ଅର୍ଥନୈତିକ ସର୍ଭେ ରିପୋର୍ଟ :ଓଡ଼ିଶାର ଅଭିବୃଦ୍ଧି ହାର ୭.୨ ପ୍ରତିଶତ ରହିବା ଆକଳନ

ପ୍ରକାଶ ପାଇଲା ୨୦୨୪-୨୫ ଆର୍ଥିକ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ । ଏଥିରେ ଚଳିତ ଆର୍ଥିକ ବର୍ଷରେ ଓଡ଼ିଶାର ଅଭିବୃଦ୍ଧି ହାର ୭.୨ ପ୍ରତିଶତ ରହିବା ନେଇ ଆକଳନ କରାଯାଇଛି। ଯାହା ସର୍ବଭାରତୀୟ ଅଭିବୃଦ୍ଧି ହାର ୬.୪ ପ୍ରତିଶତ ତୁଳନାରେ ଅଧିକ। ୨୦୨୪-୨୫ରେ ଓଡିଶା ଅର୍ଥନୀତିର ଆକାର ୯.୫ ଲକ୍ଷ କୋଟି ଟଙ୍କା ହେବ ବୋଲି କୁହାଯାଇଛି। ଓଡିଶା ଅର୍ଥନୀତିର ସମସ୍ତ କ୍ଷେତ୍ରରେ ଦୃତ ଅଭିବୃଦ୍ଧି ହୋଇଛି। ରାଜ୍ୟ ଅର୍ଥନୀତିରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରର ଯୋଗଦାନ ପ୍ରାୟ ୧୯ ପ୍ରତିଶତ। କୃଷି କ୍ଷେତ୍ରରେ ଅଭିବୃଦ୍ଧି ହାର ୩.୩ ପ୍ରତିଶତ ରହିଛି। ଯାହାକି ସର୍ବଭାରତୀୟ ସ୍ତରର ଅଭିବୃଦ୍ଧି ସହ ପ୍ରାୟତଃ ସମାନ। ସେହିପରି ରାଜ୍ୟ ଜିଡିପିରେ ଶିଳ୍ପ କ୍ଷେତ୍ରର ଯୋଗଦାନ ୪୪ ପ୍ରତିଶତ ଥିବାବେଳେ ଏହାର ଅଭିବୃଦ୍ଧି ହାର ୬.୧ ପ୍ରତିଶତ। ରାଜ୍ୟରେ ସେବାକ୍ଷେତ୍ରର ଯୋଗଦାନ ପ୍ରାୟ ୩୭ ପ୍ରତିଶତ ଏବଂ ଏହାର ୧୦ ପ୍ରତିଶତ ହାରରେ ଅଭିବୃଦ୍ଧି ଘଟିବ ବୋଲି ଆକଳନ କରାଯାଇଛି। ହୋଟେଲ ଏବଂ ରେସ୍ତୋରାଁ ବ୍ୟବସାୟରେ ଦୃତ ଅଭିବୃଦ୍ଧି, ବାଣିଜ୍ୟ ଏବଂ ମରାମତି ସେବା କ୍ଷେତ୍ରର ଦୁଇଅଙ୍କ ବିଶିଷ୍ଟ ଅଭିବୃଦ୍ଧି ଏଥିରେ ପ୍ରମୁଖ ଯୋଗଦାନକାରୀ । ବିଶ୍ଵର ବିକଶିତ ଅର୍ଥନୀତି ଗୁଡିକରେ ସେବା କ୍ଷେତ୍ରର ବଡ଼ ଯୋଗଦାନ ରହିଥାଏ। ଉଦାହରଣ ସ୍ବରୂପ ୨୦୨୧ରେ ଆମେରିକାର ଜିଡିପିରେ ସେବା କ୍ଷେତ୍ରର ଯୋଗଦାନ ୭୭.୬ ପ୍ରତିଶତ ଥିଲା ।
ସେବା କ୍ଷେତ୍ରରେ ଅଧିକ ଅଭିବୃଦ୍ଧି ଭବିଷ୍ୟତର ଅର୍ଥନୀତି ପାଇଁ ଏକ ଶୁଭ ସଙ୍କେତ ଅଟେ ବୋଲି ସର୍ଭେ ରିପୋର୍ଟରେ କୁହାଯାଇଛି। ୨୦୨୪-୨୫ ଆର୍ଥିକ ବର୍ଷରେ ଓଡ଼ିଶାର ମୁଣ୍ଡପିଛା ଆୟ ୧୦.୬ ପ୍ରତିଶତ ବୃଦ୍ଧି ପାଇ ୧.୮୩ ଲକ୍ଷ ଟଙ୍କା ସ୍ତରରେ ପହଞ୍ଚିଛି ଏବଂ ସର୍ବଭାରତୀୟ ମୁଣ୍ଡପିଛା ଆୟଠାରୁ ଏହାର ବ୍ୟବଧାନ ଏକ ଅଙ୍କ (୮.୮ ପ୍ରତିଶତ)କୁ ହ୍ରାସ ପାଇଛି। ମୁଣ୍ଡପିଛା ଆୟ ଦୃଷ୍ଟିରୁ ଓଡିଶା ଦେଶରେ ଏକାଦଶ ସ୍ଥାନରେ ରହିଛି। ଯଦି ଓଡିଶା ମୁଣ୍ଡପିଛା ଆୟ ବୃଦ୍ଧିକୁ ୧ପ୍ରତିଶତରେ ତ୍ବରାନ୍ବିତ କରିବାରେ ସଫଳ ହୁଏ, ତେବେ ଆସନ୍ତା ୩ ବର୍ଷ ମଧ୍ୟରେ ରାଜ୍ୟର ମୁଣ୍ଡପିଛା ଆୟ ଜାତୀୟ ହାର ସହ ସମକକ୍ଷ ହୋଇପାରିବ ବୋଲି ରିପୋର୍ଟରେ କୁହାଯାଇଛି। ଆଗାମୀ ଦିନରେ ରାଜ୍ୟ ଏକ ଦ୍ରୁତ ଅଭିବୃଦ୍ଧି ପାଇଁ ପ୍ରସ୍ତୁତ। ଅଭିବୃଦ୍ଧିର ପ୍ରମୁଖ ସହାୟକ ହେବ ଜମି, ଶ୍ରମ, ପୁଞ୍ଜି, ସମ୍ବଳ ଏବଂ ଗିରିଭୂମି। ୨୦୨୩ ମସିହାରେ ୧.୫ ଲକ୍ଷ ବର୍ଗ କିଲୋମିଟର ଭୌଗୋଳିକ କ୍ଷେତ୍ରର ପ୍ରାୟ ୪.୩ ପ୍ରତିଶତ ନିର୍ମିତ କ୍ଷେତ୍ର ଥିଲା। ସମ୍ଭାବ୍ୟ ନିବେଶକଙ୍କ ପାଇଁ ରାଜ୍ୟ ପର୍ଯ୍ୟାପ୍ତ ଜମି ପ୍ରଦାନ କରୁଛି ।