Donald Trump In Bihar: ବିହାରର ବାସିନ୍ଦା ହେବାକୁ ଟ୍ରମ୍ପ ଖେଳୁଛନ୍ତି କି ଚାଲ !

Key Points
ଏଥର ବିହାରରେ ଭୋଟ ଦେବେ ଟ୍ରମ୍ପ
ଭାଇରାଲ ହେଉଛି ଭୋଟର ଲିଷ୍ଟ
ଯେଉଁଥରେ ରହିଛି ରାଷ୍ଟ୍ରପତି ଟ୍ରମ୍ପଙ୍କ ନାଁ
ସାରା ଦେଶରେ ଏବେ ଟ୍ରମ୍ପଙ୍କ ଟାରିଫ ମାଡ଼କୁ ନେଇ ଚର୍ଚ୍ଚା । କେବଳ ଭାରତରେ ନୁହେଁ ସାରା ବିଶ୍ୱରେ ମଧ୍ୟ ସେଇ ସମାନ କଥା । ଯେଉଁଥିପାଇଁ ଟ୍ରମ୍ପଙ୍କୁ ଏବେ ବିଶ୍ୱ ଦରବାରରେ ନାନା କଥା ଶୁଣିବାକୁ ମିଳୁଛି । ଅନ୍ୟପଟେ ଟ୍ରମ୍ପଙ୍କ ଏଭଳି ଟାରିଫ ମାଡ଼ ଭାରତ ଉପରେ ବିଶେଷ ପ୍ରଭାବ ପଡ଼ିବନି ବୋଲି ବିଶେଷଜ୍ଞ ମତ ଦେଇସାରିଛନ୍ତି ।
ତେବେ ଏହାରି ଭିତରେ ଏବେ ସବୁଠାର ମଜାଦାର କଥା ହେଉଛି ଏଥର ବିହାର ନିର୍ବାଚନରେ ଭୋଟ ଦେବେ ଟ୍ରମ୍ପ ! ଏନେଇ ଏବେ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା । ଆଗକୁ ବିହାରରେ ସାଧାରଣ ନିର୍ବାଚନ ଥିବାରୁ ଭୋଟର ଲିଷ୍ଟକୁ ନେଇ ବିହାରରେ ହଟଚମଟ ଚାଲିଛି । ଅନେକ ଭୂତ ଭୋଟରଙ୍କ ନାଁ ଲିଷ୍ଟରୁ କଟିଥିବା ବେଳେ ଅନେକ ଅଯୋଗ୍ୟଙ୍କୁ ତାଲିକାରୁ ବାଦ୍ ଦିଆଯାଇଛି । ଏହି ବାଦ୍ ପଡ଼ିଥିବା ସଂଖ୍ୟା ୬୦ ଲକ୍ଷ ଉପରେ ବୋଲି କୁହାଯାଉଛି ।
ଆଉ ଏହାରି ଭିତରେ ଟ୍ରମ୍ପଙ୍କ ନାଁରେ ଥିବା ଏକ ଆବାସିକ ପ୍ରମାଣପତ୍ରର ଫଟୋ ମଧ୍ୟ ସାମ୍ନାକୁ ଆସିଛି । ଯେଉଁଥିପାଇଁ କୁହାଯାଉଛି ଟ୍ରମ୍ପ ଏବେ ବିହାରର ବାସିନ୍ଦା । ଆଉ ଏଥର ନିର୍ବାଚନରେ ସେ ଭୋଟ ଦେବେ । ଏହାକୁ ନେଇ ଖୁବ୍ ଟ୍ରୋଲ କରାଯାଉଛି । ଆବାସିକ ପ୍ରମାଣପତ୍ରରେ ଟ୍ରମ୍ପ ସମସ୍ତିପୁରର ବାସିନ୍ଦା ବୋଲି ଦର୍ଶାଯାଇଛି । ଏହି ସାର୍ଟିଫିକେଟ୍ ମୋହିଉଦ୍ଦିନ ନଗର ବ୍ଲକରେ ଜାରି କରାଯାଇଛି । ଏହାର ଆବେଦନ ୨୯ ଜୁଲାଇ ୨୦୨୫ରେ କରାଯାଇଥିଲା ।
ତଦନ୍ତରୁ ଜଣାପଡ଼ିଛି ଯେ ଏହି ଆବାସିକ ପ୍ରମାଣ ପତ୍ର ପାଇଁ ଅନ୍ଲାଇନ୍ ମାଧ୍ୟମରେ ଆବେଦନ କରାଯାଇଛି । ଆବେଦନକାରୀ ଟ୍ରମ୍ପଙ୍କ ଫଟୋ ବ୍ୟବହାର କରିବା ସହିତ ଠିକଣା ଭାବେ ହସନପୁର ଗାଁ ଉଲ୍ଲେଖ କରିଥିଲା । ଏପରିକି ଆବେଦନପତ୍ରରେ ଟ୍ରମ୍ପଙ୍କ ପ୍ରକୃତ ପିତାମାତାଙ୍କ ନାମ, ଫ୍ରେଡେରିକ୍ କ୍ରିଷ୍ଟ ଟ୍ରମ୍ପ ଓ ମେରି ଆନ୍ ମାକ୍ଲିଓଡ୍ ବୋଲି ଦର୍ଶାଯାଇଛି ।
ପ୍ରଶାସନର ଯାଞ୍ଚ ସମୟରେ ଏହି ଜାଲିଆତି ଧରାପଡିଥିଲା ଏବଂ ଅଗଷ୍ଟ ୪ ତାରିଖରେ ଆବେଦନଟିକୁ ଖାରଜ କରିଦିଆଯାଇଥିଲା । ସମସ୍ତିପୁର ଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି ଯେ କୌଣସି ପ୍ରମାଣପତ୍ର ଜାରି କରାଯାଇ ନାହିଁ ଏବଂ ଏହି କାର୍ଯ୍ୟ ପଛରେ ଥିବା ଦୁର୍ବୃତ୍ତଙ୍କୁ ଧରିବା ପାଇଁ ସାଇବର ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ କରାଯାଇଛି ।