ଅବକାରୀ ନୀତି ଯୋଗୁ ଦିଲ୍ଲୀ ସରକାରଙ୍କ ୨,୦୦୨ କୋଟି କ୍ଷତି

ଅନେକ ଭୁଲ ନିଷ୍ପତ୍ତି ଯୋଗୁ ରାଜ୍ୟ ସରକାରଙ୍କୁ ୨,୦୦୨.୬୮ କୋଟି ଟଙ୍କାର ରାଜସ୍ବ କ୍ଷତି ସହିବାକୁ ପଡ଼ିଛି। ମଙ୍ଗଳବାର ଦିଲ୍ଲୀ ବିଧାନସଭାରେ ଉପସ୍ଥାପନ କରାଯାଇଥିବା କଣ୍ଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ (ସିଏଜି)ଙ୍କ ରିପୋର୍ଟରୁ ଏହା ଜଣାପଡ଼ିଛି। ୨୦୨୧ ନଭେମ୍ବରରେ ଏହି ତ୍ରୁଟିପୂର୍ଣ୍ଣ ଅବକାରୀ ନୀତି କାର୍ଯ୍ୟକାରୀ ହୋଇଥିବାବେଳେ ୨୦୨୨ ସେପ୍ଟେମ୍ବରରେ ଏହାକୁ ପ୍ରତ୍ୟାହାର କରିନିଆଯାଇଥିଲା। ଏହି ନୀତିରେ ଅନିୟମିତତା ଓ ଲାଞ୍ଚ କାରବାର ଅଭିଯୋଗରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ, ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ସମେତ ଅନ୍ୟ ନେତାମାନଙ୍କୁ ଜେଲ୍ ଯିବାକୁ ପଡ଼ିଥିଲା। ଗତ ମାସରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଆପ୍ ହାରିଯିବାର ଏହା ପ୍ରମୁଖ କାରଣ ଥିଲା। ପ୍ରବଳ ହଟ୍ଟଗୋଳ ମଧ୍ୟରେ ସିଏଜି ରିପୋର୍ଟ ଉପସ୍ଥାପନ କରାଯାଇଥିବାବେଳେ ଗୃହରେ ବିଶୃଙ୍ଖଳା ସୃଷ୍ଟି କରିବା ଅଭିଯୋଗରେ ବିରୋଧୀ ଦଳ ନେତା ଆତିଶୀଙ୍କ ସମେତ ୨୧ ଆପ୍ ବିଧାୟକଙ୍କୁ ୨୮ ତାରିଖ ପର୍ଯ୍ୟନ୍ତ ନିଲମ୍ବନ କରାଯାଇଛି। ଆପ୍ର ଏକମାତ୍ର ବିଧାୟକ ଅମନତୁଲ୍ଲା ଖାନ୍ ମଙ୍ଗଳବାର ଅନୁପସ୍ଥିତ ଥିବାରୁ ତାଙ୍କୁ ନିଲମ୍ବନ କରାଯାଇ ନାହିଁ।
ରିପୋର୍ଟ ଅନୁଯାୟୀ, ମ୍ୟୁନିସିପାଲିଟିର ସ୍ପଷ୍ଟ ହୋଇ ନ ଥିବା ସ୍ଥାନରେ ମଦ ଦୋକାନ ଖୋଲିବାକୁ ଅନୁମତି ଦିଆ ନ ଯିବାରୁ ୯୪୧.୫୩ କୋଟି ଟଙ୍କା କ୍ଷତି ହୋଇଥିବାବେଳେ ଲାଇସେନ୍ସ ଫେରାଯାଇଥିବା ୧୯ଟି ଜୋନ୍ ପାଇଁ ଟେଣ୍ଡର ଜାରି କରା ନ ଯିବାରୁ ୮୯୦.୧୫ କୋଟି କ୍ଷତି ସହିବାକୁ ପଡ଼ିଥିଲା। ଲାଇସେନ୍ସ ସରେଣ୍ଡର ଫଳରେ ସେହିସବୁ ଜୋନ୍ରୁ କୌଣସି ଅବକାରୀ ରାଜସ୍ବ ମିଳି ନ ଥିଲା। ଏହା ବ୍ୟତୀତ କୋଭିଡ୍-୧୯ ନାଁରେ ଲାଇସେନ୍ସଧାରୀଙ୍କ ଦେୟକୁ ଛାଡ଼ କରାଯିବାରୁ ୧୪୪ କୋଟି ଟଙ୍କା କ୍ଷତି ହୋଇଥିଲା। ସେହିପରି ଜୋନାଲ ଲାଇସେନ୍ସଧାରୀଙ୍କଠାରୁ ସିକ୍ୟୁରିଟି ଜମା ସଂଗ୍ରହ କରିବାରେ ତ୍ରୁଟି ଯୋଗୁ ୨୭ କୋଟି କ୍ଷତି ହୋଇଥିଲା। ଦିଲ୍ଲୀ ଅବକାରୀ ବିଭାଗ ଦିଲ୍ଲୀ ଅବକାରୀ ନିୟମାବଳୀ, ୨୦୧୦ର ରୁଲ୍ ୩୫କୁ ଉପଯୁକ୍ତ ଭାବେ କାର୍ଯ୍ୟକାରୀ କରି ନ ଥିଲା ବୋଲି ରିପୋର୍ଟରେ କୁହାଯାଇଛି। ଏହି କାରଣରୁ କେତେଜଣ ବେଶ୍ ଲାଭବାନ ହୋଇଥିଲେ।
📱 Get Argus News App
✨ଅନେକେ ମଦ ପାଇକାରୀ ବ୍ୟବସାୟୀ ବ୍ୟୁରୋ ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡସ୍ (ବିଆଇଏସ୍) ନିୟମାବଳୀ ଅନୁପାଳନ ଯାଞ୍ଚର ବାଧ୍ୟତାମୂଳକ ଗୁଣବତ୍ତା ପରୀକ୍ଷା କରି ନ ଥିଲେ। ଅବକାରୀ ନୀତିକୁ ବିରୋଧର ଅନ୍ୟତମ କାରଣ ହେଲା ସେଥିରେ ହୋଲ୍ସେଲର ମାର୍ଜିନକୁ ୫%ରୁ ୧୨%କୁ ବଢ଼ାଯାଇଥିଲା। ଏହି ୧୨ ପ୍ରତିଶତରୁ ଅଧା ହୋଲ୍ସେଲରମାନେ ଆପ୍ ନେତାଙ୍କୁ ଲାଞ୍ଚ ଭାବେ ଦେଇଥିଲେ ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପୂର୍ବରୁ କହିଥିଲା। ମଙ୍ଗଳବାର ବାଚସ୍ପତି ବିଜେନ୍ଦର ଗୁପ୍ତା ୨୧ ଆପ୍ ବିଧାୟକଙ୍କୁ ୩ ଦିନ ପାଇଁ ନିଲମ୍ବନ କରିଛନ୍ତି। ଏହା ପୂର୍ବରୁ ଉପରାଜ୍ୟପାଳ ଭି.କେ. ସାକ୍ସେନାଙ୍କ ଭାଷଣ ବେଳେ ସ୍ଲୋଗାନ ଦେବାରୁ ଆତିଶୀ ଏବଂ ପୂର୍ବତନ ଦିଲ୍ଲୀ ମନ୍ତ୍ରୀ ଗୋପାଳ ରାୟଙ୍କ ସମେତ ୧୨ ଜଣ ଆପ୍ ବିଧାୟକଙ୍କୁ ନିଲମ୍ବନ କରାଯାଇଥିଲା।