ୱାକଫ୍ ବିଲ୍ ସପକ୍ଷରେ ଭୋଟ୍ ଦେଇଥିଲେ ୫ ବିଜେଡି ସାଂସଦ

Key Points
ବିଜେଡି ପାଇଁ ଅଡୁଆ ପରିସ୍ଥିତି
ଓ୍ବାକଫ୍ ସଂଶୋଧନ ବିଧେୟକ ମତଦାନ ଦେଇ ରାଜ୍ୟସଭା ସଚିବାଳୟ ପକ୍ଷରୁ ତଥ୍ୟ
୭ଜଣ ବିଜେଡି ସାଂସଦଙ୍କ ମଧ୍ୟରୁ ୫ଜଣ ସପକ୍ଷରେ ମତ ଦେଇଥିଲେ
ଗତ ଏପ୍ରିଲ୍ ମାସରେ ୱାକଫ୍ ବିଲ୍କୁ ନେଇ ବିଜେଡିରେ ରାଜନୈତିକ ଝଡ଼ ସୃଷ୍ଟି ହୋଇଥିଲା । ବିଲ୍କୁ ବିରୋଧ କରିବ ବୋଲି ଆରମ୍ଭରୁ କହି ଆସୁଥିବା ବିଜେଡି ଶେଷ ମୁହୂର୍ତ୍ତରେ ପଲଟିଯାଇଥିଲା । ସାଂସଦମାନଙ୍କ ବିବେକ ଉପରକୁ ନିଷ୍ପତ୍ତି ଛାଡ଼ି ଦିଆଯାଇଥିଲା । ବିଲ୍ ସପକ୍ଷରେ କିଏ ଓ ବିପକ୍ଷରେ କିଏ ଭୋଟ୍ ଦେଇଥିଲେ ସେ ସମ୍ପର୍କରେ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିନଥିଲା ।
ରାଜ୍ୟସଭାରେ ଓ୍ବାକଫ୍ ସଂଶୋଧନ ବିଧେୟକ ପାରିତ ବେଳେ ୭ଜଣ ବିଜେଡି ସାଂସଦଙ୍କ ମଧ୍ୟରୁ ୫ଜଣ ସପକ୍ଷରେ , ଜଣେ ବିପକ୍ଷରେ ଓ ଅନ୍ୟଜଣେ ମତଦାନରୁ ବିରତ ରହିଥିଲେ । ରାଜ୍ୟସଭା ସଚିବାଳୟ ତଥ୍ୟ ଅନୁଯାୟୀ ସାଂସଦ ସସ୍ମିତ ପାତ୍ର, ସୁଲତା ଦେଓ, ନିରଞ୍ଜନ ବିଶି, ମାନସ ରଂଜନ ମଙ୍ଗରାଜ ଓ ଶୁଭାଶିଷ ଖୁଣ୍ଟିଆ ବିଧେୟକ ସପକ୍ଷରେ ଭୋଟ ଦେଇଥିଲେ । ବିଧେୟକ ବିପକ୍ଷରେ କେବଳ ସାଂସଦ ମୁନା ଖାନ୍ ମତଦାନ କରିଥିଲେ । ସାଂସଦ ଦେବାଶିଷ ସାମନ୍ତରାୟ ମତଦାନ ସମୟରେ ଅନୁପସ୍ଥିତ ରହିଥିଲେ ।
ତିନି ମାସ ପରେ ଓ୍ବାକଫ୍ ସଂଶୋଧନ ବିଧେୟକ ମତଦାନ ପ୍ରସଙ୍ଗରେ ସମସ୍ତ ସାଂସଦଙ୍କ ମତଦାନ ତଥ୍ୟକୁ ରାଜ୍ୟସଭା ସଚିବାଳୟ ସାର୍ବଜନୀନ କରିବା ପରେ ବିଜେଡି ପାଇଁ ଅଡୁଆ ବଢିଛି । ଓ୍ବାକଫ୍ ସଂଶୋଧନ ମତଦାନ ବେଳେ ବିଜେଡି ସାଂସଦଙ୍କ ଅସ୍ପଷ୍ଟ ଭୂମିକାକୁ ନେଇ ଚର୍ଚ୍ଚା ହୋଇଥିଲା । ପ୍ରଥମେ ଓ୍ବାକଫ୍ ବିରୋଧରେ ମତଦାନ କରିବାକୁ ନିଷ୍ପତ୍ତି ନିଆଯାଇଥିବା ବେଳେ ଶେଷ ମୁହୂର୍ତ୍ତରେ ମତଦାନ ପୂର୍ବରୁ ସ୍ବର ବଦଳାଇଥିଲା ବିଜେଡି । ଓ୍ବାକଫ୍ ମତଦାନ ପ୍ରସଙ୍ଗକୁ ସାଂସଦଙ୍କ ବିବେକ ଉପରେ ଛାଡି ଦେଇଥିଲା ବିଜେଡି ।