Crime News / ହୋଟେଲ୍ ରୁମ୍ରେ ଦୁଇ ଝିଅଙ୍କ ମୃତ୍ୟୁ ପରେ ବାପାଙ୍କ ଆତ୍ମହତ୍ୟା ଉଦ୍ୟମ

Key Points
ଦୁଇ ନାବାଳିକାଙ୍କୁ ହତ୍ୟା ପରେ ବାପାଙ୍କ ଆତ୍ମହତ୍ୟା ଉଦ୍ୟମ ।
ପାରିବାରିକ ବିବାଦର ଭୟଙ୍କର ଅନ୍ତ ଦୁଇ ଝିଅଙ୍କୁ ହତ୍ୟା ଅଭିଯୋଗ ।
ବେଙ୍ଗାଲୁରୁରେ ଲଗ୍ଜୁରୀ ହୋଟେଲର ଏକ ରୁମ୍ରୁ ଆସିଲା ଛାତିଥରାଇଦେବା ଖବର । ଦୁଇ ନାବାଳିକା ଝିଅଙ୍କୁ ନେଇ ହୋଟେଲରେ ପହଞ୍ଚିଥିବା ବାପା ହିଁ ସାଜିଲେ ହତ୍ୟାକାରୀ ! ଅଭିଯୋଗ ଅନୁସାରେ, ଦୁଇ ଝିଅଙ୍କୁ ତଣ୍ଟିଚାପି ହତ୍ୟା କରିବା ପରେ ନିଜେ ଗଳା କାଟି ଆତ୍ମହତ୍ୟା ଉଦ୍ୟମ କରିଥିଲେ ବାପା । କେମ୍ପେଗୌଡ଼ା ବିମାନବନ୍ଦର ନିକଟରେ ଘଟିଥିବା ଏହି ଘଟଣାକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି । ଘଟଣାସ୍ଥଳରୁ ମିଳିଥିବା ଏକ ଚିଠିରେ ପାରିବାରିକ ବିବାଦ ଓ ପତ୍ନୀଙ୍କୁ ନେଇ ସନ୍ଦେହର କଥା ସାମ୍ନାକୁ ଆସିଛି ।
ହୋଟେଲ ରୁମରେ ଦୁଇ ନାବାଳିକା ଝିଅଙ୍କୁ ତଣ୍ଟିଚାପି ହତ୍ୟା କଲା ବାପା, ପରେ ନିଜେ ଆତ୍ମହତ୍ୟା ଉଦ୍ୟମ...ବେଙ୍ଗାଲୁରର କେମ୍ପେଗୌଡ଼ା ଆନ୍ତର୍ଜାତୀୟ ବିମାନବନ୍ଦର ନିକଟ ଏକ ଲଗ୍ଜରୀ ହୋଟେଲରେ ଦୁଇ ନାବାଳିକା ଝିଅଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି ।
କ୍ୟାବ୍ କମ୍ପାନୀର ଜଣେ ବରିଷ୍ଠ ମ୍ୟାନେଜର ଏସ୍.ଜି. ଇମ୍ରାନ ନିଜର ଦୁଇ ଝିଅଙ୍କୁ ହତ୍ୟା କରିବା ପରେ ନିଜେ ଗଳା କାଟି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ପୋଲିସ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି । ପତ୍ନୀଙ୍କ ପରକୀୟା ପ୍ରୀତି ସନ୍ଦେହ ଏବଂ ପାରିବାରିକ ବିବାଦ ଯୋଗୁଁ ଏହି ଜଘନ୍ୟ କାଣ୍ଡ ଘଟିଥିବା ପୋଲିସ ଜବତ କରିଥିବା ଏକ ଚିଠିରୁ ଜାଣିବାକୁ ପାଇଛି ।
ପୋଲିସ ସୂଚନା ଅନୁଯାୟୀ, ନାଗାୱାରା ମୁଖ୍ୟ ରୋଡ୍ ନିକଟ ବିଲାଲ ନଗରର ବାସିନ୍ଦା ୪୦ ବର୍ଷୀୟ ଏସ୍.ଜି. ଇମ୍ରାନ ଗତ ରବିବାର ଅପରାହ୍ନ ପ୍ରାୟ ୪:୩୦ ମିନିଟ୍ ସମୟରେ ତାଙ୍କର ଦୁଇ ଝିଅଙ୍କ ସହ ହୋଟେଲରେ ଚେକ୍-ଇନ୍ କରିଥିଲେ । ଗତକାଲି ସନ୍ଧ୍ୟାରେ ହୋଟେଲ କର୍ମଚାରୀମାନେ ରୁମ୍ ଭିତରୁ କୌଣସି କୋଳାହଳ ଶୁଣିବାକୁ ପାଇ ଘଟଣାସ୍ଥଳକୁ ଯାଇଥିଲେ।
ସେଠାରେ ଦୁଇ ଝିଅ ଶେଖ୍ ଜେହାରା ଏବଂ ଶେଖ୍ ଜୋୟା ଶେଯରେ ମୃତ ଅବସ୍ଥାରେ ପଡ଼ିଥିବାବେଳେ, ପିତା ଇମ୍ରାନଙ୍କୁ ବାଥରୁମରେ ଗଳା କଟାଯାଇଥିବା ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ରୁମରୁ ଗୋଟିଏ ଛୁରୀ ମଧ୍ୟ ଜବତ କରାଯାଇଛି । ହୋଟେଲ ରୁମରୁ ପୋଲିସ ଏକ ଚିଠି ଜବତ କରିଛି । ଏଥିରେ ପତ୍ନୀଙ୍କ ସହ ପାରିବାରିକ ବିବାଦ ଏବଂ ପତ୍ନୀଙ୍କର ଅନ୍ୟ ଜଣଙ୍କୁ ନେଇ ସନ୍ଦେହ କରୁଥିବା କଥା ଉଲ୍ଲେଖ ରହିଛି ।
ହୋଟେଲର ସୁରକ୍ଷା କର୍ମଚାରୀମାନେ ଇମ୍ରାନଙ୍କୁ ତୁରନ୍ତ ମଣିପାଲ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ । ବର୍ତ୍ତମାନ ସେ ବିପଦମୁକ୍ତ ଥିବା ଏବଂ ତାଙ୍କର ଚିକିତ୍ସା ଚାଲିଥିବା ପୋଲିସ ସ୍ପଷ୍ଟ କରିଛି । ଏହି ଘଟଣାରେ ପୋଲିସ ଏକ ହତ୍ୟା ମାମଲା ରୁଜୁ କରିବା ସହ ଉଦ୍ଧାର ହୋଇଥିବା ଚିଠିର ସତ୍ୟତା ଏବଂ ହତ୍ୟାର ପ୍ରକୃତ ପୃଷ୍ଠଭୂମିକୁ ନେଇ ଅଧିକ ତଦନ୍ତ ଜାରି ରଖିଛି ।
📱 Get Argus News App
✨Related Topics
Explore more stories