ଏଠିସେଠି ଛେପ ପକାଇଲେ ଜରିମାନା

ଗୁଟ୍ଖା ଆଉ ପାନ ଖାଇ ଛେପ ଏଣେତେଣେ ପକାଇବା ଆମ ଭିତରେ ଥିବା କିଛି ଲୋକଙ୍କର ନିତିଦିନିଆ ଅଭ୍ୟାସ। ସେ ରାସ୍ତା ହେଉକି କୌଣସି ଧାର୍ମିକ ଅନୁଷ୍ଠାନ। ସବୁଠି ଥୁକ୍ଥାକ୍। ଆଉ ସରକାରୀ ହସ୍ପିଟାଲ କି ଅଫିସ ହେଲେ କଥା ସରିଲା, ଚାରିଆଡେ ନାଲି କସରା ମାନଚିତ୍ର। ଯାହା ପରିବେଶକୁ ବିକୃତ ଆଉ ବିକଳାଙ୍ଗ କରୁଛି। ଯେତେ ସଚେତନତା ସୃଷ୍ଟି କଲେବି ଫେଲ୍ ମାରୁଛି ସବୁକିଛି। ଯୋଉ କଥାକୁ ସେଇକଥା।
ଏଥିରେ ଏବେ ରୋକ ଲଗାଇବାକୁ କଡା ଆଇନ୍ ଆଣିବାକୁ ଯାଉଛନ୍ତି ପଶ୍ଚିମବଙ୍ଗ ସରକାର। ଆଗକୁ ପଶ୍ଚିମବଙ୍ଗ ବିଧାନସଭା ବଜେଟ୍ ଅଧିବେଶନରେ ପବ୍ଲିକ ପ୍ଲେସରେ ପାନଛେପ ଗୁଟଖା ଛେପ ପକାଉଥିବା ବ୍ୟକ୍ତିଙ୍କ ବିରୋଧରେ କଡା କର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏକ ବିଧେୟକ ଆଣିବାକୁ ଯୋଜନା କରାଯାଉଛି। ଯେଉଁଥିରେ ସର୍ବସାଧାରଣ ସ୍ଥାନରେ ପାନଛେପ ଗୁଟଖା ଛେପ ପକାଉଥିବା ବ୍ୟକ୍ତିଙ୍କ ଉପରେ ଜରିମାନା ସହ କଡା କାର୍ଯ୍ୟାନୁଷ୍ଠାନ ନେଇ ବ୍ୟବସ୍ଥା କରାଯିବ। ଗତକାଲି ପଶ୍ଚିମବଙ୍ଗ ରାଜ୍ୟ ସଚିବାଳୟରେ ବସିଥିବା ମନ୍ତ୍ରୀମଣ୍ଡଳ ବୈଠକରେ ନିଷ୍ପତ୍ତି ହୋଇଛି।
📱 Get Argus News App
✨ମନ୍ତ୍ରୀମଣ୍ଡଳର ଜଣେ ବରିଷ୍ଠ ମନ୍ତ୍ରୀଙ୍କ ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀ ନିଜେ ଏନେଇ ଚିନ୍ତାପ୍ରକଟ କରିଛନ୍ତି। ପାନ ଓ ଗୁଟଖା ଛେପ ଯୋଗୁ ରାଜ୍ୟରେ ପରିବେଶ ପ୍ରଦୂଷଣ ହେଉଛି। ରାଜ୍ୟର ସ୍ବଚ୍ଛତା ଉପରେ ପ୍ରଶ୍ନ ଉଠୁଛି। ଯାହାକୁ ଗୁରୁତର ସହ ନେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ।
ଏଠିସେଠି ଛେପ ପକାଇଲେ କେତେ ଟଙ୍କା ଲାଗିବ ଜରିମାନା ?
ପଶ୍ଚିମବଙ୍ଗ ସରକାର ନିଷ୍ପତ୍ତି ନେଇଛନ୍ତି ଏଣେତେଣେ ଗୁଟଖା ଛେପ ପକାଇବାକୁ ଏକ ଅପରାଧ ଭାବେ ବିବେଚନା କରାଯିବ। ଏଥିପାଇଁ ୧୦୦୦ ଟଙ୍କା ଜରିମାନା କରିପାରନ୍ତି ସରକାର। ୨୦୦୩ ମସିହାରୁ ପଶ୍ଚିମବଙ୍ଗରେ ଏଣେତେଣେ ପାନଛେପ ଗୁଟଖା ଛେପ ପକାଇଲେ ୨୦୦ ଟଙ୍କା ଜରିମାନା ବ୍ୟବସ୍ଥା ରହିଛି। ଏହାକୁ ଲୋକ ଅଧିକ ଗୁରୁତ୍ବ ଦେଉନଥିବାରୁ ତଣ୍ଡରାଶି ବଢାଇବାକୁ ସରକାର ବିଧାନସଭାରେ ବିଧେୟକ ଆଣିବେ।
କୋରନା ବେଳେ ଓଡ଼ିଶାରେ ବି ଲାଗୁ ହୋଇଥିଲା ନିୟମ
୨୦୨୦ ଏପ୍ରିଲ ମାସରେ ଓଡ଼ିଶାରେ ପାନଛେପ ଗୁଟଖା ଛେପ ପକାଇବା ଉପରେ ଲାଗିଥିଲା କଟକଣା। ତତ୍କାଳୀନ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ବିଧାନସଭା ପରିସରରେ ପାନଛେପ କି ଗୁଟଖା ଛେପ ପକାଇଲେ ଆର୍ଥିକ ଦଣ୍ଡରେ ଦଣ୍ଡିତ କରାଯିବ ବୋଲି ଘୋଷଣା କରିଥିଲେ।