ବନ୍ୟା ସ୍ଥିତିରେ ବେହାଲ ଉତ୍ତର-ପୂର୍ବାଞ୍ଚଳ , ୮୦ ହଜାର ଲୋକ ପ୍ରଭାବିତ

Key Points
ବର୍ଷା ପରେ ବନ୍ୟା ସ୍ଥିତିରେ ବେହାଲ ଉତ୍ତର-ପୂର୍ବାଞ୍ଚଳ। ବନ୍ୟା ଯୋଗୁଁ ଉତ୍ତର-ପୂର୍ବ ଭାରତର ବିଭିନ୍ନ ରାଜ୍ୟରେ ୩୫ ଜଣଙ୍କ ମୃ୍ତ୍ୟୁ ହୋଇଥିବା ସୂଚନା ମିଳିଛି। ଆସାମ, ଅରୁଣାଚଳ ପ୍ରଦେଶ, ମିଜୋରାମ, ତ୍ରିପୁରା, ମେଘାଳୟ, ମଣିପୁରରେ ଗତ ୨ ଦିନ ଭିତରେ ବର୍ଷାର ବିତ୍ପାତ ଅନେକ ଜୀବନ ନେଇଛି।
ଉତ୍ତରପୂର୍ବରେ ଜଳ ପ୍ରଳୟ। ସିକିମ, ମଣିପୁର, ତ୍ରିପୁରା, ଅରୁଣାଚଳ, ଆସାମରେ ପ୍ରକୃତିର କୋପ। ନଦୀଗୁଡ଼ିକ ବିପଦ ସଙ୍କେତ ଅତିକ୍ରମ କରିବା ପରେ ମଣିପୁରରେ ସ୍ଥିତି ଅସମ୍ଭାଳ। ଭୂମିସ୍ଖଳନ ଯୋଗୁଁ ହଜାର ହଜାର ଲୋକ ବାସଚ୍ୟୁତ ହୋଇଛନ୍ତି। ବନ୍ୟା ସ୍ଥିତି ସହିତ ମୂଷଳଧାରାରେ ବର୍ଷା ଲାଗି ରହିଛି। କ୍ଲାଉଡ୍ ବ୍ରଷ୍ଟ କାରଣରୁ ନଦୀର ଜଳସ୍ତର ବୃଦ୍ଧି ପାଇବା ଯୋଗୁଁ ଉଦ୍ଧାର କାର୍ଯ୍ୟରେ ସମସ୍ୟା ଦେଖାଦେଉଛି। ଏହି ସବୁ ରାଜ୍ୟରେ ପ୍ରାୟ 2 ହଜାରରୁ ଅଧିକ ପର୍ଯ୍ୟଟକ ଫସି ରହିଛନ୍ତି। ତ୍ରିପୁରାରେ, ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ରିଲିଫ୍ ଶିବିର ଖୋଲିଛନ୍ତି। ସେହିପରି ମଣିପୁରରେ ବନ୍ୟା ପ୍ରଭାବିତ ଅଞ୍ଚଳରେ ଭାରତୀୟ ସେନା, ଆସାମ ରାଇଫଲ୍ସ, ସରକାରୀ ଅଧିକାରୀ, ମଣିପୁର ଅଗ୍ନିଶମ ସେବା ଏବଂ ସ୍ଥାନୀୟ ସ୍ଵେଚ୍ଛାସେବକମାନେ ଉଦ୍ଧାର କାର୍ଯ୍ୟ ଜାରୀ ରଖିଛନ୍ତି। ଆସାମର ୧୨ଟି ଜିଲ୍ଲା ପ୍ରଭାବିତ ହୋଇଛି । ଆସାମର ସମସ୍ତ ଜିଲ୍ଲା ପାଇଁ ଅରେଂଜ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଅନେକ ସ୍ଥାନରେ ଜାତୀୟ ରାଜପଥ ଧୋଇ ଯାଇଥିବାରୁ ଯାତାୟତ ପ୍ରଭାବିତ ହୋଇଛି।
ଉତ୍ତରପୂର୍ବରେ 10ଟି ପ୍ରମୁଖ ନଦୀରେ ଜଳସ୍ତର ବିପଦ ସଂକେତ ଉପରେ ବୋହୁଛି। ବନ୍ୟା ଓ ଭୂସ୍ଖଳନ ପାଇଁ ପ୍ରାୟ 80 ହଜାର ଲୋକ ପ୍ରଭାବିତ ହୋଇଛନ୍ତି। କେବଳ ସାଧାରଣ ଜନତା ନୁହଁନ୍ତି। ବନ୍ୟାଜନ୍ତୁ ବି ଏଥିରୁ ବାଦ ପଡି ନାହାନ୍ତି। ଆସାମ ମୋରିଗାଓଁର ପବିତ୍ରୋ ଅଭୟାରଣ୍ୟରେ ବନ୍ୟା ପାଣି ପସିବା ପରେ ସ୍ଥିତି ଭୟଙ୍କର ପାଲଟିଛି। ବନ୍ୟଜନ୍ତୁ ଜୀବନ ବଞ୍ଚାଇବା ଲାଗି ଉଚ୍ଚ ସ୍ଥାନକୁ ଯିବାକୁ ଚେଷ୍ଟା କରୁଛନ୍ତି। ତେବେ ବନ ବିଭାଗ ପକ୍ଷରୁ ସ୍ଥିତି ଉପରେ ନଜର ରଖାଯାଇଛି।
ପାଣିପାଗ ବିଭାଗ ଉତ୍ତରପୂର୍ବାଞ୍ଚଳରେ ଆଗାମୀ ସପ୍ତାହ ପାଇଁ ଆହୁରି ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି। ସେପଟେ ସିକ୍କିମ ଟୁରିଷ୍ଟ ଟ୍ରାଜେଡି ସ୍ପଟରେ ହୋଇପାରୁନି ଉଦ୍ଧାର କାର୍ଯ୍ୟ। ବାଦଲ ଫଟା ବର୍ଷା ଓ ଭୁସ୍ଖଳନ ଯୋଗୁଁ ବାଧାପ୍ରାପ୍ତ ହେଉଛି ରେସ୍କୁ ଅପରେସନ୍। ତିସ୍ତା ନଦୀରେ ବି ବଢ଼ିଛି ଜଳସ୍ତର। ଏବେ ବି ନିଖୋଜ ଯାଜପୁରର ବିଜେପି ନେତ୍ରୀ ଇତିଶ୍ରୀ ଜେନାଙ୍କ ସମେତ ପରିବାରର ୪ ସଦସ୍ୟ। ନିଖୋଜଙ୍କ ମଧ୍ୟରେ ଅଛନ୍ତି ବିଜେପି ନେତ୍ରୀ ଇତିଶ୍ରୀ ଜେନା ତାଙ୍କ ବଡ଼ପୁଅ, ଭାଇ ଭାଉଜ। ଇତିଶ୍ରୀଙ୍କ ସାନପୁଅ ଓ ତାଙ୍କ ଭାଇଙ୍କ ପୁଅ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇ ଚିକିତ୍ସିତ ହେଉଛନ୍ତି।