Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଆଗାମୀ ପିଢିର ଐତିହାସିକ ଜିଏସଟି ସଂସ୍କାର ନେଇ ଧର୍ମେନ୍ଦ୍ରଙ୍କ ସାମ୍ବାଦିକ ସମ୍ମିଳନୀ

Banajyotshna Ray
Browse all articles by Banajyotshna Ray
·10 months ago·4 min read
ଆଗାମୀ ପିଢିର ଐତିହାସିକ ଜିଏସଟି ସଂସ୍କାର ନେଇ ଧର୍ମେନ୍ଦ୍ରଙ୍କ ସାମ୍ବାଦିକ ସମ୍ମିଳନୀ

Key Points

ସ୍କୁଲ ଛାତ୍ରଛାତ୍ରୀଙ୍କଠୁ ଆରମ୍ଭ କରି ଦେଶର ସାଧାରଣ ନାଗରିକମାନେ ହେବେ ଉପକୃତ
ନୂଆ ଜିଏସଟି ସ୍ଲାବ୍ ଦ୍ୱାରା ଓଡ଼ିଶା ଭଳି ରାଜ୍ୟ ବିଶେଷ ଭାବରେ ଲାଭବାନ ହେବ
କେନ୍ଦୁପତ୍ର ଉପରେ ଜିଏସଟି ହ୍ରାସ ଦ୍ୱାରା ଓଡ଼ିଶାର ୧୫ ଲକ୍ଷରୁ ଅଧିକ ଲୋକମାନେ ହେବେ ଉପକୃତ

ଜିଏସଟି ପରିଷଦ ବୈଠକରେ ହୋଇଥିବା ଐତିହାସିକ ନିଷ୍ପତି ଦ୍ୱାରା ସାଧାରଣ ବର୍ଗର ଲୋକମାନଙ୍କର ଆକାଂକ୍ଷା ପୂରା ହେବ ଏବଂ ସମାଜରେ ଆର୍ଥିକ ଆତ୍ମବିଶ୍ୱାସ ବଢିବ ବୋଲି ଆଜି ନୂଆଦିଲ୍ଲୀ ଠାରେ ଏ ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ମତପ୍ରକାଶ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଗତକାଲି ୫୬ତମ ଜିଏସଟି ପରିଷଦ ବୈଠକରେ ୫% ଓ ୧୮% ସ୍ଲାବ ଢାଞ୍ଚାରେ ନେଇ ଯେଉଁ ନିଷ୍ପତି ହୋଇଛି, ତାହା ପ୍ରଶଂସନୀୟ ଏବଂ ସ୍ୱାଗତଯୋଗ୍ୟ । ଏହି ନିଷ୍ପତି ଦ୍ୱାରା ଦୈନନ୍ଦିନ ବ୍ୟବହାର ଯୋଗ୍ୟ ସାମଗ୍ରୀ ଶସ୍ତା ହେବ । ସ୍କୁଲ ଯାଉଥିବା ଛାତ୍ରଛାତ୍ରୀମାନଙ୍କ ଠାରୁ ଆରମ୍ଭ କରି ଦେଶର ଗରିବ ଓ ସମାଜର ମଧ୍ୟମ ବର୍ଗର ନାଗରିକ, କୃଷକ, ଏମଏସଏମଇ, ମଧ୍ୟବିତ୍ତ, ମହିଳା ଏବଂ ଯୁବକମାନେ ଲାଭବାନ ହେବେ । ଏହି ପଦକ୍ଷେପ ଓଡ଼ିଶା ସମେତ ଦେଶବାସୀଙ୍କୁ ମୋଦୀ ସରକାରଙ୍କ ଦଶହରା ଓ ଦୀପାବଳି ଉପହାର । ଏହି ନିର୍ଣ୍ଣୟ ଭାରତରେ ଅର୍ଥନୀତିରେ ବଡ ପ୍ରୋତ୍ସାହନ ହେବ । ବଜାରକୁ ସର୍କୁଲାର ଅର୍ଥନୀତି ଆସିବ । ଲୋକମାନଙ୍କ କ୍ରୟ ଶକ୍ତି ବଢିବା, ଯାହା ଦ୍ୱାରା ଉତ୍ପାଦନ ବଢିବ ଏବଂ କଞ୍ଚାମାଲର ବ୍ୟବହାର ବଢିବ ।


ପ୍ରକ୍ରିୟାରେ ସଂସ୍କାର ଓ ଜିଏସଟି ହାରରେ ସରଳୀକରଣ ପ୍ରମୁଖ ଅର୍ଥନୈତିକ କ୍ଷେତ୍ରକୁ ତ୍ୱରାନ୍ୱିତ କରିବ ଏବଂ ଅର୍ଥନୈତିକ ଅଭିବୃଦ୍ଧି ଓ ସହଜ ଜୀବନଯାପନର ଏକ ନୂଆ ଯୁଗ ଆରମ୍ଭ କରିବ । ପରବର୍ତ୍ତୀ ପିଢିର ଜିଏସଟି ସଂସ୍କାର ପାଇଁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହି ନିଷ୍ପତିରୁ ଓଡ଼ିଶା ଲାଭବାନ ହେବା ଉପରେ ଶ୍ରୀ ପ୍ରଧାନ କହିଛନ୍ତି ଯେ କେନ୍ଦୁ ପତ୍ର ଉପରେ ଜିଏସଟି ସ୍ଲାବ ୧୮% ରୁ ୫% କୁ ହ୍ରାସ କରାଯାଇଛି । କେନ୍ଦୁପତ୍ର ହେଉଛି ଓଡ଼ିଶାର ଲକ୍ଷ ଲକ୍ଷ କେନ୍ଦୁ ପତ୍ର ତୋଳାଳି ଏବଂ ବ୍ୟବସାୟୀଙ୍କ ଆର୍ଥିକ ମେରୁଦଣ୍ଡ । ଏହି ନିଷ୍ପତି ଦ୍ୱାରା କେନ୍ଦୁ ପତ୍ର ଶିଳ୍ପ ସହିତ ଜଡିତ ୧୫ ଲକ୍ଷରୁ ଅଧିକ ଲୋକମାନେ ଉପକୃତ ହେବେ । ସୂତା ଉପରେ ଜିଏସଟି ୧୨% ରୁ ହ୍ରାସ ପାଇ ୫% ହୋଇଛି ଏବଂ ଏହାଦ୍ୱାରା ଓଡ଼ିଶା ବିଶେଷ ଭାବରେ ରାଜ୍ୟର ପଶ୍ଚିମାଞ୍ଚଳର ବୁଣାକାର ମାନେ ଲାଭବାନ ହେବେ । କୋଇଲା ଉପରେ ଜିଏସଟି ୧୮%କୁ ବୃଦ୍ଧି କରାଯାଇଛି । ଓଡ଼ିଶା କୋଇଲା ଉତ୍ପାଦନକାରୀ ରାଜ୍ୟ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହି ଆର୍ଥିକ ବର୍ଷରେ ଏମସିଏଲ ଭଳି କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଓ ବେସରକାରୀ ସଂସ୍ଥାର ମିଳିତ ଉଦ୍ୟମରେ ୨୫୦ ମିଲିୟନ ମେଟ୍ରିକ୍ ଟନ୍ ପର୍ଯ୍ୟନ୍ତ କୋଇଲା ଉତ୍ପାଦନ କରାଯିବାର ଲକ୍ଷ୍ୟ ରଖାଯାଇଛି । ପୂର୍ବରୁ ଓଡ଼ିଶାର ରାଜସ୍ୱକୁ ୨.୫% ରାଜସ୍ୱ ମିଳୁଥିଲା ବେଳେ ଏବେ ୯% ରାଜସ୍ୱ ମିଳିବ । ଏହା ଦ୍ୱାରା ଓଡ଼ିଶା ବିଶେଷ ଲାଭବାନ ହେବ । ଓଡ଼ିଶା ଏକ ଏକ କୃଷିପ୍ରଧାନ ରାଜ୍ୟ ହୋଇଥିବାରୁ ବିଭିନ୍ନ କୃଷି ଉପକରଣ ଯଥା ଔଷଧ ସିଞ୍ଚନକାରୀ ଯନ୍ତ୍ର, ଅମଳ କାମରେ ଲାଗୁଥିବା ଯନ୍ତ୍ରପାତି, ଟ୍ରାକ୍ଟର ଓ ଏହାର ଟାୟାର ତଥା ସାର ପାଇଁ ବ୍ୟବହୃତ କଞ୍ଚାମାଲ ଉପରୁ ଜିଏସଟି ହ୍ରାସ ନିମନ୍ତେ ପ୍ରସ୍ତାବିତ ପଦକ୍ଷେପ କୃଷକମାନଙ୍କ ଆର୍ଥିକ ବୋଝକୁ କମାଇବା ସହ କୃଷି ଉତ୍ପାଦନ ଲାଗି ହେଉଥିବା ଖର୍ଚ୍ଚକୁ ହ୍ରାସ କରିବ । ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ କ୍ଷୁଦ୍ର ଓ ଷ୍ଟାର୍ଟଅପ୍ ବ୍ୟବସାୟମାନଙ୍କ ନିମନ୍ତେ ପଞ୍ଜୀକରଣ ପ୍ରକ୍ରିୟାକୁ ଅଧିକ ସରଳ ଓ ସହଜ କରିବା ପାଇଁ ନିଷ୍ପତି ନିଆଯାଇଛି । ସ୍ୱାସ୍ଥ୍ୟ ଓ ଜୀବନ ବୀମା ଜନିତ ସେବା ଉପରୁ କର ଆଦାୟ ନକରିବାର ନିଷ୍ପତ୍ତି ଏକ ସ୍ଵାଗତଯୋଗ୍ୟ । ଔଷଧ, ଦୁଗ୍ଧ-ଜାତ ଦ୍ରବ୍ୟ ଖାଦ୍ୟ ସହିତ ସାଧାରଣ ଲୋକ ବ୍ୟବହାର କରୁଥିବା ଅନେକ ସାମଗ୍ରୀରେ ଜିଏସଟି ଟିକସକୁ ବାଦ ଦିଆଯାଇଛି। ଏହି ସଂସ୍କାର ଯୋଗୁଁ ଦେଶର ଶିକ୍ଷା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆସିବ । ଆନୁଷ୍ଠାନିକ ଶିକ୍ଷା କ୍ଷେତ୍ର (ବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ) ଗୁଡ଼ିକ ପୂର୍ବରୁ ଜିଏସଟି ମୁକ୍ତ ହୋଇଥିବାବେଳେ ଏବେ ଶିକ୍ଷା ସମ୍ପର୍କିତ ବିଭିନ୍ନ ସେବା, ବହିପତ୍ର ଏବଂ ଲର୍ଣ୍ଣିଂ ଏଡ୍ ଆଦି ଜିଏସଟି ମୁକ୍ତ ହୋଇଛନ୍ତି ।


କେନ୍ଦ୍ରଶିକ୍ଷା ମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀ ବିଗତ ୧୧ ବର୍ଷ ଧରି ନିରନ୍ତର ଭାବରେ କ୍ରମାଗତ ଭାବରେ ସଂସ୍କାର ଆଣି ଭାରତର ଅର୍ଥନୀତିକୁ ସୁଧାରିଛନ୍ତି । ପୂର୍ବରୁ ଉତ୍ପାଦରେ ଭ୍ୟାଟରେ ଯେଉଁ ସମସ୍ୟା ଥିଲା ତଥା ଉତ୍ପାଦ ଉପରେ ଅନେକ ଟାକ୍ସ ଦେବାକୁ ପଡୁଥିଲା, ଟ୍ୟାକ୍ସ ରେଟରେ ସମାନତା ନଥିଲା । ଜିଏସଟି ସଂସ୍କାର ଦ୍ୱାରା ଟାକ୍ସ ରିଟର୍ଣ୍ଣ ଫାଇଲ, ଟାକ୍ସ ଜିଏସଟି ପଞ୍ଜୀକରଣ, ଟାକ୍ସ ଫାଇଲି ସରଳୀକରଣ ହୋଇଛି । ନିକଟରେ ଡୋଲୋଏଟର ଏକ ସର୍ଭେ କରିଥିଲା, ଯେଉଁଥିରେ ୮୫% ବୃହତ୍ ତଥା ଅଣୁ, କ୍ଷୁଦ୍ର ଓ ମଧ୍ୟମ ବର୍ଗର ବ୍ୟବସାୟୀମାନେ ଜିଏସଟି କ୍ରିୟାନ୍ୱୟନକୁ ନେଇ ସନ୍ତୋଷପ୍ରକାଶ କରିଥିଲେ । ୨୦୧୭ରେ ୬୭ ଲକ୍ଷ ବ୍ୟବସାୟୀ, ଜିଏସଟି ଅନ୍ତର୍ଭୁକ୍ତ ଥିଲେ । ଏହି ସଂଖ୍ୟା ବଢି ୨୦୨୫ରେ ୧.୫ କୋଟି ହୋଇଛି, ଯାହା ଦ୍ୱରା ଆମର ଅର୍ଥନୀତି ଫର୍ମାଲାଇଜେସନ ହେବା ସହ ଷ୍ଟକ୍ଚରାଲ ରିଫର୍ମ ହେଉଛି । ଏହା ଭାରତର ଅଭିବୃଦ୍ଧିକୁ ପ୍ରୋତ୍ସାହନ ଦେବା ସହ ଦରଦାମ ବୃଦ୍ଧିକୁ ନିୟନ୍ତ୍ରଣ କରିବ ଏବଂ ଇଜ୍ ଅଫ୍ ଲିଭିଂକୁ ଗତି ଦେବ । ପୂର୍ବରୁ ୨୦୨୦ରେ ଜିଏସଟି ସଂଗ୍ରହ ୧୧ ଲକ୍ଷ କୋଟି ଥିବା ବେଳେ ୨୦୨୪-୨୫ରେ ୨୨ ଲକ୍ଷ କୋଟି ହୋଇଛି । ମାତ୍ର ୪ ବର୍ଷରେ ଦୁଇ ଗୁଣ ବୃଦ୍ଧି ପାଇ ୨୨ ଲକ୍ଷ କୋଟି ହେବା ମୋଦୀ ସରକାରଙ୍କ ଦୂରଦୃଷ୍ଟିର ପ୍ରତିଫଳନ । ଗତକାଲି ଜିଏସଟି ପରିଷଦ ବୈଠକରେ ହୋଇଥିବା ନିଷ୍ପତି ଦ୍ୱାରା ଦେଶରେ ଜିଏସଟି ସଂଗ୍ରହ ବଢିବ । ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଅର୍ଥ ମନ୍ତ୍ରୀ ଓ ଜିଏସଟି ପରିଷଦକୁ ଶ୍ରୀ ପ୍ରଧାନ କୃତଜ୍ଞତା ଜଣାଇଛନ୍ତି ।

Sponsored
Dharmendra’s Press Meet on Next-Gen Historic GST Reforms | Argus News | Argus News