ପ୍ରଥମେ ମଣିଷ ଆଙ୍ଗୁଠି ଆଉ ଏବେ ବିଛା

ଅର୍ଗସ ବ୍ୟୁରୋ: ପ୍ରଥମେ ଆଇସକ୍ରିମରେ ମଣିଷ ଆଙ୍ଗୁଠି, ବିଛା ଆଉ ଏବେ ଖାଦ୍ୟରେ ସାପ। ଲଗାତାର ଭାବରେ ଖାଦ୍ୟରୁ ଏହି ସବୁ ଜିନିଷ ବାହାରିବାର ଖବର ସୋସିଆଲ ମିଡିଆରେ ଏବେ ଖୁବ ଭାଇରାଲ ହେଉଛି , ଯାହାକୁ ନେଇ ସାଧାରଣ ଜନତାଙ୍କ ମଧରେ ଖୁବ ଅସନ୍ତୋଷ ପ୍ରକାଶ ପାଇଛି।
ସୂଚନା ଅନୁଯାୟୀ ଗତ ରବିବାର ଦିନ ବିହାରର ବାଙ୍କାରେ ଥିବା ଏକ ସରକାରୀ ଇଞ୍ଜିନିୟରିଂ କଲେଜରେ ଛାତ୍ରମାନଙ୍କୁ ଦିଆଯାଇଥିବା ଭୋଜନରେ ସାପ ବାହାରିଥିବା ଖବର ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି। ସେହି ଖାଦ୍ୟ ଖାଇ 11 ଜଣ ଛାତ୍ର ଅସୁସ୍ଥ ହୋଇପଡିଥିଲେ ଏବଂ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଅଛି। ପରେ କଲେଜ ପ୍ରଶାସନ ଖାଦ୍ୟ ବିକ୍ରେତାଙ୍କୁ ବଦଳାଇ ଅଭିଯୁକ୍ତଙ୍କ ଉପରେ ଜୋରିମାନା ଲଗାଇଥିଲା। ଏଥିସହ ପ୍ରଶାସନ ପ୍ରଧାନ ଶିକ୍ଷକ ଏବଂ ଶିକ୍ଷକମାନଙ୍କୁ ପ୍ରତିଦିନ ଛାତ୍ରମାନଙ୍କ ସହିତ ମିଶିକି ଖାଇବା ପାଇଁ ବାଧ୍ୟତାମୂଳକ କରିଛି।
ଏହି ଘଟଣା ପୂର୍ବରୁ ମୁମ୍ବାଇର ମାଲାଡରେ ଜଣେ ଡାକ୍ତର ବୁଧବାର ଦିନ ଅନଲାଇନରେ ଅର୍ଡର କରିଥିବା ବଟରସ୍କଚ୍ ଆଇସକ୍ରିମରେ ମଣିଷ ଆଙ୍ଗୁଠି ପାଇଥିବାର ଅଭିଯୋଗ ହୋଇଛି। ଆଇସକ୍ରିମ ଅଧା ଖାଇ ସାରିବା ପରେ ସିଏ ପାଟିରେ କିଛି ଅନୁଭବ କରିଥିଲେ ଆଉ ଯେତେବେଳେ ନିକଟରୁ ଦେଖିଲେ ଏକ ମଣିଷ ଆଙ୍ଗୁଠି ପାଇଥିଲେ ।
ସେହିପରି ନୋଏଡାରେ ଜଣେ ମହିଳା ଅମୁଲ ଆଇସକ୍ରିମ ଭିତରେ ଏକ ବିଛା ପାଇଥିଲେ। ଯାହା ସେ ଅନଲାଇନ ଆପ ବ୍ଲିଙ୍କିଟରୁ ଆଣିଥିବା ଦାବି କରିଥିଲେ।
📱 Get Argus News App
✨ଅଧିକ ପଢନ୍ତୁ ଭାରତ ଖବର