World Elephant Day / ଜଙ୍ଗଲ ଛାଡ଼ି ଗାଁ ମୁହାଁ ହାତୀ: ହାତୀ-ମଣିଷ ସଂଘର୍ଷ ଗଲାଣି ୭୪୯ ଜଣଙ୍କ ଜୀବନ

Key Points
ହାତୀ ଦିବସରେ ହାତୀ ମଣିଷ ଲଢେଇ ଚିନ୍ତା ।
ହାତୀ ଆକ୍ରମଣରେ ୭୪୯ ଜଣ ମଣିଷଙ୍କର ମୃତ୍ୟୁ ।
୫ବର୍ଷରେ ବିଭିନ୍ନ କାରଣରୁ ୪୩୬ଟି ହାତୀଙ୍କର ମୃତ୍ୟୁ ।
ଆଜି 'ବିଶ୍ଵ ହସ୍ତି ଦିବସ'... ହାତୀଙ୍କ ସୁରକ୍ଷା, ସେମାନଙ୍କ ବାସସ୍ଥଳୀ ରକ୍ଷା ଏବଂ ମଣିଷ-ହାତୀ ମଧ୍ୟରେ ଅସ୍ତିତ୍ଵ ବଜାୟ ରଖିବା ଏହି ଦିବସର ମୁଖ୍ୟ ଲକ୍ଷ୍ୟ । ତେବେ ରାଜ୍ୟରେ ଏବେ ମଣିଷ-ହାତୀ ସଂଘର୍ଷ ଏକ ପ୍ରମୁଖ ଚିନ୍ତାର କାରଣ ପାଲଟିଛି । ମିଳିଥିବା ତଥ୍ୟ ଅନୁଯାୟୀ ଗତ ୫ବର୍ଷରେ ବିଭିନ୍ନ କାରଣରୁ ୪୩୬ଟି ହାତୀଙ୍କର ମୃତ୍ୟୁ ହୋଇଥିବା ବେଳେ ହାତୀ ଆକ୍ରମଣରେ ୭୪୯ ଜଣ ମଣିଷଙ୍କର ମୃତ୍ୟୁ ହେୋଇଛି । ବନବିଭାଗ ପକ୍ଷରୁ ହାତୀଙ୍କ ସୁରକ୍ଷା ଓ ଖାଦ୍ୟ ଯୋଗାଣ ପାଇଁ ନିଆଯାଉଛି ସ୍ବତନ୍ତ୍ର ପଦକ୍ଷେପ ।
ହାତୀ ଦିବସରେ ହାତୀ ମଣିଷ ଲଢେଇ ଚିନ୍ତା । ଜଙ୍ଗଲ କ୍ଷୟ, ବିଶ୍ବ ଉତ୍ତାପ ଏବଂ ବାସସ୍ଥଳୀର ସଙ୍କୁଚିତ ହେବା ଯୋଗୁଁ ଗାଁ ମୁହାଁ ହେଉଛନ୍ତି ହାତୀ । ଜଙ୍ଗଲ ମଧ୍ୟରେ ହାତୀମାନେ ପାଣି ଓ ପ୍ରାକୃତିକ ଆହାରର ସଙ୍କଟ ସାମ୍ନା କରୁଛନ୍ତି । ଫଳରେ ଖାଦ୍ୟ ଆଶାରେ ଗାଁ ଅଭିମୁଖେ ଚାଲିଆସୁଛନ୍ତି । କେବଳ ସେତିକି ନୁହେଁ, ଫସଲ ସହଜରେ ମିଳିଯାଉଥିବାରୁ ହାତୀଙ୍କ ଖାଦ୍ୟାଭ୍ୟାସରେ ମଧ୍ୟ ପରିବର୍ତ୍ତନ ଆସିଛି । ଯାହା ମଣିଷ-ହାତୀ ସଂଘର୍ଷକୁ ଆହୁରି ବଢ଼ାଇଦେଇଛି । ତଥ୍ୟ ଅନୁଯାୟୀ ଗତ ୫ବର୍ଷରେ ବିଭିନ୍ନ କାରଣରୁ ୪୩୬ଟି ହାତୀଙ୍କର ମୃତ୍ୟୁ ହୋଇଛି । ହାତୀ ଆକ୍ରମଣରେ ୭୪୯ ଜଣ ମଣିଷଙ୍କର ମୃତ୍ୟୁ ହେୋଇଛି । ଏହାସହ ଗତ ୫ବର୍ଷରେ ଚାଷୀଙ୍କର ୯୯ହଜାର୫୫ ଏକର ଫସଲ ନଷ୍ଟ କରିଛନ୍ତି ହାତୀ ।
କେତେବେଳେ ହାତୀ ଘର ଭାଙ୍ଗି ଧାନ ଚାଉଳ ଖାଉଛି ତ ଆଉ କେତେବେଳେ ଫସଲ ନଷ୍ଟ କରି ଦେଉଛି । ଏଥିରେ ପ୍ରତିକ୍ରିୟାଶିଳ ହୋଇ ମଣିଷ ହାତୀକୁ ଆକ୍ରମଣ କରୁଛି । ରିଲ୍ ନିଶାରେ ଯୁବ ଗୋଷ୍ଠୀ ହାତୀ ପ୍ରତି ଆକ୍ରମଣ କରୁଛନ୍ତି । ଏହାର ଫଳରେ ହାତୀ ମଣିଷ ଲଢେଇ ଜାରି ରହିଛି । ମୟୁରଭଂଜ,ଢେଙ୍କାନାଳ, ଅନୁଗୁଳ, କେନ୍ଦୁଝର ଭଳି ହାତୀପ୍ରବଣ ଅଞ୍ଚଳରେ ହାତୀଙ୍କ ଗତିବିଧି ନଜର ରଖିବା ପାଇଁ ସରକାର AI ଓ କମାଣ୍ଡ ସେଣ୍ଟର ଜରିଆରେ ମନିଟରିଂ କରୁଛନ୍ତି । ହାତୀ ଆସିଲେ ଲୋକଙ୍କୁ ସଚେତନ କରିବା ସହ, ସେମାନଙ୍କୁ ବିରକ୍ତ ନ କରିବା ପାଇଁ ଜଙ୍ଗଲ ବିଭାଗ ନିବେଦନ କରିଛି ।
ସ୍କ୍ଵାଡ୍, ଟାସ୍କଫୋର୍ସ, ସବୁଜ ବାହିନୀ ଓ ସିଜିନାଲ୍ ଷ୍ଟାଫ୍ମାନେ ସଦାସର୍ବଦା ହାତୀମାନଙ୍କୁ ସୁରକ୍ଷିତ ଭାବେ ଜଙ୍ଗଲକୁ ଫେରାଇ ନେବା ପାଇଁ ନିୟୋଜିତ ରହିଛନ୍ତି । ତଥାପି ହାତୀ ମଣିଷ ଲଢେଇ ଦେଖିବାକୁ ମିଳୁଛି । ଜଙ୍ଗଲରେ ଗବେଷଣା କରି ହାତୀ ଖାଉଥିବା ଗଛ, ଫଳ ଓ ବାଉଁଶ ଲଗାଇବାକୁ ପଡ଼ିବ ବୋଲି କହିଛନ୍ତି ବନ୍ୟପ୍ରାଣୀ ବିଶେଷଜ୍ଞ । ହାତୀ ସଂରକ୍ଷଣ, ସଙ୍ଘର୍ଷ ଓ ସମାଧାନ ଦିଗରେ ପଦକ୍ଷେପ ଆବଶ୍ୟକ । ହାତୀ କେବଳ ଜଙ୍ଗଲର ସୌନ୍ଦର୍ଯ୍ୟ ନୁହଁନ୍ତି, ପରିବେଶ ସନ୍ତୁଳନର ପ୍ରମୁଖ ବାହକ ଅଟନ୍ତି । ପ୍ରଯୁକ୍ତିବିଦ୍ୟା, ଜଙ୍ଗଲ ସୁରକ୍ଷା ଏବଂ ମାନବୀୟ ସମ୍ବେଦନଶୀଳତା ଦ୍ଵାରା ହିଁ ମଣିଷ-ହାତୀ ସଂଘର୍ଷକୁ ରୋକିବାରେ ସହାୟକ ହୋଇପାରିବ ।
📱 Get Argus News App
✨Related Topics
Explore more stories