Food Safety / ହଳଦୀ, ଲଙ୍କା ଗୁଣ୍ଡଠାରୁ କୁକିଜ୍ ଓ ପାଣି ଯାଏଁ ଅସୁରକ୍ଷିତ... ୫ ଖାଦ୍ୟ କମ୍ପାନୀ ବିରୋଧରେ ମାମଲା

Key Points
ବିସଲେରୀ ପାଣିର ଗୁଣବତ୍ତା ଉପରେ ପ୍ରଶ୍ନ FSSAIର ଯାଞ୍ଚରେ ମିଳିଲା ତ୍ରୁଟି, କମ୍ପାନୀ ଦେଲା ସ୍ପଷ୍ଟୀକରଣ
ହଳଦୀ, ଲଙ୍କା ଗୁଣ୍ଡଠାରୁ କୁକିଜ୍ ଓ ପାଣି ଯାଏଁ ଅସୁରକ୍ଷିତ ୫ ଖାଦ୍ୟ କମ୍ପାନୀ ରାଡାରରେ
ଖାଦ୍ୟ ସୁରକ୍ଷା ନିୟମ ଉଲ୍ଲଂଘନ ମହଙ୍ଗା ପଡ଼ିଲା ୫ କମ୍ପାନୀ ବିରୋଧରେ FSSAIର କଠୋର ପଦକ୍ଷେପ
ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (FSSAI) ବିସଲେରୀ ଇଣ୍ଟରନ୍ୟାସନାଲ ପ୍ରାଇଭେଟ୍ ଲିମିଟେଡ୍ ସମେତ ୫ଟି ଖାଦ୍ୟ କମ୍ପାନୀ ବିରୋଧରେ ମାମଲା ଚଳାଇବାକୁ ଅନୁମତି ଦେଇଛି । ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, କୁକିଜ୍ ଏବଂ ଅଖରୋଟ୍ ଭଳି ଖାଦ୍ୟ ସାମଗ୍ରୀର ନମୁନା ଯାଞ୍ଚ ସମୟରେ ଅସୁରକ୍ଷିତ ଓ ନିର୍ଦ୍ଧାରିତ ମାନଦଣ୍ଡଠାରୁ କମ୍ ଥିବା ଜଣାପଡ଼ିଥିଲା । ଏହା ସହିତ ଖାଦ୍ୟ ସୁରକ୍ଷା ଓ ସ୍ୱଚ୍ଛତା ନିୟମ ଉଲ୍ଲଂଘନ ଅଭିଯୋଗରେ ଆଉ ଦୁଇଟି କମ୍ପାନୀର ଲାଇସେନ୍ସ ମଧ୍ୟ ନିଲମ୍ବନ କରାଯାଇଛି ।
FSSAI ଯେଉଁ ୫ଟି କମ୍ପାନୀ ବିରୋଧରେ ମାମଲା ଚଳାଇବାକୁ ଅନୁମତି ଦେଇଛି, ସେଗୁଡ଼ିକ ହେଲା ବିସଲେରୀ ଇଣ୍ଟରନ୍ୟାସନାଲ ପ୍ରାଇଭେଟ୍ ଲିମିଟେଡ୍, ବସନ୍ତ ମସଲା ପ୍ରାଇଭେଟ୍ ଲିମିଟେଡ୍, ଟିଟ୍-ବିଟ୍ ଫୁଡ୍ସ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍, ମୀମାଂସା ଇଣ୍ଡଷ୍ଟ୍ରିଜ୍ ଏବଂ ଆଶା କନଫେକ୍ସନାରୀ ।
ବସନ୍ତ ମସଲା ପ୍ରାଇଭେଟ୍ ଲିମିଟେଡ୍
ବସନ୍ତ ମସଲାର ଲଙ୍କା ଗୁଣ୍ଡରେ ଡିଫେନୋକୋନାଜୋଲ୍ ନାମକ କୀଟନାଶକ ନିର୍ଦ୍ଧାରିତ ସୀମାଠାରୁ ଅଧିକ ମିଳିଥିଲା । ଏହାକୁ ଗୁରୁତର ଖାଦ୍ୟ ସୁରକ୍ଷା ଉଲ୍ଲଂଘନ ଭାବେ ଗ୍ରହଣ କରି FSSAI କମ୍ପାନୀ ବିରୋଧରେ ମାମଲା ଚଳାଇବାକୁ ଅନୁମତି ଦେଇଛି।
ଟିଟ୍-ବିଟ୍ ଫୁଡ୍ସ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍
ଏହି କମ୍ପାନୀର ଲଙ୍କା ଗୁଣ୍ଡରେ କୀଟନାଶକ ଅଧିକ ମିଳିଥିବା ବେଳେ ହଳଦୀ ଗୁଣ୍ଡରେ ଟିନ୍ ନାମକ ଧାତୁର ପରିମାଣ ନିର୍ଦ୍ଧାରିତ ସୀମାଠାରୁ ଅଧିକ ଥିବା ଜଣାପଡ଼ିଥିଲା । ଉଭୟ ଉତ୍ପାଦରେ ତ୍ରୁଟି ମିଳିବା ପରେ କମ୍ପାନୀ ବିରୋଧରେ ଦୁଇଟି ମାମଲା ଚଳାଇବାକୁ FSSAI ଅନୁମତି ଦେଇଛି ।
ମୀମାଂସା ଇଣ୍ଡଷ୍ଟ୍ରିଜ୍ ପ୍ରାଇଭେଟ୍ ଲିମିଟେଡ୍
ମୀମାଂସା ଇଣ୍ଡଷ୍ଟ୍ରିଜ୍ର ଅଖରୋଟ୍ ଗିରି ନିମ୍ନମାନର ଓ ଅସୁରକ୍ଷିତ ବୋଲି ଯାଞ୍ଚରୁ ଜଣାପଡ଼ିଥିଲା । ଅନେକ ଅଖରୋଟ୍ରେ ପୋକ ଲାଗିଥିବା ସହ ସେଗୁଡ଼ିକ ନଷ୍ଟ ହୋଇଯାଇଥିଲା । ଏହି ଉତ୍ପାଦକୁ ଅସୁରକ୍ଷିତ ଘୋଷଣା କରି କମ୍ପାନୀ ବିରୋଧରେ ମାମଲା ଚଳାଇବାକୁ ଅନୁମତି ଦିଆଯାଇଛି ।
ଆଶା କନଫେକ୍ସନାରୀ
ଆଶା କନଫେକ୍ସନାରୀର ଚକୋଲେଟ୍ ଭର୍ତ୍ତି କୁକିଜ୍ରେ ଚିନିର ପରିମାଣ ସମ୍ପର୍କରେ ଭୁଲ୍ ସୂଚନା ଦିଆଯାଇଥିଲା । ଏହା ସହିତ ଉତ୍ପାଦରେ ବ୍ୟବହୃତ ଅନେକ ଉପାଦାନର ସମ୍ପୂର୍ଣ୍ଣ ବିବରଣୀ ଲେବଲ୍ରେ ଉଲ୍ଲେଖ କରାଯାଇନଥିଲା । କର୍ମୋସିନ୍ ନାମକ ରାସାୟନିକ ରଙ୍ଗ ସମ୍ପର୍କରେ ମଧ୍ୟ ସୂଚନା ଦିଆଯାଇନଥିଲା । ଯାଞ୍ଚରେ ଏହି କୁକିଜ୍କୁ ନିମ୍ନମାନର ଓ ଅସୁରକ୍ଷିତ ବୋଲି ଘୋଷଣା କରାଯାଇଥିଲା । ଏହାପରେ ସମ୍ପୃକ୍ତ ବ୍ୟାଚ୍କୁ ବଜାରରୁ ଫେରାଇ ନେବା ସହ କମ୍ପାନୀ ବିରୋଧରେ ମାମଲା ଚଳାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।
ବିସଲେରୀ ପାଣିର ଗୁଣବତ୍ତା ନେଇ ଉଠିଲା ପ୍ରଶ୍ନ
ପ୍ୟାକେଜ୍ଡ ଡ୍ରିଙ୍କିଂ ୱାଟରର ଏକ ନମୁନା ଯାଞ୍ଚରେ ତ୍ରୁଟି ମିଳିବା ପରେ ବିସଲେରୀ ବିରୋଧରେ ମଧ୍ୟ ମାମଲା ଚଳାଇବାକୁ FSSAI ଅନୁମତି ଦେଇଛି । ନମୁନାରେ ବ୍ରୋମେଟ୍ର ପରିମାଣ ନିର୍ଦ୍ଧାରିତ ସୀମା ଅନୁସାରେ ନଥିବାରୁ ଏହାକୁ ଖାଦ୍ୟ ସୁରକ୍ଷା ଓ ମାନକ ଆଇନ, ୨୦୦୬ ଅନୁଯାୟୀ ଅସୁରକ୍ଷିତ ଘୋଷଣା କରାଯାଇଥିଲା ।
କମ୍ପାନୀ ପକ୍ଷରୁ ଏହି ରିପୋର୍ଟକୁ ଚ୍ୟାଲେଞ୍ଜ କରିବା ପରେ ନମୁନାକୁ ରେଫରାଲ୍ ଫୁଡ୍ ଲାବୋରେଟୋରୀକୁ ପଠାଯାଇଥିଲା । ସେଠାରେ ମଧ୍ୟ ପଲିସାଇକ୍ଲିକ୍ ଆରୋମାଟିକ୍ ହାଇଡ୍ରୋକାର୍ବନ୍ (PAH) ମିଳିବା ପରେ ନମୁନାକୁ ଅସୁରକ୍ଷିତ ବୋଲି ଘୋଷଣା କରାଯାଇଥିଲା । ଏହି ଲାବୋରେଟୋରୀ ରିପୋର୍ଟ ଆଧାରରେ FSSAI କମ୍ପାନୀ ବିରୋଧରେ ମାମଲା ଆରମ୍ଭ କରିବାକୁ ଅନୁମତି ଦେଇଛି ।
ଦୁଇଟି କମ୍ପାନୀର ଲାଇସେନ୍ସ ନିଲମ୍ବିତ
ଖାଦ୍ୟ ସାମଗ୍ରୀର ସ୍ୱଚ୍ଛତା ଓ ପୁନଃପ୍ୟାକିଂ ସମ୍ପର୍କିତ ଅନିୟମିତତା ପାଇଁ FSSAI ଉର୍ମି ଲାଇଫ୍ସାଇନ୍ସେସ୍ LLP ଏବଂ ଗୌର ଆୟୁର୍ବେଦିକ୍ ଷ୍ଟୋରର ଲାଇସେନ୍ସ ନିଲମ୍ବନ କରିଛି । ଉର୍ମି ଲାଇଫ୍ସାଇନ୍ସେସ୍ LLPରେ ଖାଦ୍ୟ ସାମଗ୍ରୀ ଉପରେ ମାକୁଡ଼ି ଜାଲ, ଧୂଳି ଜମିବା ଏବଂ କାନ୍ଥରୁ ରଙ୍ଗ ଛାଡ଼ିବା ଭଳି ଅସ୍ୱଚ୍ଛତାର ପ୍ରମାଣ ମିଳିଥିଲା । ଏପରିକି ଖାଦ୍ୟ ସାମଗ୍ରୀକୁ ସିଧାସଳଖ ଚଟାଣରେ ରଖାଯାଉଥିବା ସହ ଖାଦ୍ୟ ଓ ଅଣଖାଦ୍ୟ ସାମଗ୍ରୀ ଏକାଠି ରଖାଯାଉଥିଲା। ଏହି ସବୁ ଅବହେଳା ଯୋଗୁଁ କମ୍ପାନୀର ଲାଇସେନ୍ସ ନିଲମ୍ବନ କରାଯାଇଛି ।
ଅନ୍ୟପକ୍ଷରେ ଗୌର ଆୟୁର୍ବେଦିକ୍ ଷ୍ଟୋର ନିଜ ଲାଇସେନ୍ସରେ ଅନ୍ତର୍ଭୁକ୍ତ ନଥିବା ସାମଗ୍ରୀକୁ ମଧ୍ୟ ପ୍ୟାକ୍ କରି ବିକ୍ରି କରୁଥିଲା । ଏପରିକି FSSAI ଲାଇସେନ୍ସ ଥିବା ପ୍ୟାକେଟ୍ରେ କପର ସଲଫେଟ୍ ବିକ୍ରି କରାଯାଉଥିବା ଜଣାପଡ଼ିଥିଲା । ଆବଶ୍ୟକ ଦସ୍ତାବିଜ୍ର ଅଭାବ ସହ ସ୍ୱଚ୍ଛତା ଓ ବାୟୁ ଚଳାଚଳ ବ୍ୟବସ୍ଥାରେ ତ୍ରୁଟି ଥିବାରୁ ଏହି ଷ୍ଟୋରର ଲାଇସେନ୍ସ ମଧ୍ୟ ନିଲମ୍ବନ କରାଯାଇଛି ।
ଖାଦ୍ୟ ସାମଗ୍ରୀର ଗୁଣବତ୍ତା ଓ ସୁରକ୍ଷା ନିଶ୍ଚିତ କରିବା ପାଇଁ FSSAI ଏବେ ଖାଦ୍ୟ ବ୍ୟବସାୟ ସହ ଜଡ଼ିତ କମ୍ପାନୀ ଏବଂ ଇ-କମର୍ସ ପ୍ଲାଟଫର୍ମଗୁଡ଼ିକ ଉପରେ ନଜରଦାରୀ ବଢ଼ାଇଛି । ନିୟମ ଉଲ୍ଲଂଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ ଜାରି ରହିବ।
ବିସଲେରୀ ପକ୍ଷରୁ ସ୍ପଷ୍ଟୀକରଣ
FSSAIର କାର୍ଯ୍ୟାନୁଷ୍ଠାନ ସମ୍ପର୍କିତ ଖବର ସାମ୍ନାକୁ ଆସିବା ପରେ ବିସଲେରୀ କମ୍ପାନୀ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। କମ୍ପାନୀ କହିଛି ଯେ, ଯେଉଁ ପାଣି ନମୁନାକୁ ନେଇ ପ୍ରଶ୍ନ ଉଠିଛି, ତାହା ପ୍ରାୟ ୧୪ ମାସ ପୁରୁଣା ମାମଲା । ଏହା ସହିତ କମ୍ପାନୀ ଦାବି କରିଛି ଯେ, ଏପର୍ଯ୍ୟନ୍ତ FSSAI ପକ୍ଷରୁ ତାକୁ କୌଣସି ନୋଟିସ୍ ମିଳିନାହିଁ । ବିସଲେରୀ ଆହୁରି କହିଛି ଯେ, କମ୍ପାନୀର ପାଣି ପିଇବା ପାଇଁ ସମ୍ପୂର୍ଣ୍ଣ ସୁରକ୍ଷିତ । ତେବେ FSSAIର ଯାଞ୍ଚ ରିପୋର୍ଟ ଓ କମ୍ପାନୀର ସ୍ପଷ୍ଟୀକରଣ ପରେ ଏହି ମାମଲାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି ।
📱 Get Argus News App
✨Related Topics
Explore more stories