ଭୂପେଶ ବଘେଲଙ୍କ ଘରେ ରେଡ୍, ଭୁପେଶଙ୍କ ସମର୍ଥକ ଇଡି ଟିମ ଉପରେ କରିଛନ୍ତି ଆକ୍ରମଣ

ଛତିଶଗଡରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଟିମ ଉପରେ ଆକ୍ରମଣ। ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ଘରେ ରେଡ୍ ସାରି ଫେରିବା ସମୟରେ ଭୁପେଶଙ୍କ ସମର୍ଥକମାନେ ଇଡି ଟିମ ଉପରେ ଆକ୍ରମଣ କରିଛନ୍ତି। ଟିମ କାର ଉପରେ ଟେକା ପଥର ମାଡ଼ କରିଛନ୍ତି। ଆଜି ଇଡି ମଦ ଦୁର୍ନୀତି ମାମଲାରେ ଭୂପେଶ ବଘେଲଙ୍କ ଘରେ ରେଡ୍ କରିଥିଲା। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଟିମ୍ ୧୪ଟି ସ୍ଥାନରେ ଚଢାଉ କରିଛି । ଭୁପେଶ ବଘେଲଙ୍କ ପୁଅ ଚୈତନ୍ୟ ବଘେଲଙ୍କ ଘରେ ମଧ୍ୟ ଚଢଉ ହେଉଛି। ମଦ ଦୁର୍ନୀତି ମାମଲାରେ ଭୁପେଶଙ୍କ ପୁଅ ଚୈତନ୍ୟ ବଘେଲଙ୍କର ସଂପୃକ୍ତି ଥିବା ଅଭିଯୋଗରେ ଇଡି ଚଢାଉ କରୁଛି।
ଦୁଇ ହଜାର କୋଟିରୁ ଉର୍ଦ୍ଧ୍ବ ଟଙ୍କାର ମଦ ଦୁର୍ନୀତି ମାମଲାରେ ହୋଇଥିବା ହେରଫେରରେ ତାଙ୍କର ହାତ ଥିବା ଇଡି ହାତରେ ପ୍ରମାଣ ଲାଗିଛି। ମଦ ଦୁର୍ନୀତିରୁ ଭୁପେଶ ବଘେଲଙ୍କ ପୁଅ ଚୈତନ୍ୟ ଫାଇଦା ଉଠାଇଥିବା ପ୍ରମାଣ ମିଳିଛି। ଏନେଇ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ମୁ ଦେଓ ସାଏ କହିଛନ୍ତି, କଂଗ୍ରେସ ସରକାର ବେଳେ ବହୁତ ଦୁର୍ନୀତି ହୋଇଥିବା କଥା ସମସ୍ତେ ଜାଣିଛନ୍ତି। କେନ୍ଦ୍ର ସରକାର ଏସବୁକୁ ପ୍ରମାଣିତ କରିବାରେ ଲାଗିଛନ୍ତି। ଦୁର୍ନୀତି ପାଇଁ ଅନେକ ଏବେ ଜେଲରେ ଅଛନ୍ତି ଆଉ କିଛି ଜେଲ ଯିବାକୁ ପ୍ରସ୍ତୁତ ହେଉଛନ୍ତି।