Fake Tomato Ketchup / ଟମାଟୋ ବଦଳରେ ଆଳୁ ପେଷ୍ଟରେ ତିଆରି ଟମାଟୋ କେଚପ୍,୧୦,୬୩୦ କିଲୋ ସାମଗ୍ରୀ ଜବତ

Key Points
ଟମାଟୋ ବଦଳରେ ଆଳୁ ପେଷ୍ଟରେ ତିଆରି ହେଉଥିଲା ଟମାଟୋ କେଚପ୍ ।
୧୦,୬୩୦ କିଲୋ ସାମଗ୍ରୀ ଜବତ ।
ବଜାରରେ ମିଳୁଥିବା ଟମାଟୋ କେଚପ୍ରେ ଯଦି ଟମାଟୋ ବଦଳରେ ଆଳୁ ପେଷ୍ଟ ବ୍ୟବହାର କରାଯାଏ, ତେବେ ଏହା ଗ୍ରାହକଙ୍କ ସହ ଠକେଇ ନୁହେଁ କି ? ଗୁଜରାଟର ଅହମଦାବାଦରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ଏକ କାରଖାନାରେ ଟମାଟୋ ବଦଳରେ ଆଳୁ ପେଷ୍ଟ, ରଙ୍ଗ ଓ ଫ୍ଲେଭର ବ୍ୟବହାର କରି ଟମାଟୋ କେଚପ୍ ପ୍ରସ୍ତୁତ କରାଯାଉଥିବା ଅଭିଯୋଗ ହୋଇଛି । ଏହି ଘଟଣା ପରେ ସ୍ୱାସ୍ଥ୍ୟ ବିଭାଗ ଚଢ଼ାଉ କରି ୧୦,୬୩୦ କିଲୋଗ୍ରାମ ସାମଗ୍ରୀ ଜବତ କରିବା ସହ କାରଖାନାକୁ ସିଲ୍ କରିଛି ।
ଏହି କାର୍ଯ୍ୟାନୁଷ୍ଠାନ ଅହମଦାବାଦର ଗୋତା ଅଞ୍ଚଳରେ ଥିବା ମେଲଡ଼ି ଇଷ୍ଟେଟ୍ର ‘ଆଇ ଶ୍ରୀ ଖୋଡିୟାର ଗୃହ ଉଦ୍ୟୋଗ’ ନାମକ କାରଖାନାରେ କରାଯାଇଛି । ନଗର ନିଗମର ସ୍ୱାସ୍ଥ୍ୟ ବିଭାଗ ଟିମ୍ ଏଠାରେ ଚଢ଼ାଉ କରି ଟମାଟୋ କେଚପ୍, ଚଟଣି ଓ ସରବତ ଭଳି ସାମଗ୍ରୀ ଜବତ କରିଛି । ଏଥିରେ ବଜାରରେ ବିକ୍ରି ପାଇଁ ପ୍ରସ୍ତୁତ ପ୍ରାୟ ୫,୦୦୦ କିଲୋଗ୍ରାମ ସାମଗ୍ରୀ ସହ ୫,୦୦୦ କିଲୋଗ୍ରାମରୁ ଅଧିକ କଞ୍ଚାମାଲ ରହିଛି ।
କିପରି ପ୍ରସ୍ତୁତ ହେଉଥିଲା ନକଲି ଟମାଟୋ କେଚପ୍ ?
ଅହମଦାବାଦ ନଗର ନିଗମର ଫୁଡ୍ ସେଫ୍ଟି ଅଫିସର ମହେନ୍ଦ୍ର ପଟେଲଙ୍କ ଅନୁଯାୟୀ, କାରଖାନାରେ ଟମାଟୋ ବଦଳରେ ଆଳୁ ବ୍ୟବହାର କରାଯାଉଥିଲା । ପ୍ରଥମେ ଆଳୁର ପେଷ୍ଟ ପ୍ରସ୍ତୁତ କରାଯାଉଥିଲା । ପରେ ଏହାକୁ ପାଉଡରରେ ପରିଣତ କରାଯାଉଥିଲା । ଏହି ପାଉଡରରେ ପାଣି ମିଶାଇ ବିଭିନ୍ନ ପ୍ରକାରର ରଙ୍ଗ ଓ ଫ୍ଲେଭର ଦିଆଯାଉଥିଲା । ଏହାପରେ ପ୍ରସ୍ତୁତ ସାମଗ୍ରୀକୁ ଟମାଟୋ କେଚପ୍ ନାମରେ ବଜାରକୁ ଯୋଗାଣ କରାଯାଉଥିବା ଅଭିଯୋଗ ହୋଇଛି ।
ମାତ୍ର ୧ ଟଙ୍କାର ପ୍ୟାକେଟ୍ରେ ମଧ୍ୟ ହେଉଥିଲା ଯୋଗାଣ
ଚଢ଼ାଉ ସମୟରେ କାରଖାନାରୁ ୫ କିଲୋଗ୍ରାମର ଡବାରେ ପ୍ୟାକ୍ ହୋଇଥିବା କେଚପ୍ ମିଳିଥିଲା । ଏହା ବ୍ୟତୀତ ଦାବେଲି ଓ ବଡ଼ାପାଓ ଦୋକାନଗୁଡ଼ିକୁ ଯୋଗାଣ କରିବା ପାଇଁ ମାତ୍ର ୧ ଟଙ୍କା ମୂଲ୍ୟର ଛୋଟ ପ୍ୟାକେଟ୍ ମଧ୍ୟ ପ୍ରସ୍ତୁତ କରାଯାଉଥିଲା । ଅର୍ଥାତ୍, ଟମାଟୋ କେଚପ୍ ନାମରେ ବିକ୍ରି ହେବାକୁ ଥିବା ଏହି ଡବା ଓ ପ୍ୟାକେଟ୍ଗୁଡ଼ିକରେ ପ୍ରକୃତ ଟମାଟୋ ବ୍ୟବହାର ହେଉନଥିବା ଅଭିଯୋଗ ରହିଛି ।
୫ଟି ନମୁନା ସଂଗ୍ରହ, ଲାଇସେନ୍ସ ରଦ୍ଦ ପ୍ରକ୍ରିୟା ଆରମ୍ଭ
ସ୍ୱାସ୍ଥ୍ୟ ବିଭାଗ ଘଟଣାସ୍ଥଳରୁ ୫ଟି ନମୁନା ସଂଗ୍ରହ କରିଛି । ଏହି ସାମଗ୍ରୀରେ କେଉଁ କେଉଁ ଉପାଦାନ ବ୍ୟବହାର କରାଯାଇଛି ଏବଂ ଏହାକୁ କେଉଁ ପ୍ରକ୍ରିୟାରେ ପ୍ରସ୍ତୁତ କରାଯାଇଛି, ତାହା ଯାଞ୍ଚ କରାଯିବ । ବିଭାଗ କାରଖାନାକୁ ସିଲ୍ କରିବା ସହ ଏହାର ଲାଇସେନ୍ସ ରଦ୍ଦ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି । ଜବତ ସାମଗ୍ରୀକୁ ବଜାରକୁ ଯିବାରୁ ରୋକାଯାଇଛି । ନମୁନା ପରୀକ୍ଷାର ରିପୋର୍ଟ ଆସିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବ ।
ଦୁଇ ଦିନ ପୂର୍ବରୁ ମଧ୍ୟ ହୋଇଥିଲା ଚଢ଼ାଉ
ଅହମଦାବାଦରେ ଏହିଭଳି ଘଟଣା ଦ୍ୱିତୀୟ ଥର ପାଇଁ ସାମ୍ନାକୁ ଆସିଛି । ଦୁଇ ଦିନ ପୂର୍ବରୁ ବହେରାମପୁରା ଅଞ୍ଚଳର ଏକ କାରଖାନାରେ ଚଢ଼ାଉ କରି ସ୍ୱାସ୍ଥ୍ୟ ବିଭାଗ ପ୍ରାୟ ୨,୦୦୦ କିଲୋଗ୍ରାମ ଟମାଟୋ କେଚପ୍ ଜବତ କରିଥିଲା । ଗୋତା ଅଞ୍ଚଳରେ ହୋଇଥିବା ଏହି ନୂଆ କାର୍ଯ୍ୟାନୁଷ୍ଠାନ ପରେ ବଜାରରେ ମିଳୁଥିବା କେଚପ୍ର ଗୁଣବତ୍ତା ଓ ଏହାର ପ୍ରସ୍ତୁତି ପ୍ରଣାଳୀକୁ ନେଇ ପୁଣି ଥରେ ପ୍ରଶ୍ନ ଉଠିଛି । ଏବେ ସମସ୍ତଙ୍କ ନଜର ନମୁନା ପରୀକ୍ଷା ରିପୋର୍ଟ ଉପରେ ରହିଛି ।
📱 Get Argus News App
✨Related Topics
Explore more stories