White House Audio Leak / ଭାରତକୁ ନେଇ କାହିଁକି ଟ୍ରମ୍ପ ଚୁପ୍ ? ଭାଇରାଲ ଅଡିଓ କହିଦେଲା ହ୍ୱାଇଟ୍ ହାଉସ୍ର ସତ !

Key Points
ଲିକ୍ ହେଲା ଅଡିଓ । ଜଣାପଡ଼ିଗଲା ହ୍ୱାଇଟ୍ ହାଉସରେ କ'ଣ ଚାଲିଛି । କେମିତି ରହିଛି ପରିସ୍ଥିତି । ଟ୍ରମ୍ପଙ୍କୁ ମିଳୁଛି ପୂର୍ଣ୍ଣ ସମର୍ଥନ ନା ଘରେ ଭିତରେ ବିରୋଧର ଶିକାର ହେଉଛନ୍ତି ଟ୍ରମ୍ପ । ଖାଲି ସେତିକି ନୁହେଁ, ଭାରତ ଓ ଆମେରିକା ମଧ୍ୟରେ ଯେଉଁ ସବୁ ଡିଲ୍ ପୂର୍ବରୁ ହୋଇସାରିଛି ତାହା କାହିଁକି ଅଧାରେ ଅଟକି ରହିଛି । ଦୀର୍ଘ ଦିନ ହେବ ଡିଲ୍ ସରିଥିଲେ ବି କାହିଁକି ପୂରା ହୋଇପାରୁନି । ଏମିତି ବିଭିନ୍ନ ପ୍ରସଙ୍ଗର ଖୁଲାସା କରିଛି ହ୍ୱାଇଟ୍ ହାଉସ୍ ଭିତରର ସେଇ ଭାଇରାଲ ଅଡିଓ ।
ଭାରତ ଓ ଆମେରିକା ମଧ୍ୟରେ ଅନେକ ବାଣିଜ୍ୟ ଚୁକ୍ତି ବହୁ ଦିନ ଧରି ଅଟକି ରହିଛି। ଅନେକ ପର୍ଯ୍ୟାୟ ଆଲୋଚନା ସତ୍ତ୍ୱେ ଦୁଇ ଦେଶ ଫଳାଫଳରେ ପହଞ୍ଚିବାରେ ବିଫଳ ହୋଇଛନ୍ତି। କିନ୍ତୁ ଏହାର କାରଣ କ'ଣ, କେହି ଜାଣିପାରୁ ନଥିଲେ । ସମସ୍ତଙ୍କ ମନରେ ଥିଲା ଅନେକ ପ୍ରଶ୍ନ । ଅନ୍ୟପଟେ ସାରା ବିଶ୍ୱକୁ ନାଲି ଆଖି ଦେଖାଉଥିବା ଆମେରିକା, ଭାରତ ବେଳକୁ ଚୁପ୍ ରହିଯାଏ । ପ୍ରଥମେ ଯେତେବେଳେ ଟ୍ରମ୍ପ ଭାରତ ଉପରେ ଟାରିଫ୍ ଲଗାଇଥିଲେ, ତା'ପରେ ଭାରତ ଖେଳିଥିଲା କୂଟନୈତିକ ଚାଲ । ଆଉ ସେବେଠାରୁ ଭାରତ ବିରୋଧରେ ପଦେ କହିନାହାନ୍ତି ଟ୍ରମ୍ପ ।
ହେଲେ ଏବେ ଯେଉଁ ଅଡିଓ ଭାଇରାଲ ହେଉଛି ତାହା ସମସ୍ତଙ୍କୁ ଚକିତ କରିଦେଇଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିକଟତର ବୋଲି ବିବେଚନା କରାଯାଉଥିବା ରିପବ୍ଲିକାନ୍ ସେନେଟର୍ ଟେଡ୍ କ୍ରୁଜ୍ଙ୍କ ଦ୍ୱାରା ଲିକ୍ ହୋଇଥିବା ଏକ ଅଡିଓ କ୍ଲିପ୍ କହିଦେଉଛି ଅନେକ ସତ । ଆଉ ତାପରେ ଜଣାପଡ଼ିଛି ହ୍ୱାଇଟ୍ ହାଉସ୍ରେ ଆରମ୍ଭ ହୋଇଛି ଗୃହଯୁଦ୍ଧ ।
ଅଡିଓ କ୍ଲିପ୍ ଭାଇରାଲ
ଏକ ରିପୋର୍ଟ ଅନୁଯାୟୀ, ଟେଡ୍ କ୍ରୁଜ୍ ଦଳକୁ ଦାନ ଭାବେ ପାଣ୍ଠି ପ୍ରଦାନ କରୁଥିବା କିଛି ଲୋକଙ୍କ ସହ ଏକ ଫୋନ୍ କଲ୍ ସମୟରେ ଖୋଲାଖୋଲି ଭାବରେ ଏହି ପ୍ରସଙ୍ଗ ଉପରେ ଆଲୋଚନା କରିଥିବାର ଅଡିଓ କ୍ଲିପ୍ରୁ ଶୁଣିବାକୁ ମିଳୁଛି। କଲ୍ରେ କ୍ରୁଜ୍ ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଅଟକି ରହିବା ପାଇଁ ହ୍ୱାଇଟ୍ ହାଉସ୍ ବାଣିଜ୍ୟ ପରାମର୍ଶଦାତା ପିଟର୍ ନାଭାରୋ ଓ ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କୁ ଦାୟୀ କରିଛନ୍ତି। ବିଳମ୍ବ ପାଇଁ ସେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୀତିକୁ ମଧ୍ୟ ଦାୟୀ କରୁଥିବାର ଶୁଣିବାକୁ ମିଳୁଛି।
ଲିକ୍ ହୋଇଥିବା ଅଡିଓ ଅନୁସାରେ, ଟେକ୍ସାସର ରିପବ୍ଲିକାନ୍ ସେନେଟର କ୍ରୁଜ୍ କହିଛନ୍ତି ମୁଁ ଭାରତ ସହିତ ଏକ ବାଣିଜ୍ୟ ଚୁକ୍ତି ଚୂଡ଼ାନ୍ତ କରିବା ପାଇଁ ହ୍ୱାଇଟ୍ ହାଉସ୍ ମଧ୍ୟରେ ସଂଘର୍ଷ କରୁଛି। ପ୍ରଶାସନ ଭିତରେ ଚୁକ୍ତିକୁ ବିରୋଧ କରୁଥିବା ଲୋକେ କିଏ ବୋଲି ପ୍ରଶ୍ନର ଉତ୍ତରରେ କ୍ରୁଜ୍ ନାଭାରୋ, ଜେ.ଡି. ଭାନ୍ସ ଓ ଟ୍ରମ୍ପଙ୍କ ନାମ ନେଇଛନ୍ତି।
ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, କ୍ରୁଜ୍ ଓ ଅନ୍ୟ କେତେକ ରିପବ୍ଲିକାନ୍ ସେନେଟର ଗତ ଏପ୍ରିଲରେ ଟ୍ରମ୍ପଙ୍କୁ ବିଶ୍ୱସ୍ତରରେ ଲିବରେସନ୍ ଡେ' ଟାରିଫ୍ ଲାଗୁକୁ ରୋକିବା ପାଇଁ ଚେଷ୍ଟା କରିଥିଲେ। ଟ୍ରମ୍ପଙ୍କୁ ଚେତାବନୀ ଦେଇଥିଲେ କ୍ରୁଜ୍ ଯେ ଅଧିକ ଟାରିଫ୍ ମୁଦ୍ରାସ୍ଫୀତି ବୃଦ୍ଧି କରିବ ଓ ସାଧାରଣ ଆମେରିକୀୟ ଗ୍ରାହକମାନଙ୍କୁ କ୍ଷତି ପହଞ୍ଚାଇବ। ଯାହା ଦ୍ବାରା ୨୦୨୬ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନରେ ରିପବ୍ଲିକାନ୍ ପାର୍ଟିକୁ ଏହା କ୍ଷତି ପହଞ୍ଚାଇପାରେ। କିନ୍ତୁ ଟ୍ରମ୍ପ ଏହି ଚେତାବନୀକୁ ଅଣଦେଖା କରିଥିଲେ।
ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିନାମା କିଛି ମାସ ଧରି ଅନିଶ୍ଚିତତା ମଧ୍ୟରେ ବୁଡ଼ି ରହିଛି । ଗତ ପାଞ୍ଚ ମାସ ଧରି ଆମେରିକା ଭାରତରୁ ଆମଦାନି ହେଉଥିବା କିଛି ଉତ୍ପାଦ ଉପରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ଲାଗୁ କରିଛି। ଶୁଳ୍କ ଲାଗୁ ହେବା ପୂର୍ବରୁ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଆଲୋଚନା ଆରମ୍ଭ ହୋଇସାରିଛି ।
ଗତ ବର୍ଷ ଫେବ୍ରୁଆରୀରେ ଆନୁଷ୍ଠାନିକ ଅନୁମୋଦନ ଦିଆଯାଇଥିଲା ଓ ମାର୍ଚ୍ଚ-ଏପ୍ରିଲରେ ଆଲୋଚନା ପୁଣି ଆରମ୍ଭ ହୋଇଥିଲା। କିନ୍ତୁ କୌଣସି ଠୋସ୍ ଚୁକ୍ତିନାମା ହୋଇପାରି ନଥିଲା। ଏହା ସତ୍ତ୍ୱେ, ରାଷ୍ଟ୍ରପତି ଟ୍ରମ୍ପ ବାରମ୍ବାର ସାର୍ବଜନୀନ ଭାବରେ କହୁଛନ୍ତି ଯେ, ତାଙ୍କର ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଭଲ ସମ୍ପର୍କ ଅଛି ଓ ଖୁବ୍ ଶୀଘ୍ର ଏକ ବାଣିଜ୍ୟ ଚୁକ୍ତି ହୋଇପାରେ।
📱 Get Argus News App
✨Related Topics
Explore more stories