Smit Machchhar / କୋ-ପାଇଲଟ୍ କାହିଁକି କ୍ୟାପ୍ଟେନ୍ଙ୍କୁ ଆକ୍ରମଣ କଲେ? ଫ୍ଲାଇଦୁବାଇ FZ1073 ଘଟଣାରେ ବଢ଼ୁଛି ରହସ୍ୟ

Key Points
୧୮୦ ଜୀବନ ବଞ୍ଚାଇଲେ ସାହସୀ କ୍ୟାପ୍ଟେନ୍
କୋ-ପାଇଲଟ୍ର ପ୍ଲାନ୍ ଥିଲା କ’ଣ ?
ଫ୍ଲାଇଦୁବାଇ କକପିଟ୍ର ସତ କାହାଣୀ
ଫ୍ଲାଇଦୁବାଇ ଏୟାରଲାଇନ୍ସର ଫ୍ଲାଇଟ୍ FZ1073ରେ ଘଟିଥିବା ଘଟଣାକୁ ନେଇ ତଦନ୍ତ ଜୋରଦାର ହୋଇଛି । ରିପୋର୍ଟ ଅନୁସାରେ, କୋ-ପାଇଲଟ୍ ହମାମ ଅଲ-ହମ୍ମାମି ପାଇଲଟ୍ କ୍ୟାପ୍ଟେନ୍ ସ୍ମିତ ମଚ୍ଛାରଙ୍କ ଉପରେ ଛୁରିରେ ଆକ୍ରମଣ କରିବା ସହ ବିମାନକୁ ହାଇଜାକ୍ କରିବାକୁ ଚେଷ୍ଟା କରିଥିବା ଅଭିଯୋଗ ହୋଇଛି ।
ଘଟଣା ସମୟରେ ପାଇଲଟ୍ ସାହସ ଦେଖାଇ କକପିଟ୍ର ଦ୍ୱାର ଖୋଲିଥିବା ଏବଂ ପରେ କ୍ରୁ ସଦସ୍ୟ ଓ ଯାତ୍ରୀମାନେ ମିଶି ଅଭିଯୁକ୍ତଙ୍କୁ କାବୁ କରିଥିବା ରିପୋର୍ଟରେ କୁହାଯାଇଛି । ଏହାପରେ ସାଉଦି ଆରବର ତାବୁକ୍ ବିମାନବନ୍ଦରରେ ବିମାନର ଜରୁରୀ ଅବତରଣ କରାଯାଇଥିଲା । ସାଉଦି ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି ପଚରାଉଚରା କରିବା ପରେ UAE କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରିଥିବା ଦାବି କରାଯାଉଛି ।
ଆକ୍ରମଣ ପଛରେ କ’ଣ ଥିଲା ଉଦ୍ଦେଶ୍ୟ ?
ଇସ୍ରାଏଲୀ ମିଡିଆର ରିପୋର୍ଟ ଅନୁସାରେ, ହମ୍ମାମି ସାଉଦି ଆରବର ତଦନ୍ତକାରୀଙ୍କୁ ବିମାନ ହାଇଜାକ୍ କରି ଇସ୍ରାଏଲରେ ଧକ୍କା ଦେବାକୁ ଚାହୁଁଥିବା କହିଥିବା ଦାବି ହୋଇଛି । ଏବେ UAEର ସୁରକ୍ଷା ଏଜେନ୍ସି ଅଭିଯୁକ୍ତଙ୍କୁ ପଚରାଉଚରା କରିବ । କକପିଟ୍ ଭିତରେ ପ୍ରକୃତରେ କ’ଣ ଘଟିଥିଲା, ପାଇଲଟ୍ଙ୍କ ଉପରେ ଆକ୍ରମଣର ପ୍ରକୃତ କାରଣ କ’ଣ ଏବଂ ହାଇଜାକ୍ର ଉଦ୍ଦେଶ୍ୟ ଥିଲା କି ନାହିଁ ଏସବୁ ଦିଗରେ ତଦନ୍ତ ଚାଲିଛି । ଇସ୍ରାଏଲର ତଦନ୍ତକାରୀ ଅଧିକାରୀମାନେ ମଧ୍ୟ UAE ଯାଇ ପଚରାଉଚରା କରିପାରନ୍ତି ବୋଲି କିଛି ରିପୋର୍ଟରେ କୁହାଯାଇଛି । ତେବେ ଏନେଇ UAE ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ ସୂଚନା ଦିଆଯାଇନାହିଁ ।
ହମ୍ମାମିଙ୍କ ପୂର୍ବ ଚାକିରି ନେଇ ମଧ୍ୟ ତଦନ୍ତ
ରିପୋର୍ଟ ଅନୁସାରେ, ହମ୍ମାମିଙ୍କ ଜନ୍ମ UAEରେ ହୋଇଥିଲା । ତାଙ୍କ ବାପା ଓମାନୀ ଏବଂ ମାଆ ସିରିଆନ୍ ବୋଲି ଜଣାଯାଇଛି । ସେ ୨୦୨୩ରେ ବକିଂହାମଶାୟର ନ୍ୟୁ ୟୁନିଭର୍ସିଟିରୁ ଏଭିଏସନ୍ ମ୍ୟାନେଜମେଣ୍ଟରେ ଗ୍ରାଜୁଏସନ୍ କରିଥିବା କୁହାଯାଉଛି ।
ସେ ପ୍ରାୟ ୭ ବର୍ଷ ଓମାନ୍ ଏୟାରରେ କାମ କରିଥିଲେ । ପରେ ରୟାଲ୍ ଏୟାର ମାରୋକ୍ରେ ଯୋଗ ଦେଇଥିବା ଏବଂ ତା’ପରେ ଫ୍ଲାଇଦୁବାଇରେ କାମ ଆରମ୍ଭ କରିଥିବା ରିପୋର୍ଟରେ ଉଲ୍ଲେଖ ରହିଛି । ହମ୍ମାମିଙ୍କ ପୂର୍ବ ଚାକିରି ସମୟରେ ତାଙ୍କ ଉପରେ କିଛି ସୁରକ୍ଷା ସମ୍ପର୍କିତ ଚିନ୍ତା ଥିବା ଏବଂ ତାଙ୍କୁ ଫ୍ଲାଇଟ୍ ଟ୍ରେନିଂରୁ ହଟାଇ ଡେସ୍କ ଜବ୍ ଦିଆଯାଇଥିବା ଦାବି ମଧ୍ୟ କିଛି ରିପୋର୍ଟରେ ଆସିଛି । ତେବେ ଏହି ଦାବିଗୁଡ଼ିକର ସମସ୍ତ ବିବରଣୀ ଅଧିକାରିକ ଭାବେ ସ୍ପଷ୍ଟ ହୋଇନାହିଁ ।
ସୋସିଆଲ୍ ମିଡିଆ ନେଇ ମଧ୍ୟ ଯାଞ୍ଚ
ତଦନ୍ତକାରୀମାନେ ହମ୍ମାମିଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟ ଓ ଅନଲାଇନ୍ କାର୍ଯ୍ୟକଳାପ ଯାଞ୍ଚ କରୁଥିବା କୁହାଯାଉଛି । କିଛି ରିପୋର୍ଟରେ ତାଙ୍କ ଆକାଉଣ୍ଟରେ ଅଲ୍-କାଏଦା ସହ ଜଡ଼ିତ ବ୍ୟକ୍ତିଙ୍କ ଛବି ଥିବା ଏବଂ ସେ କଟ୍ଟରପନ୍ଥୀ ୱେବସାଇଟ୍ ବ୍ୟବହାର କରୁଥିବା ଦାବି କରାଯାଇଛି । ଏହି ଦାବିଗୁଡ଼ିକ ମଧ୍ୟ ତଦନ୍ତର ବିଷୟ ହୋଇଛି ।
ତଦନ୍ତର ଏକ ବଡ଼ ପ୍ରଶ୍ନ ହେଉଛି ଯଦି ହମ୍ମାମିଙ୍କ ବିରୋଧରେ ପୂର୍ବରୁ ସୁରକ୍ଷା ସମ୍ପର୍କିତ ଚିନ୍ତା ଥିଲା, ତେବେ ସେ ଫ୍ଲାଇଦୁବାଇର କକପିଟ୍ ପର୍ଯ୍ୟନ୍ତ କିପରି ପହଞ୍ଚିଲେ ? ଏହାର ଉତ୍ତର ତଦନ୍ତକାରୀମାନେ ଏୟାରଲାଇନ୍ସଠାରୁ ଖୋଜୁଛନ୍ତି । ଘଟଣାର ପ୍ରକୃତ କାରଣ, ଅଭିଯୁକ୍ତଙ୍କ ଉଦ୍ଦେଶ୍ୟ ଏବଂ ଫ୍ଲାଇଟ୍ର ସୁରକ୍ଷା ବ୍ୟବସ୍ଥା ସମ୍ପର୍କିତ ପ୍ରଶ୍ନର ଉତ୍ତର ତଦନ୍ତ ସମ୍ପୂର୍ଣ୍ଣ ହେବା ପରେ ହିଁ ସ୍ପଷ୍ଟ ହେବ ।
📱 Get Argus News App
✨Related Topics
Explore more stories