Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Egg Export / ମଧ୍ୟପ୍ରାଚ୍ୟ ଯୁଦ୍ଧ ପାଇଁ ବନ୍ଦ ହେଲା ଅଣ୍ଡା ରପ୍ତାନୀ ଚିନ୍ତାରେ ଅଣ୍ଡା ବ୍ୟବସାୟୀ

Rashmita Mishra
Browse all articles by Rashmita Mishra
·3 months ago·2 min read
ମଧ୍ୟପ୍ରାଚ୍ୟ ଯୁଦ୍ଧ ପାଇଁ ବନ୍ଦ ହେଲା ଅଣ୍ଡା ରପ୍ତାନୀ ଚିନ୍ତାରେ ଅଣ୍ଡା ବ୍ୟବସାୟୀ
Egg Export

Key Points

ମଧ୍ୟପ୍ରାଚ୍ୟ ଯୁଦ୍ଧ ପାଇଁ ବନ୍ଦ ହେଲା ଅଣ୍ଡା ରପ୍ତାନୀ
ଘରୋଇ ବଜାରରେ ବଳକା ହେଲା ଷ୍ଟକ୍
ଓଡ଼ିଶାରେ କ୍ରମାଗତ ଭାବେ ଖସୁଛି ଅଣ୍ଡା ଦର; ହରଡ଼ଘଣାରେ ପୋଲ୍ଟ୍ରି ଚାଷୀ
ଏବେ ଦେଶର ବିଭିନ୍ନ ବଜାରରେ ଉପଲବ୍ଧ ତାମିଲନାଡୁରୁ ରପ୍ତାନୀ ହେଉଥିବା କୋଟି କୋଟି ଅଣ୍ଡା
ଗଞ୍ଜାମର ୬୪ଟି ଫାର୍ମରୁ ଆଦାୟ ହେଉଥିବା ୫୦ ଲକ୍ଷ ଅଣ୍ଡାର ବିକ୍ରିକୁ ନେଇ ବଢ଼ିଲା ଆଶଙ୍କା

ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧର ବିଭୀଷିକା ଏବେ ସୀମା ଡେଇଁ ସିଧାସଳଖ ପ୍ରଭାବ ପକାଇଛି ଓଡ଼ିଶାର ଅଣ୍ଡା ବଜାର ଉପରେ । ଯୁଦ୍ଧ ଯୋଗୁଁ ଅନେକ ଅତ୍ୟାବଶ୍ୟକ ସାମଗ୍ରୀର ଦର ଆକାଶଛୁଆଁ ହେଉଥିବା ବେଳେ, ଅଣ୍ଡା ଦର କିନ୍ତୁ ଅସ୍ୱାଭାବିକ ଭାବେ ହ୍ରାସ ପାଇବାରେ ଲାଗିଛି ।

ତାମିଲନାଡୁରୁ ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକୁ ହେଉଥିବା ବୃହତ ରପ୍ତାନୀ ବନ୍ଦ ହୋଇଯିବା ଫଳରେ ଏବେ ଦେଶର ଘରୋଇ ବଜାରରେ ଅଣ୍ଡା ସଂଖ୍ୟା ବୃଦ୍ଧି ପାଇଛି । ଏହାର ସିଧାସଳଖ ପ୍ରଭାବ ଗଞ୍ଜାମ ସମେତ ସାରା ଓଡ଼ିଶାର ଅଣ୍ଡା ଚାଷୀ ଓ ବ୍ୟବସାୟୀଙ୍କ ଉପରେ ପଡ଼ିଛି । ଉତ୍ପାଦନ ଖର୍ଚ୍ଚ ବଢ଼ୁଥିବା ବେଳେ ବଜାର ଦର କମିବା ଏବେ ପୋଲ୍ଟ୍ରି ଫାର୍ମ ମାଲିକଙ୍କ ନିଦ ହଜାଇ ଦେଇଛି ।

ସମୟ ବିତୁଛି, ହେଲେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଥମିବାର ନାଁ ନେଉନି । ଏହି ଯୁଦ୍ଧର ପ୍ରଭାବ ଏବେ ଗଞ୍ଜାମ ଜିଲ୍ଲାର ଅଣ୍ଡା ଫାର୍ମ ଗୁଡ଼ିକରେ ସ୍ପଷ୍ଟ ବାରି ହୋଇ ପଡ଼ୁଛି । ସୂଚନା ଅନୁଯାୟୀ, ପୂର୍ବରୁ ତାମିଲନାଡୁରୁ ଦୈନିକ ପ୍ରାୟ ୧ କୋଟି ୪୦ ଲକ୍ଷ ଅଣ୍ଡା ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକୁ ରପ୍ତାନୀ କରାଯାଉଥିଲା । ମାତ୍ର ଯୁଦ୍ଧ ଯୋଗୁଁ ରପ୍ତାନୀ ବନ୍ଦ ହୋଇଯିବାରୁ ସେହି ସମସ୍ତ ଅଣ୍ଡା ଏବେ ଓଡ଼ିଶା ଭଳି ରାଜ୍ୟର ବଜାରରେ ପ୍ରବେଶ କରିଛି ।

ଓଡ଼ିଶାରେ ଦୈନିକ ୧ କୋଟି ୧୦ ଲକ୍ଷ ଅଣ୍ଡା ଉତ୍ପାଦନ ହେଉଥିବା ବେଳେ ଏକାକି ଗଞ୍ଜାମ ଜିଲ୍ଲା ୫୦ ଲକ୍ଷ ଅଣ୍ଡା ଯୋଗାଇଥାଏ । ଏବେ ବାହାର ରାଜ୍ୟର ଅଣ୍ଡା ବଜାରକୁ ଆସିବା ଫଳରେ ସ୍ଥାନୀୟ ଅଣ୍ଡା ଦର ୧ ଟଙ୍କାରୁ ୧ ଟଙ୍କା ୨୦ ପଇସା ପର୍ଯ୍ୟନ୍ତ ହ୍ରାସ ପାଇଛି । ଏନ.ଇ.ସି.ସି (NECC) ବ୍ରହ୍ମପୁର ଜୋନ୍ ପକ୍ଷରୁ ପ୍ରତିଯୋଗିତାମୂଳକ ଦର ନିର୍ଦ୍ଧାରଣ କରାଯାଉଥିଲେ ମଧ୍ୟ ଚାଷୀଙ୍କ ଚିନ୍ତା କମିବାର ନାଁ ନେଉନି ।

କେବଳ ଚାଷୀ ନୁହେଁ, ହୋଲସେଲ ବ୍ୟବସାୟୀ ମଧ୍ୟ ଏହି ସ୍ଥିତିରେ ହତାଶ ହୋଇପଡ଼ିଛନ୍ତି । ଯୁଦ୍ଧ ପୂର୍ବରୁ ଗୋଟିଏ ଅଣ୍ଡା ୮ରୁ ୯ ଟଙ୍କାରେ ବିକ୍ରି ହେଉଥିବା ବେଳେ ଏବେ ଏହା ଖସି ଆସି ୪ରୁ ୫ ଟଙ୍କାରେ ପହଞ୍ଚିଛି । ହୋଲସେଲ୍ ଦର ୪ ଟଙ୍କା ୬୫ ପଇସା ରହିଥିବା ବେଳେ ଖୁଚୁରା ବଜାରରେ ଏହା ୫ ଟଙ୍କାରେ ବିକ୍ରି ହେଉଛି । ପୂର୍ବରୁ ଅଣ୍ଡା ଟ୍ରେ ପିଛା ୨୦୦ରୁ ୨୨୦ ଟଙ୍କା ରହୁଥିବା ବେଳେ ଏବେ ବ୍ୟବସାୟୀମାନେ ମାତ୍ର ୧୫୦ ଟଙ୍କାରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ।

କୁକୁଡ଼ା ଦାନା ଓ ଅନ୍ୟାନ୍ୟ ରକ୍ଷଣାବେକ୍ଷଣ ଖର୍ଚ୍ଚ ବୃଦ୍ଧି ପାଉଥିବା ବେଳେ ଅଣ୍ଡା ଦର କମିବା ବ୍ୟବସାୟକୁ କ୍ଷତିମୁଖକୁ ଠେଲି ଦେଇଛି । ଅଣ୍ଡାର ସେଲ୍‌ଫ-ଲାଇଫ୍ ମାତ୍ର ୧୫ ଦିନ ହୋଇଥିବାରୁ ଏହା ପୂର୍ବରୁ ଷ୍ଟକ୍ ଖାଲି କରିବାକୁ ବ୍ୟବସାୟୀମାନେ ଶସ୍ତାରେ ବିକ୍ରି କରିବାକୁ ବିବଶ ହେଉଛନ୍ତି । ଯଦି ଯୁଦ୍ଧ ସ୍ଥିତିରେ ଶୀଘ୍ର ସୁଧାର ନଆସେ ଏବଂ ରପ୍ତାନୀ ପୁନର୍ବାର ଆରମ୍ଭ ନହୁଏ, ତେବେ ଆଗାମୀ ଦିନରେ ଓଡ଼ିଶା ସମେତ ଦେଶର ଅନେକ ରାଜ୍ୟର ଅଣ୍ଡା ଚାଷୀ ସର୍ବସ୍ୱାନ୍ତ ହୋଇଯିବାର ଆଶଙ୍କା ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Egg Export | Middle East War Halts Egg Exports, Traders Worried | Argus News