ବର କାଣ୍ଡ ଭିଆଇବାକୁ ଯେପରି ସାହସ କରିବେନି, ସେହିପରି କଡ଼ା ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ଶାହ ।
ସେପଟେ ଦିଲ୍ଲୀ ବିସ୍ଫୋରଣ ଘଟଣାରେ ସାମନାକୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ । ବାବ୍ରି ମସଜିଦ ଭଙ୍ଗା ଘଟଣାର ବଦଲା ନେବା ପାଇଁ ଡିସେମ୍ବର ୬ ତାରିଖରେ ଦିଲ୍ଲୀର ୬ଟି ସ୍ଥାନରେ ହୋଇଥାନ୍ତା ବିସ୍ଫୋରଣ । ଏହି ଡାକ୍ତରମାନଙ୍କର ଜୈସ-ଇ-ମହମ୍ମଦ ସହ ଲିଙ୍କ ଅଛି ଏବଂ ସେମାନେ ଦିଲ୍ଲୀରେ ୬ଟି ଠିକଣା ଖୋଜିଥିଲେ । ଯେଉଁ ଠିକଣାରେ ଡିସେମ୍ବର ୬ ତାରିଖ, ଅର୍ଥାତ ୧୯୯୨ ମସିହାର ସେହିଦିନ ଯେବେ ବାବ୍ରି ମସଜିଦ ଭଙ୍ଗାଯାଇଥିଲା, ତାର ବଦଲା ନେବାକୁ ଯୋଜନା କରିଥିଲେ ଆତଙ୍କୀ । ଦିଲ୍ଲୀ ବିସ୍ଫୋରଣ ଘଟଣାରେ ଗିରଫ ଆତଙ୍କୀ ଏହି ଖୁଲାସା କରିଛନ୍ତି । ସିରିଏଲ ବିସ୍ଫୋରଣର ପ୍ଲାନ ଥିଲା । ୫ଟି ପର୍ଯ୍ୟାୟରେ ହୋଇଥାନ୍ତା ଏହି ବିସ୍ଫୋରଣ ।
ବିସ୍ଫୋରଣରେ ଦିଲ୍ଲୀ ଦୋହଲାଇବାକୁ ହୋଇଥିଲା ସୁପର ପ୍ଲାନ । ସ୍ବତନ୍ତ୍ର ଆପ୍, କୋଡ ୱାଡରେ ପରସ୍ପର ସହ କଥା ହେଉଥିଲେ ଆତଙ୍କୀ । ବାସ୍ ଦିନ ଓ ସମୟ ବି ଧାର୍ଯ୍ୟ ହୋଇସାରିଥିଲା । କିନ୍ତୁ ବଡ଼ ଅପରେସନ ପୂର୍ବରୁ ସିକ୍ରେଟ ପ୍ଲାନର ପର୍ଦ୍ଦାଫାସ କରିବାରେ ସଫଳ ହୋଇଛି ଜାତୀୟ ତଦନ୍ତକାରୀ ଏଜେନ୍ସି । ନଭେମ୍ବର ୧୦ ଦିଲ୍ଲୀ ବିସ୍ଫୋରଣ ପଛର ସାଂଘାତିକ ତଥ୍ୟ ଦେଶବାସୀଙ୍କୁ ସ୍ତବ୍ଧ କରିଛି ।
ନିରୀହ ରକ୍ତରେ ହୋଲି ଖେଳିବାକୁ ଫରିଦାବାଦର ଅଲ୍- ଫଲାହ ମେଡିକାଲ କଲେଜ ବିଲ୍ଡିଂ ନମ୍ବର ୧୭ର ରୁମ ନମ୍ବର ୧୩ ଓ ରୁମ ନମ୍ବର ୪ରେ ମହଜୁଦ ଥିଲା ବିପୁଳ ପରିମାଣର ବିସ୍ଫୋରକ । ଆତଙ୍କୀ ଡକ୍ଟର ମୁଜାମିଲ, ଡକ୍ଟର ଅଦିଲ, ଉମର ଓ ସାହିନ ମିଳିତ ଭାବେ ୨୦ ଲକ୍ଷ ଟଙ୍କା ଯୋଗାଡ କରିଥିଲେ । ଗୁଡଗାଁଓରୁ ବିସ୍ଫୋରକ ପ୍ରସ୍ତୁତିରେ ବ୍ୟବହାର ହେଉଥିବା NPK ଫର୍ଟିଲାଇଜର ୩ ଲକ୍ଷ ଟଙ୍କାରେ ୨୦ କ୍ବିଣ୍ଟାଲ କିଣିଥିଲେ । ୧୯୯୨ ଡିସେମ୍ବର ୬ରେ କରସେବକଙ୍କ ଦ୍ବାରା ବାବ୍ରି ମସଜିଦ ଭଙ୍ଗାର ପ୍ରତଶୋଧ ନେବାକୁ ଯୋଜନା କରିଥିଲେ ଡାକ୍ତର ମୁଖା ପିନ୍ଧା ଆତଙ୍କୀ । ଲାଲ୍କିଲ୍ଲା ବ୍ଲାଷ୍ଟ ପରି ୩୨ଟି କାର୍ରେ ବିସ୍ଫୋରଣ କରିବାକୁ ଥିଲା ଯୋଜନା । ୫ଟି ପର୍ଯ୍ୟାୟରେ ଦିଲ୍ଲୀ ଦୋହଲାଇବାକୁ ନକ୍ସା ପ୍ରସ୍ତୁତ କରିଥିଲେ ଆତଙ୍କୀ ।
ଏହି ଘଟଣା ସାମ୍ନାକୁ ଆସିବା ପରେ ଅଲ୍-ଫଲାହ ୟୁନିଭରସିଟିକୁ ନୋଟିସ ଜାରି କରିଛି ଜାତୀୟ ମୂଲ୍ୟାୟନ ଓ ମାନ୍ୟତା ପରିଷଦ ବା NAAC । ନାର୍କୋଟିକ ଓ FSL ଟିମ୍ ୟୁନିଭରସିଟି ପରିସରରେ ଯାଞ୍ଚ ଜାରି ରଖିଛନ୍ତି । ବିସ୍ଫୋରଣ ସ୍ଥଳରୁ DNA ଟେଷ୍ଟ ପରେ ଆତଙ୍କୀ ଉମର ହିଁ ଆତ୍ମଘାତୀ ଆତଙ୍କୀ ଥିବା ସ୍ପଷ୍ଚ ହୋଇଛି । ଦିଲ୍ଲୀ ବୋମା ବିସ୍ଫୋରଣ ମାମଲାରେ ଦିଲ୍ଲୀ, ଫରିଦାବାଦ, ଲକ୍ଷ୍ନୌ, କାନପୁର, ଶ୍ରୀନଗର ସମେତ ଦେଶର ବିଭିନ୍ନ ସ୍ଥାନରେ IB, NIA, ATS ଚଢାଉ ଜାରି ରଖିଛି ।
📱 Get Argus News App
✨Related Topics
Explore more stories