Delhi Election Results: ବହୁମତଠୁ ବହୁ ଆଗରେ ବିଜେପି, ଆପ୍ ଓ କଂଗ୍ରେସ ମିଶି ୨୦ ଆସନରେ ଆଗୁଆ

Key Points
ଏବେର ଟ୍ରେଣ୍ଡ ଅନୁସାରେ, ବିଜେପି ୫୦ଟି ଆସନରେ ଆଗୁଆ ଚାଲିଥିବା ବେଳେ ଆପ୍ ୧୯ଟି ଓ କଂଗ୍ରେସ ଗୋଟିଏ ମାତ୍ର ଆସନରେ ଆଗୁଆ ରହିଛି ।
ନୂଆଦିଲ୍ଲୀ: ଆସୁଛି ଦିଲ୍ଲୀ ରେଜଲ୍ଟ । ବଢ଼ୁଛି ଉତ୍କଣ୍ଠା । ସକାଳ ସାଢ଼େ ୯ଟା ସୁଦ୍ଧା ଆସୁଥିବା ଟ୍ରେଣ୍ଡ ବିଜେପି ସପକ୍ଷରେ ଯାଉଛି । ଏବେର ଟ୍ରେଣ୍ଡ ଅନୁସାରେ, ବିଜେପି ୫୦ଟି ଆସନରେ ଆଗୁଆ ଚାଲିଥିବା ବେଳେ ଆପ୍ ୧୯ଟି ଓ କଂଗ୍ରେସ ଗୋଟିଏ ମାତ୍ର ଆସନରେ ଆଗୁଆ ରହିଛି । ଅର୍ଥାତ୍ ଟ୍ରେଣ୍ଡରେ ଆପ୍ ଓ କଂଗ୍ରେସ ମିଶି ମାତ୍ର ୨୦ଟି ଆସନରେ ଆଗୁଆ ଚାଲିଥିବା ବେଳେ ବିଜେପି ବହୁମତ ଠାରୁ ବହୁ ଆଗରେ ରହିଛି ।
କାଲକାଜୀ ଆସନରୁ ଲଢ଼ୁଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ପଛୁଆ ରହିଛନ୍ତି । ସେଠାରେ ଆତିଶୀଙ୍କୁ କଡ଼ା ଟକ୍କର ଦେଉଛନ୍ତି ବିଜେପିର ରମେଶ ବିଧୁଡ଼ି । ସେହିଭଳି ମୁସଲିମ୍ ବହୁଳ ଓଖଲାରେ ବିଜେପିର ମନୀଷ ଚୌଧୁରୀ ଆଗୁଆ ରହିଥିବା ବେଳେ ଆପ୍ର ଅମାନତୁଲ୍ଲା ପଛୁଆ ଅଛନ୍ତି ।
📱 Get Argus News App
✨ରୋହିଣୀ ଆସନରେ ବିଜେପିର ବିଜେନ୍ଦ୍ର ଗୁପ୍ତା ଆଗୁଆ ରହିଥିବା ବେଳେ ନୂଆଦିଲ୍ଲୀ ଆସନରେ ଅରବିନ୍ଦ କେଜ୍ରିୱାଲ୍ ପଛୁଆ ଅଛନ୍ତି । ରାଜୌରୀ ଗାର୍ଡେନରେ ବିଜେପିର ମନଜିନ୍ଦର ସିଂହ ଆଗୁଆ ରହିଥିବା ବେଳେ ଲକ୍ଷ୍ମୀନଗରରୁ ବିଜେପିର ଅଭୟ କୁମାର ବର୍ମା ଓ ଦିଲ୍ଲୀ କ୍ୟାଣ୍ଟରେ ବିଜେପିର ଭୁବନ ତମ୍ବର ଆଗୁଆ ରହିଛନ୍ତି ।
ଫେବ୍ରୁଆରୀ ୫ ତାରିଖରେ ଦିଲ୍ଲୀ ବିଧାନସଭା ଲାଗି ମତଦାନ ହୋଇଥିଲା । ୬୦.୫୪ ପ୍ରତିଶତ ମତଦାତା ଭୋଟ୍ ଦେଇଥିଲେ । ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭାରେ ସରକାର ଗଢ଼ିବା ପାଇଁ ୩୬ ଆସନର ଆବଶ୍ୟକ । ତେବେ ବିଭିନ୍ନ ଏକଜିଟ୍ ପୋଲ ଆକଳନ ଅନୁସାରେ, ଏଥର ବିଜେପି ଦିଲ୍ଲୀରେ ସରକାର ଗଢ଼ିବ ।