Car Accident / ଦୀପାବଳି ରାତିରେ ନଦୀରେ ଖସିପଡ଼ିଲା କାର୍, ପରିବାରର ୪ ସଦସ୍ୟଙ୍କ ଚାଲିଗଲା ଜୀବନ

Key Points
ପରିବାରର ୪ ସଦସ୍ୟଙ୍କ ଚାଲିଗଲା ଜୀବନ ।
ଛତିଶଗଡ଼ରେ ଦୀପାବଳି ରାତିରେ ଘଟିଛି ଏକ ହୃଦୟବିଦାରକ ସଡ଼କ ଦୁର୍ଘଟଣା । ହସଖୁସିରେ ପର୍ବ ପାଳନ କରିବାକୁ ଘରକୁ ଫେରୁଥିବା ଏକ ପରିବାରର ଖୁସି ମୁହୂର୍ତ୍ତକରେ ଶୋକରେ ପରିଣତ ହୋଇଯାଇଛି । ରାୟପୁରରୁ ନିଜ ଘରକୁ ଫେରୁଥିବା ସାହୁ ପରିବାରର କାର୍ ଚମ୍ପାରଣର ଟିଲା ଆନିକଟ ନିକଟରେ ନିୟନ୍ତ୍ରଣ ହରାଇ ନଦୀକୁ ଖସିପଡ଼ିଥିଲା । ଏହି ଭୟଙ୍କର ଦୁର୍ଘଟଣାରେ ସ୍ୱାମୀ-ସ୍ତ୍ରୀଙ୍କ ସମେତ ଦୁଇ ସନ୍ତାନଙ୍କ ଜୀବନ ଚାଲିଯାଇଛି ।
ସୂଚନା ଅନୁଯାୟୀ, ସାହୁ ପରିବାର ଦୀପାବଳି ପାଳନ କରିବା ପାଇଁ ରାୟପୁରରୁ ନିଜ ଘରକୁ ଫେରୁଥିଲେ । ତେବେ ବିଳମ୍ବିତ ରାତିରେ ଚମ୍ପାରଣର ଟିଲା ଆନିକଟ ନିକଟରେ ହଠାତ୍ କାର୍ଟି ନିୟନ୍ତ୍ରଣ ହରାଇ ସିଧା ନଦୀ ଭିତରକୁ ଖସିପଡ଼ିଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କାର୍ରେ ଥିବା କୌଣସି ସଦସ୍ୟଙ୍କ ଜୀବନ ବଞ୍ଚିପାରିନଥିଲା ।
ଏହି ଦୁର୍ଘଟଣାରେ ଶୀତଳ ସାହୁ, ତାଙ୍କ ପତ୍ନୀ ଭାରତୀ ସାହୁ, ୧୯ ବର୍ଷୀୟ ପୁଅ ବିକାଶ ସାହୁ ଏବଂ ୨୧ ବର୍ଷୀୟ ଝିଅ ପୂର୍ବା ସାହୁଙ୍କ ମୃ*ତ୍ୟୁ ହୋଇଛି । ଶୀତଳ ସାହୁ ଜଣେ ସାମ୍ବାଦିକ ଥିବା ଜଣାପଡ଼ିଛି । ତାଙ୍କ କାର୍ରେ ‘ମିଡିଆ ଏକ୍ଜିକ୍ୟୁଟିଭ୍’ ଲେଖାଥିବା ସୂଚନା ମିଳିଛି । ଗୋଟିଏ ପରିବାରର ଚାରି ଜଣଙ୍କ ଜୀବନ ଯିବା ଖବର ପହଞ୍ଚିବା ପରେ ପସୌଦ ଗାଁରେ ଶୋକର ଛାୟା ଖେଳିଯାଇଛି ।
ରେସ୍କ୍ୟୁ କରି ଉଦ୍ଧାର ହେଲା ଚାରି ମୃ*ତଦେହ
ଦୁର୍ଘଟଣା ସମ୍ପର୍କରେ ଖବର ପାଇ ଗୋବରା ନବାପାରାର ଚମ୍ପାରଣ ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଏହାପରେ ରେସ୍କ୍ୟୁ ଅଭିଯାନ ଆରମ୍ଭ କରାଯାଇ କାର୍ ଭିତରୁ ଚାରି ଜଣଙ୍କ ମୃ*ତଦେହ ଉଦ୍ଧାର କରାଯାଇଥିଲା । ପରେ ମୃ*ତଦେହଗୁଡ଼ିକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି । କାର୍ଟି କେଉଁ କାରଣରୁ ନିୟନ୍ତ୍ରଣ ହରାଇ ମହାନଦୀକୁ ଖସିପଡ଼ିଲା, ସେନେଇ ପୁଲିସ ତଦନ୍ତ ଜାରି ରଖିଛି ।
ଯେଉଁ ଦୀପାବଳିରେ ପରିବାର ସହ ହସଖୁସିରେ ସମୟ ବିତାଇବାର ସ୍ୱପ୍ନ ଦେଖିଥିଲେ ସାହୁ ପରିବାର, ସେହି ରାତି ହିଁ ତାଙ୍କ ପରିବାରର ଶେଷ ରାତି ପାଲଟିଗଲା । ଏହି ଦୁଃଖଦ ଘଟଣା ସମଗ୍ର ଅଞ୍ଚଳକୁ ସ୍ତବ୍ଧ କରିଦେଇଛି ।
📱 Get Argus News App
✨Related Topics
Explore more stories