ଆଜିଠୁ ଦିଲ୍ଲୀ, ଏନସିଆରରେ ଲାଗୁ ଗ୍ରାପ୍-ଫୋର୍

Key Points
- ରାଜଧାନୀ ନା ପଏଜନ ଚ୍ୟାମ୍ବର ?
- ଦିଲ୍ଲୀରେ ବାୟୁ ପ୍ରଦୂଷଣ ସ୍ଥିତି ଗମ୍ଭୀର
- ଆପ୍ ସରକାରଙ୍କୁ କଡ଼ା ଚେତାବନୀ ଶୁଣାଇଲେ ସୁପ୍ରିମକୋର୍ଟ
- ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ AQI-480 ପାର୍
- ଆଜିଠୁ ଦିଲ୍ଲୀ, ଏନସିଆରରେ ଲାଗୁ ଗ୍ରାପ୍-ଫୋର୍
ଅର୍ଗସ ବ୍ୟୁରୋ: ସାଂଘାତିକ ହେଉଛି ସ୍ଥିତି । ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ ପରେ ଶେଷରେ ଦିଲ୍ଲୀ ଓ ଏନସିଆର କ୍ଷେତ୍ରରେ ଲାଗୁ ହୋଇଛି ଗ୍ରାପ-4 କଟକଣା । ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଦିଲ୍ଲୀ ସରକାରଙ୍କ ବିଭିନ୍ନ ପଦକ୍ଷେପକୁ ନେଇ କଡ଼ା ଆପତ୍ତି ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । ଠିକ୍ ସମୟରେ ଠିକ ପଦକ୍ଷେପ ଅଭାବରୁ ଆଜି ସ୍ଥିତି ଏପରି ହୋଇଥିବା କହି ଦିଲ୍ଲୀ ସରକାରଙ୍କ ଉପରେ ଦୋଷ ଲଦିଛନ୍ତି ସର୍ବୋଚ୍ଚ କୋର୍ଟ । ନିର୍ଦ୍ଦେଶ ଦିଆ ନଯିବା ପର୍ଯ୍ୟନ୍ତ ଦିଲ୍ଲୀରୁ ଗ୍ରାପ- ଫୋର କଟକଣା ପ୍ରତ୍ୟାହାର କରାଯାଇପାରିବନି ବୋଲି ଜଷ୍ଟିସ୍ ଅଭୟ ଏସ୍ ଓକା ଓ ଅଗଷ୍ଟିନ୍ ଜର୍ଜ ମାସିହଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣିରେ ସ୍ପଷ୍ଟ କରିଛନ୍ତି ।
ଦିଲ୍ଲୀ ଓ ଏନସିଆର କ୍ଷେତ୍ରରେ ଗ୍ରେଡେଡ ରେସପନ୍ସ ଆକ୍ସନ ପ୍ଲାନ-3 ଲାଗୁ କରିବାରେ ଦିଲ୍ଲୀ ସରକାର 3 ଦିନ ବିଳମ୍ବ କରିଥିବାରୁ ଜୋରଦାର ବର୍ଷିଛନ୍ତି ସର୍ବୋଚ୍ଚ ଅଦାଲତ । ବାୟୁ ପ୍ରଦୂଷଣକୁ ନେଇ ବିଜେପି ପକ୍ଷରୁ ଲୋକଙ୍କୁ ମାସ୍କ ବଣ୍ଟନ ସହ ସତେତନତା କାର୍ଯ୍ୟକ୍ରମ କରାଯାଉଛି । ସେପଟେ ପଡୋଶୀ ପଞ୍ଜାବ ଓ ହରିୟାଣାରେ ପରାଲୀ ଜାଳିବା ଯୋଗୁ ସ୍ଥିତି ଅଣାୟତ ହୋଇଥିବା କହିଛନ୍ତି ଦିଲ୍ଲୀ ପରିବେଶ ମନ୍ତ୍ରୀ ।
1- କେବଳ ଜରୁରୀ ସେବା, CNG ଓ ଇଲେକ୍ଟ୍ରିକ ଟ୍ରକକୁ ଛାଡ଼ି ଅନ୍ୟ ସମସ୍ତ ଟ୍ରକ ପ୍ରବେଶ ଉପରେ ରୋକ୍ ଲାଗିଛି
2- ବାହାରୁ ଆସୁଥିବା ସମସ୍ତ ବାଣିଜ୍ୟିକ ଯାନ ପ୍ରବେଶ ଉପରେ ମଧ୍ୟ ରୋକ୍ ଲାଗିଛି
3- କେବଳ ଦଶମ ଓ ଦ୍ବାଦଶ ବ୍ୟତୀତ ଅନ୍ୟ ସମସ୍ତ କ୍ଲାସ ଅନଲାଇନରେ ଚାଲିବ
4- ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ 50 ପ୍ରତିଶତ କର୍ମଚାରୀରେ ଚାଲିବ, ଅଧା କର୍ମଚାରୀ ୱାର୍କ ଫ୍ରମ ହୋମ୍ ରେ କାମ କରିବେ
5- ଦିଲ୍ଲୀ ସରକାର ଯାନବାହନ ଚଳାଚଳରେ ଅଡ-ଇଭେନ ଲାଗୁ କରିପାରିବେ
ଦିଲ୍ଲୀରେ ବାୟୁ ପ୍ରଦୂଷଣ ସ୍ଥିତି ଉପରେ ତୀକ୍ଷ୍ମ ନଜର ରଖିଛି କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ । ରାଜଧାନୀରେ ଅନେକ ଅଞ୍ଚଳରେ AQI -450 ପାର୍ ହୋଇଥିବାରୁ ଜରୁରୀ ନଥିଲେ ଲୋକେ ବାହାରକୁ ନଆସିବାକୁ ପରାମର୍ଶ ଦେଇଛି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ । ପ୍ରଦୂଷଣ ପ୍ରଭାବରେ ଦିଲ୍ଲୀ ରାଜପଥରେ ଭିଜିବିଲିଟି ହ୍ରାସ ପାଇଛି । ଯୁଆଡେ ଚାହିଁଲେ ଧୂଆଁଧୂଆଁ ଦିଶୁଛି ବାୟୁ ମଣ୍ଡଳ ।