ହିମାଚଳ ପ୍ରଦେଶରେ ଲଗାଣ ବର୍ଷା ଯୋଗୁଁ ଭୁଶୁଡିଲା ୫ମହଲା ବିଲଡିଂ

Key Points
ହିମାଚଳ ପ୍ରଦେଶରେ ଲଗାଣ ବର୍ଷା
ସିମଲାରେ ଭୁଶୁଡିଲା ପାଞ୍ଚମହଲା ବିଲଡିଂ
ଗତକାଲି ସୁରକ୍ଷିତ ସ୍ଥାନକୁ ଚାଲି ଯାଇଥିଲେ ବିଲଡିଂର ବାସିନ୍ଦା
ଭୂସ୍ଖଳନ ଯୋଗୁଁ ବିଭିନ୍ନ ସ୍ଥାନରେ ଯାତାୟତ ଠପ୍
ଚାରିଟି ଜିଲ୍ଲା ପାଇଁ ରେଡ୍ ଆଲର୍ଟ ଜାରି
ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ସୋମବାର ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ପାଣିପାଗ ବିଭାଗ ହିମାଚଳ ପ୍ରଦେଶର ୪ଟି ଜିଲ୍ଲା ଏବଂ ଉତ୍ତରାଖଣ୍ଡର ୯ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ରେଡ୍ ଆଲର୍ଟ ଜାରି କରିଛି। ଅନେକ ସ୍ଥାନରେ ବର୍ଷା ଏବଂ ଭୂସ୍ଖଳନ ଯୋଗୁଁ ଲୋକମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହା ସହ ଅନେକ ଲୋକ ବିଭିନ୍ନ ସ୍ଥାନରେ ଫସି ମଧ୍ୟ ଯାଇଛନ୍ତି। ଏପରି ପରିସ୍ଥିତିରେ, ହିମାଚଳ ମୁଖ୍ୟମନ୍ତ୍ରୀ କାଙ୍ଗଡ଼ା, ମଣ୍ଡି, ସୋଲାନ ଏବଂ ସିରମୌରରେ ଶିକ୍ଷାନୁଷ୍ଠାନ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଚାରିଟି ଜିଲ୍ଲାରେ ପ୍ରବଳ ବର୍ଷାର ରେଡ୍ ଆଲର୍ଟ ଦିଆଯାଇଛି । ଆଜି ସକାଳୁ ସିମଲାରେ ଏକ ପାଞ୍ଚ ମହଲା ବିଲଡିଂ ଭୁଶୁଡି ଯାଇଛି । ଏଥିରେ କେହି ମୃତାହତ ହୋଇନାହାନ୍ତି । ଗତକାଲି ବିଲଡିଂରେ ରହୁଥିବା ସମସ୍ତ ଲୋକ ସୁରକ୍ଷିତ ସ୍ଥାନକୁ ଚାଲି ଯାଇଥିଲେ ।
ସେପଟେ ଭୂସ୍ଖଳନ ଯୋଗୁଁ ବିଭିନ୍ନ ସ୍ଥାନରେ ଯାତାୟତ ଠପ୍ ହୋଇଯାଇଛି । ଚାରି ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାାଇଛି । ୧୦ଟି ଜିଲ୍ଲାରେ ଅଚାନକ ବନ୍ୟା ଆସିପାରେ ବୋଲି ଆଶଙ୍କା ଦେଖାଦେଇଛି । ପରିସ୍ଥିତିକୁ ଦେଖି ସିମଲାରେ ଦୁଇ ଦିନ ପାଇଁ ସ୍କୁଲ ବନ୍ଦ କରାଯାଇଛି ।
ହିମାଚଳର ଏହି ଜିଲ୍ଲାଗୁଡ଼ିକରେ ରେଡ୍ ଆଲର୍ଟ
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ବ୍ୟାପକ ବର୍ଷା ସମ୍ଭାବନା ରହିଛି। ଆଜି ସନ୍ଧ୍ୟାରୁ ପୁଣି ବର୍ଷାର ତୀବ୍ରତା ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଗତ ୨୪ ଘଣ୍ଟାରେ ପ୍ରବଳ ବର୍ଷା ଏବଂ ଆଗାମୀ ସମୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି, ପାଣିପାଗ ବିଭାଗ ରେଡ୍ ଆଲର୍ଟ ଜାରି କରିଛି। ରାଜ୍ୟ ସରକାର ପରିସ୍ଥିତି ଉପରେ ନିରନ୍ତର ନଜର ରଖିଛନ୍ତି ଏବଂ ସ୍ଥାନୀୟ ପ୍ରଶାସନ ଦ୍ୱାରା ଜାରି ନିର୍ଦ୍ଦେଶ ପାଳନ କରିବାକୁ ଲୋକଙ୍କୁ ନିବେଦନ କରାଯାଇଛି।
ରବିବାର ବିଳମ୍ବିତ ରାତିରୁ ରୁଦ୍ରପ୍ରୟାଗ ଜିଲ୍ଲାରେ ମୁଷଳଧାରାରେ ବର୍ଷା ଜାରି ରହିଛି। ବର୍ଷା ଯୋଗୁଁ ଜୀବନଯାତ୍ରା ବ୍ୟାହତ ହୋଇଛି। କେଦାରନାଥ ଧାମକୁ ଯାଉଥିବା ଭକ୍ତମାନଙ୍କୁ ସୋନପ୍ରୟାଗରେ ଅଟକାଯାଇଛି। କେଦାରନାଥ ରାଜପଥରେ ଅନେକ ସ୍ଥାନରେ ଭୂସ୍ଖଳନ ହେଉଛି। ରାଜପଥର ବିଜୟନଗରରେ ଉପର ପାହାଡ଼ରୁ ଭଗ୍ନାବଶେଷ ଏବଂ ପଥର ଖସି ପଡ଼ିଛି। ଏହା ଚାରିରୁ ପାଞ୍ଚଟି ଯାନବାହନକୁ ପ୍ରବଳ କ୍ଷତି ପହଞ୍ଚାଇଛି। ବିଳମ୍ବିତ ରାତିରୁ ବଦ୍ରିନାଥ ରାଜପଥ ମଧ୍ୟ ବନ୍ଦ ରହିଛି। ରାଜପଥର ଉଭୟ ପାର୍ଶ୍ୱରେ ଶହ ଶହ ଯାନବାହନ ଫସି ରହିଛି।