Videos
|
National

ମହାକୁମ୍ଭ ଯାଉଥିଲେ ନିହାତି ଜାଣନ୍ତୁ

Jyoti Prakash Mallick
Browse all articles by Jyoti Prakash Mallick
·1 year ago·3 min read
 ମହାକୁମ୍ଭ ଯାଉଥିଲେ ନିହାତି ଜାଣନ୍ତୁ

Key Points

ପ୍ରୟାଗରାଜ ଯାଉଥିଲେ ଭୁଲନ୍ତୁ ନାହିଁ

ଏହି ମନ୍ଦିର ନଗଲେ ଅଧୁରା ରହିବ ତୀର୍ଥଯାତ୍ରା

୪ ଯୁଗ ହେଲା ଛିଡା ହୋଇଛି ସେହି ବରଗଛ

ଅର୍ଗସ ବ୍ୟୁରୋ: ପୌଷପୂର୍ଣ୍ଣିମାର ବିରଳ ତିଥିରୁ ତ୍ରିବେଣୀ ସଙ୍ଗମରେ ଲାଗିରହିଛି ସନାତନ ରୀତିନୀତିରେ ଭବ୍ୟ ସମାବେଶ ମହାକୁମ୍ଭ। ଜୀବନ ଧାରାର ନିତିଦିନିଆ ପୃଷ୍ଠାକୁ ଲେଉଟାଇ ପୁଣ୍ୟର ଫର୍ଦ୍ଦ ଯୋଡିବାକୁ କୋଟିକୋଟି ପାଦ ଛୁଟି ଆସୁଛି ପବିତ୍ର ଭୂମି ପ୍ରୟାଗରାଜ । ଜାନୁୟାରୀ ୧୩ ରୁ ଆରମ୍ଭ ହୋଇଥିବା ମହାକୁମ୍ଭ ଫେବୃୟାରୀ ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ । ଯଦି ଆପଣ ମଧ୍ୟ ଏହି ଧାର୍ମିକ ସମାବେଶରେ ସାମିଲ ହେବାକୁ ଏଠାକୁ ଆସୁଛନ୍ତି ତେବେ ପ୍ରୟାଗରାଜର ଏହି ମନ୍ଦିର ଯିବାକୁ ଭୁଲନ୍ତୁ ନାହିଁ। ଏଠାରେ ଆପଣ କେବଳ ଆଧ୍ୟାତ୍ମିକ ପରିବେଶ ପାଇବେ ତା ନୁହେଁ ଏହି ପୀଠରେ ଈଶ୍ବରଙ୍କ ସାନ୍ନିଧ୍ୟ ପାଇବେ ବୋଲି ବିଶ୍ବାସ କରାଯାଏ


ଲେଟେ ହନୁମାନ ମନ୍ଦିର


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପ୍ରୟାଗରାଜରେ ସେମିତି ଏକ ପୀଠ ହେଉଛି ଲେଟେ ହନୁମାନ ମନ୍ଦିର। ପ୍ରୟାଗରାଜର ଗଙ୍ଗାକୂଳରେ ରହିଥିବା ଏହି ମନ୍ଦିରରେ ଶୟନ ମୁଦ୍ରାରେ ଥିବା ହନୁମାନଙ୍କ ମୂର୍ତ୍ତୀ ପୂଜା ପାଉଛନ୍ତି। ଏହା ହେଉଛି ଦୁନିଆର ଏକମାତ୍ର ମନ୍ଦିର ଯେଉଁଠାରେ ବଜରଙ୍ଗବାଲୀ ଆରାମରେ ଶୋଇ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ଏଠାରେ ଗଙ୍ଗାମାତା ପ୍ରତିବର୍ଷ ହନୁମାନଙ୍କୁ ସ୍ନାନ କରାନ୍ତି । ଅହିରାବଣଙ୍କୁ ଏଠାରେ ହନୁମାନଙ୍କ ହାତତଳେ ଚାପି ଦିଆଯାଇଛି ବୋଲି ବିଶ୍ବାସ ରହିଛି । କିମ୍ବଦନ୍ତୀ କୁହେ ଲଙ୍କା ଯୁଦ୍ଧ ସମୟରେ ହନୁମାନ ଗୁରୁତର ଆହତ ହୋଇ ପ୍ରୟାଗରାଜର ଏହି ସଙ୍ଗମ କୂଳରେ ବିଶ୍ରାମ ନେଇଥିଲେ


ଆଉ ଏକ ପୀଠ ହେଉଛି ବେଣୀମାଧବ ମନ୍ଦିର


ପ୍ରୟାଗରାଜର ଦରଗଞ୍ଜ ଅଞ୍ଚଳରେ ଗଙ୍ଗାନଦୀ ତଟରେ ରହିଛି ବେଣୀମାଧବ ମନ୍ଦିର। ଏହି ମନ୍ଦିରକୁ ଲକ୍ଷ୍ମୀ ନାରାୟଣ ମନ୍ଦିର ବୋଲି କୁହାଯାଏ। ମର୍ତ୍ତ୍ୟପୁରାଣ, ଅଗ୍ନୀପୁରାଣ ଏବଂ ପଦ୍ମପୁରାଣ ଅନୁସାରେ ବେଣୀମାଧବ ମନ୍ଦିର ପ୍ରୟାଗରାଜର ଖୁଖ୍ୟମନ୍ଦିର। ପ୍ରୟାଗରାଜର ରକ୍ଷକ ବିଷ୍ଣୁ ମାଧବ ରୂପରେ ଏଠାରେ ପୂଜା ପାଉଛନ୍ତି। ଭଗବାନ ମାଧବଙ୍କର ୧୨ଟି ମନ୍ଦିର ରହିଛି। ଏହି ୧୨ଟି ମନ୍ଦିରର ପରିକ୍ରମା କଲେ ସବୁ ଦେବାଦେବୀଙ୍କ ଦର୍ଶନ ହୁଏ ବୋଲି ବିଶ୍ବାସ ରହିଛି। ପୌରାଣିକ କିମ୍ବଦନ୍ତୀ ଅନୁସାରେ ତ୍ରେତୟା ଯୁଗରେ ଗଜକର୍ଣ୍ଣ ନାମକ ଏକ ରାକ୍ଷଶ ତିନି ଲୋକରେ ଉତ୍ପାତ କରୁଥିଲା। ଯେଉଁଥିରୁ ମୁକୁଳିବା ପାଇଁ ସବୁ ଦେବତା ଓ ଭକ୍ତ ବିଷ୍ଣୁଙ୍କ ଶରଣକୁ ଯାଇଥିଲେ। ଭଗବାନ ବିଷ୍ଷୁ ନାରଦଙ୍କୁ ଗଜକର୍ଣ୍ଣ ରାକ୍ଷଶ ପାଖକୁ ପଠାଇଥିଲେ। ସେଠାରେ ନାରଦ ଯାଇ ଦେଖିଥିଲେ ଗଜକର୍ଣ୍ଣ ଏକ ଗୁରୁତର ରୋଗରେ ପୀଡିତ ହୋଇ ପଡି ରହିଛି। ବିଷ୍ଷୁ ନାରଦଙ୍କ ମାଧ୍ୟମରେ ତାଙ୍କୁ ପରାମର୍ଶ ଦେଇଥିଲେ ତ୍ରିବେଣୀ ସଂଗମରେ ସ୍ନାନ କରିବାକୁ । ଗଜକର୍ଣ୍ଣ ତ୍ରିବେଣୀ ସଂଗମରେ ସ୍ନାନ କରିବା ପରେ ରୋଗରୁ ଭଲ ହୋଇ ଯାଇଥିଲା। ଏହା ଦେଖି ରାକ୍ଷଣ ଚିନ୍ତା କରିଥିଲା ଯଦି ସ୍ନାନ କଲେ ରୋଗ ଭଲ ହୋଇଯାଉଛି ତେବେ ସବୁ ପାଣି ପିଇଦେଲେ ମୁଁ ଯାହା ଇଚ୍ଛା କରିବି ତା ପାଇଯିବି। ସେ ତାହା ହିଁ କରିଥିଲା ସବୁ ପାଣି ନିଜ ପେଟକୁ ନେଇ ଯାଇଥିଲା। ପରେ ଭଗବାନ ବିଷ୍ଣୁ ସୁଦର୍ଶନ ଚକ୍ରରେ ରାକ୍ଷଶର ମୁଣ୍ଡ କାଟିଦେଇଥିଲେ। ଯେତେବେଳେ ଭଗବାନ ବିଷ୍ଣୁ ବୈକୁଣ୍ଠ ଧାମକୁ ଫେରି ଯାଉଥିଲେ ଲୋକମାନେ ତାଙ୍କୁ ତ୍ରିବେଣୀ ସଂଗମର ସୁରକ୍ଷା ପାଇଁ ରହିଯିବାକୁ କହିଥିଲେ। ସେବେଠାରୁ ଭଗବାନ ବିଷ୍ଷୁ ଏଠାରେ ମାଧବ ରୂପରେ ପୂଜା ପାଉଛନ୍ତି


ପାତାଳପୁରୀ ମନ୍ଦିର


ଇତିହାସ କୁହେ ସବୁଠୁ ପ୍ରାଚୀନ ମନ୍ଦିର ହେଉଛି ପାତାଳପୁରୀ ମନ୍ଦିର। ଏହି ମନ୍ଦିରରେ ଏକ ଭୂତଳ ମନ୍ଦିର ଅଛି, ଯେଉଁଠାରେ ମାର୍କଣ୍ଡେୟ ଋଷି କଠୋର ତପସ୍ୟା କରିବା ସହ ଭଗବାନ ବିଷ୍ଣୁଙ୍କ ଆଶୀର୍ବାଦ ପାଇ ପୁରାଣଶାସ୍ତ୍ର ରଚନା କରିଥିଲେ। ମନ୍ଦିରରେ ଭୂତଳ କୋଠରୀ ଥିବାରୁ ଏହାକୁ ପାତାଳପୁରୀ ମନ୍ଦିର କୁହାଯାଏ


ନାଗବାସୁକି ମନ୍ଦିର


ଯେଉଁମାନେ ତୀର୍ଥ ଯାତ୍ରାରେ ଯାଆନ୍ତି ସେମାନେ ନାଗବାସୁକିଙ୍କ ଦର୍ଶନ ନକଲେ ତୀର୍ଥଯାତ୍ରା ପୂର୍ଣ୍ଣ ହୁଏନାହିଁ ବୋଲି ବିଶ୍ବାସ ରହିଛି। ଏଠାରେ ସାପଙ୍କ ରାଜା ବାସୁକି ନାଗ ବାସ କରନ୍ତି । ଯେତେବେଳେ ଔରଙ୍ଗଜେବ ହିନ୍ଦୁ ମନ୍ଦିରଗୁଡିକୁ ଆକ୍ରମଣ କରି ଭାଙ୍ଗି ଦେଉଥିଲେ, ସେତେବେଳେ ସେ ଏହି ନାଗ ବାସୁକି ମନ୍ଦିରକୁ ଆକ୍ରମଣ କରିଥିଲେ , ଆକ୍ରମଣ କରିବା ମାତ୍ରେ କ୍ଷୀରର ଏକ ଧାର ଆସି ତାଙ୍କ ମୁହଁରେ ପଡିଯାଇଥିଲା। ଯାହାଫଳରେ ଅଚେତ ହାଇଯାଇଥିଲେ । ସମୁଦ୍ର ମନ୍ଥନ ସମୟରେ ଦେବତା ଓ ରାକ୍ଷସମାନେ ନାଗବାସୁକିକୁ ଗୁଡ଼ାଇ ଦଉଡ଼ି ଭାବେ ବ୍ୟବହାର କରୁଥିଲେ। ସମୁଦ୍ର ମନ୍ଥନ ପରେ ନାଗରାଜ ବାସୁକି କ୍ଷତବିକ୍ଷତ ହୋଇଯାଇଥିଲେ । ବିଷ୍ଣୁଙ୍କ ନିର୍ଦ୍ଦେଶପରେ ନାଗରାଜ ବାସୁକି ଏହି ସ୍ଥାନରେ ଆଶ୍ରୟ ନେଇଥିଲେ। ନାଗପଞ୍ଚମୀ ଦିନ ଏଠାରେ ଲକ୍ଷଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହୁଏ


ଅକ୍ଷୟବଟ ମନ୍ଦିର


ପ୍ରୟାଗରାଜରେ ଥିବା ଏହି ମନ୍ଦିରରେ ଏକ ପ୍ରାଚୀନ ବରଗଛ ବା ବଟବୃକ୍ଷ ରହିଛି। ଯେଉଁଥିପାଇଁ ଏହି ମନ୍ଦିରକୁ ଅକ୍ଷୟବଟ ମନ୍ଦିର କୁହାଯାଏ। ବିଶ୍ବାସ କରାଯାଏ ୪ ଯୁଗ ହେଲା ଏ ବରଗଛ ଏମିତି ଏଠାରେ ଛିଡା ହୋଇଛି