Controversy / ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ବୟାନରେ ତେଜିଲା ବିବାଦ, ଦୁର୍ଗାପୂଜାରେ ନନ୍ଭେଜ୍ ନେଇ କ’ଣ କହିଲେ ?

Key Points
ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ବୟାନରେ ତେଜିଲା ବିବାଦ,
ଦୁର୍ଗାପୂଜାରେ ନନ୍ଭେଜ୍ ନେଇ କ’ଣ କହିଲେ ?
ଜନ୍ମାଷ୍ଟମୀ ଅବସରରେ ‘ବାବା ବାଗେଶ୍ୱର’ ନାମରେ ପରିଚିତ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ ପଶ୍ଚିମବଙ୍ଗର ଲିଲୁଆକୁ ହନୁମାନ କଥା କହିବା ପାଇଁ ଆସିଥିଲେ । ଏହି ସମୟରେ ତାଙ୍କ ଏକ ବୟାନକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ଦୁର୍ଗାପୂଜା ସମୟରେ ମା’ ଦୁର୍ଗାଙ୍କ ପ୍ରତିମା ଓ ପୂଜା ମଣ୍ଡପ ନିକଟରେ ମାଂସ-ମାଛର ଷ୍ଟଲ୍ ନଲଗାଇବାକୁ ସେ ଲୋକଙ୍କୁ ଅପିଲ କରିଛନ୍ତି ।
ଧୀରେନ୍ଦ୍ର ଶାସ୍ତ୍ରୀ କହିଛନ୍ତି ଯେ, ଦୁର୍ଗାପୂଜା ସମୟରେ ପଣ୍ଡାଲ ନିକଟରେ ନନ୍ଭେଜ୍ ଖାଦ୍ୟ ପ୍ରସ୍ତୁତ କରିବା, ବିକ୍ରି କରିବା କିମ୍ବା ଖାଇବା ତାଙ୍କୁ ଭଲ ଲାଗେ ନାହିଁ । ବଙ୍ଗାଳର ହିନ୍ଦୁମାନେ ନବରାତ୍ରିର ନିୟମ ପାଳନ କରନ୍ତୁ ଏବଂ ମା’ ଦୁର୍ଗାଙ୍କ ପଣ୍ଡାଲ ଓ ପ୍ରତିମା ନିକଟରେ ନନ୍ଭେଜ୍ ଖାଦ୍ୟ ନରାନ୍ଧନ୍ତୁ, ନଖାଆନ୍ତୁ ଓ ନବିକନ୍ତୁ ବୋଲି ସେ ଆହ୍ୱାନ ଦେଇଛନ୍ତି । କେତେକ ରିପୋର୍ଟ ଅନୁସାରେ, ଦୁର୍ଗାପୂଜା ସମୟରେ ମାଂସ-ମାଛ ଖାଉଥିବା ଲୋକଙ୍କୁ ସେ ‘ପାଖଣ୍ଡୀ’ ବୋଲି କହିଥିବାରୁ ବିବାଦ ଆହୁରି ବଢ଼ିଛି ।
କାହିଁକି ତେଜିଲା ବିବାଦ ?
ପଶ୍ଚିମବଙ୍ଗରେ ଦୁର୍ଗାପୂଜା କେବଳ ଏକ ଧାର୍ମିକ ଉତ୍ସବ ନୁହେଁ, ଏହା ବଙ୍ଗାଳୀ ସଂସ୍କୃତିର ଏକ ଅବିଚ୍ଛେଦ୍ୟ ଅଂଶ । ପୂଜା ସମୟରେ ବିଭିନ୍ନ ପଣ୍ଡାଲ ଆଖପାଖରେ ମଟନ୍, ଚିକେନ୍, ମାଛ ଓ ସି-ଫୁଡ୍ ବିକ୍ରି ହେବା ଏବଂ ଲୋକେ ଏହାକୁ ଖାଇବା ବଙ୍ଗାଳରେ ସାଧାରଣ କଥା । ତେଣୁ ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ନନ୍ଭେଜ୍ଠାରୁ ଦୂରେଇ ରହିବାକୁ ଦିଆଯାଇଥିବା ଅପିଲକୁ ନେଇ ରାଜନୈତିକ ଓ ସାମାଜିକ ଚର୍ଚ୍ଚା ତେଜ ହୋଇଛି ।
ଏହି ବୟାନ ଉପରେ ପଶ୍ଚିମବଙ୍ଗ ବିଜେପି ସଭାପତି ଶମିକ ଭଟ୍ଟାଚାର୍ଯ୍ୟ ମଧ୍ୟ ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଯେ, କୌଣସି ସାଧୁ-ସନ୍ଥ ବଙ୍ଗାଳୀମାନେ ଦୁର୍ଗାପୂଜା ସମୟରେ କ’ଣ ଖାଇବେ, ତାହା ନିର୍ଦ୍ଦେଶ ଦେବେ ନାହିଁ ।
ନିର୍ବାଚନ ସମୟରେ ମଧ୍ୟ ଉଠିଥିଲା ପ୍ରସଙ୍ଗ
୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ସମୟରେ ମଧ୍ୟ ମାଂସ-ମାଛ ଖାଇବାକୁ ନେଇ ରାଜନୈତିକ ବୟାନବାଜି ହୋଇଥିଲା । ଟିଏମ୍ସି ମୁଖ୍ୟ ମମତା ବାନାର୍ଜୀ ଅନେକ ନିର୍ବାଚନୀ ସଭାରେ ଅଭିଯୋଗ କରିଥିଲେ ଯେ, ବିଜେପି ସରକାରକୁ ଆସିଲେ ବଙ୍ଗାଳର ଲୋକଙ୍କୁ ନନ୍ଭେଜ୍ ଖାଇବାକୁ ଦେବ ନାହିଁ । ତେବେ ବିଜେପି ଏହି ଦାବିକୁ ଖଣ୍ଡନ କରିଥିଲା । ଦଳର କହିବା ଥିଲା ଯେ, ତାଙ୍କର ଆପତ୍ତି କେବଳ ଗୋମାଂସ ବିକ୍ରିକୁ ନେଇ ।
ଏବେ ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ନୂଆ ବୟାନ ପରେ ଦୁର୍ଗାପୂଜାରେ ମାଂସ-ମାଛ ବିକ୍ରି ଉପରେ କୌଣସି କଟକଣା ଲାଗିବ କି ନାହିଁ, ତାହାକୁ ନେଇ ପୁଣିଥରେ ରାଜନୈତିକ ଚର୍ଚ୍ଚା ଆରମ୍ଭ ହୋଇଛି ।
📱 Get Argus News App
✨Related Topics
Explore more stories