Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - Delhi Exit Poll କହୁଛି ଏଥର BJP ସରକାର, AAP କହୁଛି ହାଟ୍ରିକ୍ କରିବ

National

Delhi Exit Poll କହୁଛି ଏଥର BJP ସରକାର, AAP କହୁଛି ହାଟ୍ରିକ୍ କରିବ

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·3 min read
Delhi Exit Poll କହୁଛି ଏଥର BJP ସରକାର, AAP କହୁଛି ହାଟ୍ରିକ୍ କରିବ

ସରିଲା ଦିଲ୍ଲୀ ଭୋଟ । ଆସନ୍ତା ୮ ତାରିଖରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ । ହେଲେ ଆଜି ୭୦ ଆସନରେ ୬୯୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି ପ୍ରାୟ ଦେଢ଼ କୋଟିରୁ ଅଧିକ ମତଦାତା । ୧୩ ହଜାର ୭୬୬ ମତଦାନ କେନ୍ଦ୍ରରେ ଭୋଟିଂ ହୋଇଛି । ଭୋଟ୍ ଦେଇଛନ୍ତି ପ୍ରାୟ ୧.୫୬ କୋଟି ମତଦାତା । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିଥିଲା । ଫେବ୍ରୁଆରୀ ୮ ତାରିଖରେ ଆସିବ ଫଳାଫଳ । ଏଥର ଦିଲ୍ଲୀରେ ଆମ୍‌ ଆଦ୍‌ମୀ ପାର୍ଟି, ବିଜେପି ଓ କଂଗ୍ରେସ ମଧ୍ୟରେ ତ୍ରିମୁଖୀ ଲଢ଼େଇ ଦେଖିବାକୁ ମିଳିଛି ।

ତେବେ ଆଜି ଭୋଟିଂ ଶେଷ ହେବା ପରେ ବିଭିନ୍ନ ସଂସ୍ଥା ପକ୍ଷରୁ ଏକଜିଟ ପୋଲ ବା ବୁଥ ବାହୁଡ଼ା ମତ ପ୍ରକାଶ ପାଇଛି। ବିଭିନ୍ନ ଏଜେନ୍ସି ନିଜ ଅନୁସାରେ ଲୋକଙ୍କ ମତାମତ ନେଇ ରେଜଲ୍ଟ ଜାରି କରିଛନ୍ତି। ଦୁଇ/ତିନୋଟି ସଂସ୍ଥାକୁ ଛାଡ଼ି ଦେଲେ ବାକି ସବୁ ସର୍ଭେ ସଂସ୍ଥା ଦେଶର ରାଜଧାନୀରେ ୨୭ ବର୍ଷ ପରେ ପଦ୍ମ ଫୁଟିବ ବୋଲି ଆକଳନ କରିଛନ୍ତି। ଏହାର ଅର୍ଥ ବିଜେପି ଦିଲ୍ଲୀରେ କ୍ଷମତା ଦଖଲ କରିବ।

ହ୍ୟାଟ୍ରିକ ବିଜୟ ହାସଲ ପାଇଁ ଲକ୍ଷ୍ୟ ରଖିଥିବା ଆପ୍‌କୁ ଦିଲ୍ଲୀରେ ବିଜେପି ଅଟକାଇବାକୁ ସକ୍ଷମ ହେବ ବୋଲି କୁହାଯାଉଛି। କଂଗ୍ରେସ ୨୦୧୫ ଓ ୨୦୨୦ ଭଳି ଅତି ନୈରାଶ୍ୟଜନକ ପ୍ରଦର୍ଶନ କରିବ ବୋଲି ଏକଜିଟ ପୋଲରେ ପୂର୍ବାନୁମାନ କରାଯାଇଛି। ୧୦ଟି ସଂସ୍ଥାର ଏକଜିଟ୍‌ ପୋଲର ତଥ୍ୟ ଅନୁସାରେ, ବିଜେପି ଦିଲ୍ଲୀର ୭୦ଟି ଆସନରୁ ୩୯ଟି, ଆପ ୩୦ଟି ଓ କଂଗ୍ରେସ ୧ଟି ଆସନ ଜିତିବ ବୋଲି କୁହାଯାଉଛି। ଦିଲ୍ଲୀରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୩୬। ବିଜେପି ଏହା ଠାରୁ ଅଧିକ ୩ଟି ଆସନ ଜିତି ସରକାର କରିବ ବୋଲି ସର୍ଭେ ସଂସ୍ଥାଗୁଡ଼ିକ ଆକଳନ କରିଛନ୍ତି ।

ମ୍ୟାଟ୍ରିଜ ନାମକ ସଂସ୍ଥା ଦିଲ୍ଲୀରେ କାଣ୍ଟେ କା ଟକ୍କର ହେବ ବୋଲି ଆକଳନ କରିଛି। ସେହିପରି ୱି ପ୍ରିସାଇଡ କହିଛି ଯେ ବିଜେପି ୧୮ରୁ ୨୩, ଆପ୍‌ ୪୬ରୁ ୫୨ ଓ କଂଗ୍ରେସ ଶୂନରୁ ୧ଟି ଆସନ ଜିତିବ। ସେହିଭଳି ଚାଣ୍ୟକ ଷ୍ଟ୍ରାଟେଜିସ କହିଛି ଯେ ଦିଲ୍ଲୀରେ ବିଜେପି ୩୯ରୁ ୪୪, ଆପ୍‌ ୨୫ରୁ ୨୮ ଓ କଂଗ୍ରେସ ୨ରୁ ୩ଟି ଆସନ ଜିତବ। ଜେଭିସ କହିଛି ଯେ ବିଜେପି ୩୯ରୁ ୪୫, ଆପ୍‌ ୨୨ରୁ ୩୧ ଓ କଂଗ୍ରେସ ୦ରୁ ୨ଟି ଆସନ ଜିତିବ। ମ୍ୟାଟ୍ରିଜ କହିଛି ଯେ ବିଜେପି ୩୫ରୁ ୪୦, ଆପ୍‌ ୩୨ରୁ ୩୭, ଓ କଂଗ୍ରେସ ଶୂନରୁ ଗୋଟିଏ ଆସନ ଜିତିବ। ପଏମଆରକ୍ୟୁର ଆକଳନ ଅନୁଯାୟୀ ବିଜେପି ୩୯ରୁ ୪୯, ଆପ୍‌ ୨୧ରୁ ୩୧ ଓ କଂଗ୍ରେସ ଶୂନରୁ ଗୋଟିଏ ଆସନ ଜିତିବ।

ପିପୁଲ୍ସ ପଲ୍ସ କହିଛି ଯେ ବିଜେପି ୫୧ରୁ ୬୦, ଆପ ୧୦ରୁ ୧୯ ଓ କଂଗ୍ରେସ ଗୋଟିଏ ହେଲେ ଆସନ ଜିତି ପାରିବନି। ପିପୁଲ୍ସ ଇନସାଇଟ କହିଛି ବିଜେପି ୪୦ରୁ ୪୪, ଆପ୍‌ ୨୫ରୁ ୨୯ ଓ କଂଗ୍ରେସ ଶୂନରୁ ୨ଟି ଆସନ ଜିତିବ। ପୋଲ ଡାଏରୀ କହିଛି ବିଜେପି ବିଜେପି ୪୨ରୁ ୫୦, ଆପ୍‌ ୧୮ରୁ ୨୫ ଓ କଂଗ୍ରେସ ଶୂନରୁ ୨ଟି ଆସନ ଜିତିବ। ମାଇଣ୍ଡ ବ୍ରିଙ୍କ କହିଛି ଯେ ବିଜେପି ୨୧ରୁ ୨୫, ଆପ୍‌ ୪୪ରୁ ୪୯ ଓ କଂଗ୍ରେସ ଶୂନରୁ ଗୋଟିଏ ଆସନ ଜିତିବ। ଡିଭି ରିସର୍ଚ୍ଚ କହିଛି ଯେ ବିଜେପି ୩୬ରୁ ୪୪, ଆପ୍‌ ୨୬ରୁ ୩୪ ଓ କଂଗ୍ରେସ ଖାତା ଖୋଲିବାକୁ ସକ୍ଷମ ହେବନି।

ଗୋଟିଏ ପଟେ ଆପ୍‌ ଏପରି ଏକଜିଟ ପୋଲ ରେଜଲ୍ଟକୁ ମାନିବାକୁ ନାରାଜ ଥିବା ବେଳେ ବିଜେପି କର୍ମୀଙ୍କ ମଧ୍ୟରେ ଖୁସିର ମାହୋଲ ଦେଖିବାକୁ ମିଳିଛି । ହେଲେ ଆପ୍‌ କହିଛି ଦିଲ୍ଲୀରେ ହ୍ୟାଟ୍ରିକ ବିଜୟ ହାସଲ କରିବ । ତେବେ ୨୦୨୩ରେ ଛତିଶଗଡ଼ ବିଧାନସଭା ନିର୍ବାଚନ ଓ ୨୦୨୪ ହରିୟାଣା ଏବଂ ଝାରଖଣ୍ଡ ବିଧାନସଭା ନିର୍ବାଚନର ଏକଜିଟ ପୋଲ ରେଜଲ୍ଟ ଯେମିତି ସମ୍ପୂର୍ଣ୍ଣ ଓଲଟା ଆସିଥିଲା ଠିକ୍‌ ସେମିତି ଏଥର ଦିଲ୍ଲୀରେ ଏକଜିଟ ପୋଲ ବି ଓଲଟିବାର ସମ୍ଭାବନା ରହିଛି ।

୨୦୧୩ରେ ଆପ୍‌ ପ୍ରଥମଥର ଦିଲ୍ଲୀରେ କ୍ଷମତା ଦଖଲ କରିଥିଲା। ଏହି ସମୟରେ ଦଳ କଂଗ୍ରେସ ସମର୍ଥନରେ ସରକାର କରିଥିଲା। କିନ୍ତୁ ଅରବିନ୍ଦ କେଜ୍ରିୱାଲ ମାତ୍ର କିଛି ଦିନ ପରେ ଇସ୍ତଫା ଦେବାରୁ ୨୦୧୫ରେ ପୁଣି ବିଧାନସଭା ନିର୍ବାଚନ ହୋଇଥିଲା। ୨୦୧୫ରେ ଆପ୍‌ ଏକାକୀ ରେକର୍ଡ ୬୭ଟି ଆସନ ଜିତିଥିଲା। ବିଜେପି ୩ଟି ଓ କଂଗ୍ରେସ ଖାତା ଖୋଲି ପାରି ନଥିଲା। ୨୦୨୦ରେ ଆପ୍‌ ପୁଣି ୬୨ଟି ଓ ବିଜେପି ୮ଟି ଆସନରେ ବାଜିମାତ କରିଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Exit Polls Predict BJP's Return In Delhi | Argus News