ସିଙ୍ଗାପୁରର ପ୍ରଧାନମନ୍ତ୍ରୀ ଲରେନ୍ସ ୱଙ୍ଗଙ୍କୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: ଗୁରୁତ୍ବପୂର୍ଣ୍ଣ ବିଦେଶ ଗସ୍ତରେ ଥିବା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସିଙ୍ଗାପୁରର ପ୍ରଧାନମନ୍ତ୍ରୀ ଲରେନ୍ସ ୱଙ୍ଗଙ୍କୁ ଭେଟି ଭାରତ ଓ ସିଙ୍ଗାପୁର ମଧ୍ୟରେ ବିଦ୍ୟାଳୟ ଶିକ୍ଷା, ଧନ୍ଦାମୂଳକ ଶିକ୍ଷା ଏବଂ ଗବେଷଣା କ୍ଷେତ୍ରରେ ଦ୍ବିପାକ୍ଷିକ ସହଯୋଗକୁ ବୃଦ୍ଧି ଏବଂ ବ୍ୟାପକ କରିବା ଉପରେ ଫଳପ୍ରଦ ଆଲୋଚନା କରିଛନ୍ତି । ପ୍ରତିଭା, ସମ୍ବଳ ଓ ମାର୍କେଟ୍ ଭଳି ତିନୋଟି ପ୍ରମୁଖ ସ୍ତମ୍ଭ ମାଧ୍ୟମରେ ଦୁଇ ଦେଶର ଭାଗିଦାରୀକୁ ସୁଦୃଢ଼ କରିବା ଉପରେ ଉଭୟ ମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହୋଇଛି । ବିଶେଷଭାବରେ ଅତ୍ୟାଧୁନିକ ଜ୍ଞାନକୌଶଳ ବା ଡିପଟେକ୍, ଷ୍ଟାର୍ଟଅପ୍ ଏବଂ ଇନୋଭେସନ ପରିସଂସ୍ଥାନକୁ ଆଗକୁ ବଢ଼ାଇବାରେ ଭାରତ ସିଙ୍ଗାପୁରକୁ ଏକ ବିଶ୍ବସନୀୟ ଜ୍ଞାନ ସହଯୋଗୀ ରାଷ୍ଟ୍ର ଭାବେ ଦେଖୁଛି ବୋଲି ଧର୍ମେନ୍ଦ୍ର ଗୁରୁତ୍ବାରୋପ କରିଛନ୍ତି ।
ସେହିପରି ସିଙ୍ଗାପୁରର ଉପପ୍ରଧାନମନ୍ତ୍ରୀ ତଥା ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ଶ୍ରୀ ଜିଏଏନ୍ କିମ୍ ୟୋଙ୍ଗଙ୍କୁ ସାକ୍ଷାତ କରି ଧର୍ମେନ୍ଦ୍ର ଭବିଷ୍ୟତ ପିଢ଼ିର ସହଭାଗିତା ସୃଷ୍ଟି କରିବା ପାଇଁ ଦକ୍ଷତାଭିତ୍ତିକ ଶିକ୍ଷା ଏବଂ ପ୍ରଶିକ୍ଷଣରେ ସହଯୋଗ ଉପରେ ଆଲୋଚନା କରିଥିଲେ । ଏହା ପୂର୍ବରୁ ସିଙ୍ଗାପୁରର ଶିକ୍ଷାମନ୍ତ୍ରୀ ଚାନ୍ ଚୁନ୍ ସିଂଙ୍କୁ ଭେଟି ଶିକ୍ଷାର ବିଭିନ୍ନ କ୍ଷେତ୍ରରେ ଦ୍ବିପାକ୍ଷିକ ସହଯୋଗକୁ ସୁଦୃଢ଼ କରିବା ନେଇ ଆଲୋଚନା କରିଥିଲେ । ଉଭୟ ଦେଶର ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାଂସ୍କୃତିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ପାଇଁ ଭାରତରେ ସିଙ୍ଗାପୁର ସ୍କୁଲ ଏବଂ ସିଙ୍ଗାପୁରରେ ଭାରତର ସ୍କୁଲ ଖୋଲିବାର ସମ୍ଭାବନା ଉପରେ ଆଲୋଚନା ହୋଇଥିଲା ।
ଏହାବ୍ୟତୀତ ଧର୍ମେନ୍ଦ୍ର ସିଙ୍ଗାପୁରର ବୈଦେଶିକ ବ୍ୟାପାର ମନ୍ତ୍ରୀ ଭିଭିଆନ୍ ବାଲକ୍ରିଷ୍ଣନଙ୍କୁ ଭେଟି ଭାରତ-ସିଙ୍ଗାପୁର ଜ୍ଞାନ ଭାଗିଦାରୀକୁ ସୁଦୃଢ଼ କରିବା ଉପରେ ଆଲୋଚନା କରିଥିଲେ । ଏଥିସହ ସିଙ୍ଗାପୁର ନ୍ୟାସନାଲ ୟୁନିଭର୍ସିଟି ପରିଦର୍ଶନ କରିବା ସହ ବିଶ୍ବବିଦ୍ୟାଳୟର ପ୍ରେସିଡେଣ୍ଟ୍ ପ୍ରଫେସର ଟାନ୍ ଇଙ୍ଗ୍ ଚିଙ୍କୁ ଭେଟିଥିଲେ । ଏହି ଗସ୍ତକାଳରେ 'ଭବିଷ୍ୟତର ବିଦ୍ୟାଳୟ' ନିର୍ମାଣ ଦିଗରେ ଜାଣିବା ପାଇଁ ହ୍ବା ଚୋଙ୍ଗ୍ ଇଣ୍ଟରନ୍ୟାସନାଲ ସ୍କୁଲ ପରିଦର୍ଶନ କରିଥିଲେ ଧର୍ମେନ୍ଦ୍ର ।
📱 Get Argus News App
✨ଅଧିକ ପଢନ୍ତୁ ଭାରତ ଖବର