ଓଡ଼ିଶାରେ କାହିଁକି ହାରିଲା ବିଜେଡି ? ସାକ୍ଷାତକାର ଦେଇ କହିଲେ ଧର୍ମେନ୍ଦ୍ର ପ୍ରଧାନ

Key Points
- ଓଡ଼ିଶାରେ କାହିଁକି ହାରିଲା ବିଜେଡି ?
- ସାକ୍ଷାତକାର ଦେଇ କହିଲେ ଧର୍ମେନ୍ଦ୍ର ପ୍ରଧାନ
- ନିର୍ବାଚନ ରଣନୀତିର କଲେ ଖୁଲାସା
ଅର୍ଗସ ବ୍ୟୁରୋ: ଓଡ଼ିଶାରେ ୨୪ ବର୍ଷ ଧରି ଗୋଟିଏ ସରକାର ଥିବା ବେଳେ ୨୪ ସାଧାରଣ ନିର୍ବାଚନରେ ଏମିତି କଣ ହେଲା ଯେ ବିଜେଡି ହାରିଗଲା ? ଏନେଇ ସାଧାରଣରେ ଅନେକ ପ୍ରଶ୍ନ ଆସୁଥିବା ବେଳେ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଏ ଜଟିଳ ଗଣିତର ସରଳ ସୂତ୍ର ବତାଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ । ଯାହାକୁ ନେଇ ଦିଲ୍ଲୀରୁ ଭୁବନେଶ୍ଵର ସବୁଠି ଚର୍ଚ୍ଚା ।
୨୦୧୪ରେ କେନ୍ଦ୍ରରେ ମୋଦି ସରକାର ଆସିବା ପରେ ଓଡ଼ିଶାକୁ ସର୍ବାଧିକ ଗୁରୁତ୍ଵ ଦିଆଯାଉଥିଲା । କେମିତି ରାଜ୍ୟର ବିକାଶ ହେବ ? କେନ୍ଦ୍ରୀୟ ଅନୁଦାନ ବଢିବ ? ସେନେଇ ମୋଦି ନିଜେ ତଦାରଖ କରୁଥିଲେ । ସେଇଥି ଲାଗି ତ ୧୯ରେ ମୁଖ୍ୟ ବିରୋଧୀ ଦଳର ଆଖ୍ୟା ପାଇଥିଲା ବିଜେପି ଆଉ ୨୪ରେ ଏକାକୀ ସରକାର କଲା । ରଣନୀତି ସମ୍ପର୍କରେ ଖୁଲାସା କରି ଧର୍ମେନ୍ଦ୍ର କହିଛନ୍ତି, ଓଡ଼ିଶାରେ ବିଜେପି ସରକାର ଗଢିବାକୁ ୨୦୧୭ ପଞ୍ଚାୟତ ନିର୍ବାଚନରୁ ପ୍ରସ୍ତୁତିକୁ ଜୋରଦାର କରାଯାଇଥିଲା । ୨୦୧୯ରେ ଦଳ ଦ୍ଵିତୀୟ ସ୍ଥାନକୁ ଆସିଥିବା ବେଳେ ୨୦୨୪ରେ ମ୍ୟାଜିକ ନମ୍ବର ହାତେଇ ଏକାକୀ ସରକାର ଗଢିଛି ।
ମୋଦିଙ୍କ ଲୋକପ୍ରିୟତା ଓଡ଼ିଶାର ରାଜନୀତିରେ ପଟ୍ଟ ପରିବର୍ତ୍ତନ କରିବାରେ ବଡ଼ ସାହାଯ୍ୟ କଲା । ଖାସ କରି ଭଷ୍ଟ୍ରାଚାର, କୁଶାସନ ଓ ରାଜ୍ୟବାସୀଙ୍କ ପ୍ରତି ସମ୍ବେଦନହୀନତା କାରଣରୁ ପୂର୍ବ ସରକାରକୁ ନେଇ ଲୋକଙ୍କ ମଧ୍ୟରେ ଥିବା ପୁଞ୍ଜିଭୂତ ଅସନ୍ତୋଷ ଓ ଆକ୍ରୋଶ ବିଜେପିର ବିଜୟ ରାସ୍ତା ସଫା କରିଦେଇଥିଲା । ଏହାସହ ଓଡ଼ିଶାରେ ସମ୍ପୂର୍ଣ୍ଣ ଶକ୍ତି ଲଗାଇ ଲଢିବାକୁ କେନ୍ଦ୍ରୀୟ ବିଜେପି ସବୁଜ ସଂକେତ ଦେଇଥିଲା । ଖାଲି ଏତିକି ନୁହେଁ ବରଂ ଓଡ଼ିଶାରେ କ୍ଷମତା ହଡପ ପାଇଁ ଅଣଓଡ଼ିଆ ଷଡଯନ୍ତ୍ର କରୁଥିବା ବେଳେ ଓଡ଼ିଆ ଅସ୍ମିତା କଥା ଉଠାଇ ଲୋକପ୍ରିୟତା ସାଉଁଟିଥିଲା ବିଜେପି ।
📱 Get Argus News App
✨ବିଜେଡି ସରକାର ସମୟରେ ଓଡ଼ିଆ ଅସ୍ମିତା ବିପଦରେ ପଡ଼ିଥିଲା । ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ କ୍ରମେ ରାଜ୍ୟର ସଂସ୍କୃତି ଓ ପରିଚୟକୁ ନେଇ ଲଢେଇ କରିବାକୁ ପ୍ରସ୍ତୁତ ହୋଇଥିଲା ବିଜେପି । ବିଜେପିର ଏହି ଭିଜନକୁ ଭରସା କରିଥିଲେ ରାଜ୍ୟବାସୀ ଏବଂ ଏହାର ଫାଇଦା ଦଳକୁ ମିଳିଥିଲା ବୋଲି ଧର୍ମେନ୍ଦ୍ର କହିବା ସହିତ , ପୂର୍ବରୁ ଯାହା ପାଖରେ ଓଡ଼ିଶାର କ୍ଷମତାର ଡୋରି ଥିଲା ସେମାନେ ରାଜ୍ୟବାସୀଙ୍କୁ ନ୍ୟାୟ ଦେଇ ନାହାନ୍ତି ବରଂ ଧୋକା ଦେଇଥିଲେ ବୋଲି ଧର୍ମେନ୍ଦ୍ର କହିବା ସହିତ ପ୍ରତିଟି କର୍ମୀ ଓ ନେତାଙ୍କୁ ନିର୍ବାଚନ ବିଜୟର ଶ୍ରେୟ ଦେଇଛନ୍ତି ।