ଦେଶରେ ବଢ଼ି ଚାଲିଛି ସ୍ୱାଇନ୍ ଫ୍ଲୁ !

ପୁଣି ଡରାଇଲାଣି ସ୍ୱାଇନ ଫ୍ଲୁ । ଦେଶରେ ଏବେ ସ୍ୱାଇନ୍ ଫ୍ଲୁ ଭୂତାଣୁ ମାଡ଼ିବାରେ ଲାଗିଛି । ଦିଲ୍ଲୀରେ ଏହି ଭୂତାଣୁ ବିଭିନ୍ନ ବର୍ଗର ବୟସର ଲୋକଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି । ଗତ କିିଛି ସପ୍ତାହ ମଧ୍ୟରେ ଏହା ଦିଲ୍ଲୀରେ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ହସ୍ପିଟାଲଗୁଡ଼ିକରୁ ମିଳିଥିବା ତଥ୍ୟ ଅନୁସାରେ ଅଧିକାଶ ସଂକ୍ରମିତ ଏନ୍ଫ୍ଲୁଏନ୍ଜା ବି ଦ୍ୱାରା ସଂକ୍ରମିତ ହେଉଛନ୍ତି । ସମସ୍ତେ ହାଇ ଟେମ୍ପ୍ରେଚର ଜ୍ୱରରେ ପଡ଼ିବା ସହ ଜ୍ୱର, କଫ, କାଶରେ ମଧ୍ୟ ଆକ୍ରାନ୍ତ ହେଉଥିବା ଜଣାପଡ଼ିଛି । ଜାନୁଆରୀ ୨୦୨୫ରେ ୧୬ଟି ରାଜ୍ୟରେ ୫୧୬ ଜଣ ସ୍ୱାଇନ୍ ଫ୍ଲୁରେ ଆକ୍ରାନ୍ତ ହୋଇଥିବା ନେଇ ସୂଚନା ରହିଛି । ସେଥିମଧ୍ୟରୁ ଚିକିତ୍ସାଧୀନ ଅବସ୍ଥାରେ ୬ ଜଣଙ୍କ ମୃତ୍ୟୁ ଘଟିଥିବା ମଧ୍ୟ ତଥ୍ୟ ରହିଛି।
କେରଳରେ ସର୍ବାଧିକ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କର୍ଣ୍ଣାଟକ ଓ ହିମାଚଳ ପ୍ରଦେଶରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର (ଏନସିଡିସି) ରିପୋର୍ଟ ଅନୁଯାୟୀ ଦିଲ୍ଲୀ, କର୍ଣ୍ଣାଟକ, କେରଳ ଏବଂ ତାମିଲନାଡୁରେ ସ୍ଥିତି ଗମ୍ଭୀର ରହିଛି। ତାମିଲନାଡୁ, ପୁଡୁଚେରୀ, କେରଳ, ମହାରାଷ୍ଟ୍ର, ଜମ୍ମୁ-କଶ୍ମୀର, ଗୁଜରାଟ, କର୍ଣ୍ଣାଟକ ଏବଂ ଦିଲ୍ଲୀରେ ସ୍ୱାଇନ୍ ଫ୍ଲୁକୁ ନେଇ ଅଧିକ ତଦାରଖ କରିବାକୁ ଏନସିଡିସି ନିବେଦନ କରିଛି।
ତାମିଲନାଡୁରେ ୨୦୯, କର୍ଣ୍ଣାଟକରେ ୭୬, କେରଳରେ ୪୮, ଜମ୍ମୁ-କଶ୍ମୀରରେ ୪୧, ଦିଲ୍ଲୀରେ ୪୦, ପୁଡୁଚେରୀରେ ୩୨, ମହାରାଷ୍ଟ୍ରରେ ୨୧ ଏବଂ ଗୁଜରାଟରେ ୧୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନ୍ୟପଟେ ଏବେ ଦେଶର ପ୍ରାୟ ୮ଟି ରାଜ୍ୟରେ ସ୍ୱାଇନ୍ ଫ୍ଲୁ ଭୂତାଣୁ ସଂକ୍ରମଣ ଦ୍ରୁତ ଗତିରେବଢ଼ିବାରେ ଲାଗିଛି । ପୂର୍ବରୁ ସ୍ୱାଇନ୍ ଫ୍ଲୁ ଭୂତାଣୁ ଘାତକ ସାବ୍ୟସ୍ତ ହୋଇଛି । ସ୍ୱାଇନ୍ ଫ୍ଲୁରେ ଆକ୍ରାନ୍ତ ହୋଇ ଅନେକଙ୍କ ଜୀବନ ଯାଇଛି ।
ସ୍ୱାଇନ୍ ଫ୍ଲୁ' ସାଧାରଣତଃ ଏକ ଟାଇପ୍-ଏ ସଂକ୍ରାମକ ରୋଗ ଯାହା ଘୁଷୁରୀ ଠାରୁ ପବନ ଦ୍ୱାରା ମଣିଷଙ୍କୁ ବ୍ୟାପିଥାଏ। ୨୦୦୯-୨୦୧୦ରେ ଏହା ଏଚ୍ୱାନ୍ଏନ୍ୱାନ୍ (H1N1) ସଂକ୍ରାମକ ଜୀବାଣୁରୁ ବ୍ୟାପୁଥିବା ଜଣା ପଡ଼ିଥିଲା।
ପ୍ରଥମେ ଇନ୍ଫ୍ଲୁଏନ୍ଜା ଲାଇକ୍ ଇଲନେସ୍ (ଆଇଏଲ୍ଆଇ)ରୁ ଆରମ୍ଭ ହୋଇ ସିଭିଅର୍ ଆକ୍ୟୁଟ୍ ରେସ୍ପିରେଟୋରୀ ସିଣ୍ଡ୍ରମ୍ ମ(ଏସ୍ଏଆରଏସ୍) ପରି ଗୁରୁତର ରୂପ ନେଇଥାଏ। ତେବେ ଅଧିକାଂଶଙ୍କର ଧାରଣା ଯେ ଥରେ ସ୍ଵାଇନ୍ ଫ୍ଲୁ'ରେ ଆକ୍ରାନ୍ତ ହେଲେ, ଆଉ ଭଲ ହେବା ସମ୍ଭବ ନୁହେଁ। କିନ୍ତୁ ଏହା ଆଦୌ ଠିକ୍ ନୁହେଁ । କିମ୍ବା ବିଜ୍ଞାନସମ୍ମତ ବି ନୁହେଁ। କୌଣସି ସ୍ଵାଇନ୍ ଫ୍ଲୁ' ପୀଡ଼ିତ ବ୍ୟକ୍ତି ଏହି ଭୂତାଣୁ ଦ୍ଵାରା ମୃତ୍ୟୁ ମୁଖରେ ପଡ଼ି ନଥା'ନ୍ତି, ବରଂ ଏହି ଭୂତାଣୁ ଦ୍ୱାରା ହେଉଥିବା ଶାରୀରିକ କ୍ଷତି ଓ ଅନ୍ୟ ସଂକ୍ରମଣ ଯୋଗୁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥାଏ।
ସଂକ୍ରମଣର ଜଟିଳତା ଦେଇ ସ୍ୱାଇନ୍ ଫ୍ଲୁ' ଆକ୍ରାନ୍ତଙ୍କୁ ସାଧାରଣତଃ ଏ', ବି' ଓ ସି, ଏହିପରି ତିନି କ୍ୟାଟାଗରୀରେ ବିଭକ୍ତ କରାଯାଇଛି । 'ଏ' ଶ୍ରେଣୀଭୁକ୍ତ ରୋଗୀ ଘରେ ରହି ଚିକିତ୍ସିତ ହୋଇପାରିବେ। ‘ବି’ ଶ୍ରେଣୀଭୁକ୍ତ ରୋଗୀଙ୍କୁ ବିଶେଷଜ୍ଞ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚିକିତ୍ସା କରା ନ ଗଲେ, ସେମାନଙ୍କ ଅବସ୍ଥା ଗୁରୁତର ହେବାର ଆଶଙ୍କା ଥାଏ। ତେଣୁ ଏପରି କ୍ଷେତ୍ରରେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ଆବଶ୍ୟକ ପଡ଼ିଲେ ରୋଗୀକୁ ଡାକ୍ତରଖାନାରେ ଆଡମିଶନ୍ କରିବାକୁ ପଡିଥାଏ। ‘ସି’ ଶ୍ରେଣୀଭୁକ୍ତ ରୋଗୀଙ୍କ ଅବସ୍ଥା ଅଧିକ ଗୁରୁତର ଥାଏ, ତେଣୁ ଏମାନଙ୍କୁ ତୁରନ୍ତ ଆଇସିୟୁରେ ରଖି ଚିକିତ୍ସା କରାଯାଏ।